Odiapua.com

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ଶିଥିଳତା, ମହିପୁର ଠାରେ ଅଟକି ଯାଇଛି ରେଳ…

ନୟାଗଡ଼ ୨୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ଶିଥିଳତା ଯୋଗୁଁ ଅସନ୍ତୋଷ ଦେଖା ଦେଇଥିବାବେଳେ ଓଡ଼ିଶା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳ କ୍ୟାବିନେଟ୍ ମନ୍ତ୍ରୀ ହେବା ପରେ ସାଧାରଣ ଜନ ମନରେ ନୂଆ ଆଶା ସଂଚାର କରିଛି। ସମ୍ପ୍ରତି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସି ଏହି ରେଳପଥ ଉପରେ ସର୍ବେକ୍ଷଣ କରିବା ସମ୍ଭାବନା ରହିଥିବାରୁ ରେଳପଥର ଭାଗ୍ୟ ବଦଳିବା ସହିତ ରେଳ ବିଭାଗର କ୍ରମାଗତ ଉପେକ୍ଷାର ଅବସାନ ଘଟିବ ବୋଲି କୁହାଯାଉଛି। ଏହି ରେଳପଥ ପାଇଁ ୧୯୪୫ ମସିହାରେ ସର୍ବେକ୍ଷଣ ହୋଇଥିବାବେଳେ ରେଳପଥକୁ ଯୋଜନା କମିଶନଙ୍କ ମଞ୍ଜୁର ମିଳିବା ପାଇଁ ୫୦ ବର୍ଷ ଲାଗିଯାଇଥିଲା। ୨୦୧୫ ମସିହାରେ ରାଜିନାମାର ଧାର୍ଯ୍ୟ ଲକ୍ଷ୍ୟ ଶେଷ ହୋଇଥିଲେ ମଧ୍ୟ ଯେଉଁ ନିର୍ଦ୍ଦିଷ୍ଟ ଅଂଶର ନିର୍ମାଣ କାର୍ଯ୍ୟ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ସେ ଅଂଶ ବିଶେଷର ଅଧାଅଧି କାର୍ଯ୍ୟ ମଧ୍ୟ ଏଯାବତ୍ ପୂରଣ ହେଲା ନାହିଁ। ଧାର୍ଯ୍ୟ ଲକ୍ଷ୍ୟ ଶେଷ ହୋଇଥିଲେ ମଧ୍ୟ ଏଯାଏଁ ରାଜିନାମାର ନୂଆ ନବୀକରଣ ହୋଇପାରିନାହିଁ। ରାଜନାମା ଅନୁଯାୟୀ ୨୦୨୧ ମସିହା ଜୁନ ମାସ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ରେଳ ଗଡ଼ିଥାନ୍ତା। ହେଲେ ଏଯାଏଁ ଖୋର୍ଦ୍ଧାରୋଡ଼ରୁ ନୟାଗଡ଼ ଓ ନୟାଗଡ଼ର ମହିପୁର ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ସୁବିଧା ହୋଇଛି। ଦଶପଲ୍ଲାକୁ ମଧ୍ୟ ରେଳ ଛୁଇଁ ପାରିନାହିଁ। ଯାହା ଜଣାଯାଏ ୧୯୯୩ ମସିିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏୈତିହାସିକ ପତ୍ର ପରେ ରାଜ୍ୟସଭା ସାଂସଦ ତଥା ତତ୍କାଳୀନ ରେଳ ରାଷ୍ଟ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ଅନୁରୋଧ ପରେ ସେହି ସମୟର ଯୋଜନା କମିଶନ ଉପାଧ୍ୟକ୍ଷ ପ୍ରଣବ ମୁଖାର୍ଜୀ ରାଜ୍ୟକୁ ଏକ ପ୍ରସ୍ତାବ ଦେଇଥିଲେ ଓ ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଲିଖିତ ସମ୍ମତିରେ ରେଳପଥକୁ ଯୋଜନା କମିଶନଙ୍କ ମଞ୍ଜୁରୀ ମିଳିବାରେ ସହାୟତା ପ୍ରଦାନ କରିଥିଲା। ଓଡ଼ିଶା ପକ୍ଷରୁ ପ୍ରକଳ୍ପର ମାଟି କାମରେ ସହଯୋଗ କରିବେ ବୋଲି ଓ ମାଗଣା ଜମି ଦେବା ପାଇଁ ୧୯୯୩ ମସିହା ମାର୍ଚ୍ଚ ୬ତାରିଖରେ କେନ୍ଦ୍ରକୁ ଲିଖିତ ପ୍ରତିଶୃତି ଦେବା ପରେ ପ୍ରକଳ୍ପ ମଞ୍ଜୁର ପ୍ରାପ୍ତ ହୋଇ ପ୍ରସ୍ତାବିତ ରେଳପଥ ଆଗେଇ ଥିଲା। ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଥମେ ୪ କୋଟି ୯୮ ଲକ୍ଷ ବ୍ୟୟ ଅଟଳଳ କରାଯାଇଥିବାବେଳେ ପ୍ରକଳ୍ପ ମଞ୍ଜୁରୀ ପ୍ରାପ୍ତ ହେଲା ପରେ ପ୍ରଥମେ ୧୯୯୪-୯୯୫ ମସିହାରେ ୧କୋଟି ଏମିତି ୨୦୦୦ ମସିହା ପର୍ଯ୍ୟନ୍ତ ସମୁଦାୟ ୧୮କୋଟି ୫୦ଲକ୍ଷ ଟଙ୍କା କରାଯାଇଥିବା ବେଳେ ୨୦୦୦ ମସିହାରୁ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ୧୨୫୦ କୋଟି ଟଙ୍କା ମଞ୍ଜୁର ପ୍ରାପ୍ତ ହୋଇଛି। ରେଳପଥର ମନ୍ଥରତାକୁ ନେଇ ଏହାର ଶୀଘ୍ର ଅଗ୍ରସରତା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟେ ଅଧା ଅଧା ଅର୍ଥ ଖର୍ଚ୍ଚ କରି ୧୧୨ କିମି ରୁ ୨୮୯ କିମି ଦଶପଲ୍ଲାରୁ ବଲାଙ୍ଗିର ରେଳପଥ ପର୍ଯ୍ୟନ୍ତ ରେଳପଥ ଶୀଘ୍ର କାର୍ଯ୍ୟକ୍ଷମ କରିବେ ବୋଲି ଚୁକ୍ତି କରିଥିଲେ। ୨୦୧୮ ମସିହା ଶେଷ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ସରିବା କଥା। ହେଲେ ଏଯାଏଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ। ଯାହାକି ରେଳପଥ ନିର୍ମାଣରେ ଶିଥିଳତା ଦେଖାଦେଇଛି। ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳପଥରେ ଖୋର୍ଦ୍ଧା ରୋଡ଼ ଠାରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ରେଳ ଆସି ମହିପୁର ଠାରେ ଅଟଳି ଯାଇଛି। ମହିପୁର ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ବି ରେଳ ଗଡ଼ିବାରେ ଅହେତୁକ ବିଳମ୍ବ ଦେଖାଦେଇଛି। ଏହି ରେଳପଥକୁ ପ୍ରଥମେ ଜନନାୟକ ବିଜୁ ପଟ୍ଟନାୟକ ଆଗ୍ରାଧିକାର ଦେଇଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାର ମନ୍ଥରତା ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବଂ ଏହାର କାର୍ଯ୍ୟ ଯଥାଶୀଘ୍ର ତ୍ୱରାନ୍ନିତ କରିବା ପାଇଁ ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁଯୋଗକୁ ଏବେ ରେଳ କ୍ୟାବିନେଟ୍ ମନ୍ତ୍ରୀ ଓଡ଼ିଶାର ସାଂସଦ ଅଶ୍ୱିନୀ ବୈଷ୍ଣବ ହୋଇଛନ୍ତି। ଏହି ସୁଯୋଗରେ ଯଥାଶୀଘ୍ର ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଅଗ୍ରଗତି ଘଟିବ ବୋଲି ସାଧାରଣ ଜନମନରେ ନୂଆ ଆଶା ସଂଚାର କରିଛି।