ଯୋଡା, ୨୫- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଥାନା ଅନ୍ତର୍ଗତ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ଥିବା ମୁଣ୍ଡା ସାହିରେ ଗୁରୁବାର ଅପରାହ୍ନ ୫ ଘଟିକା ସମୟରେ ଏକ ୩ ବର୍ଷର ଶିଶୁ ଖେଳୁଥିବା ସମୟରେ ତା ଉପରେ ଟିପର ଚଢିଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଛି । ଖବରୁ ପ୍ରକାଶ ଯେ, ୯ନଂ ୱାର୍ଡ ମୁଣ୍ଡା ସାହିରେ ଏକ ରାସ୍ତା ତିଆରି କରିବା ପାଇଁ କଂକ୍ରିଟ ବର୍ଜ୍ୟବସ୍ତୁ ନେଇ କମାରଯୋଡା ମୁଣ୍ଡା ସାହିରେ ଏକ ଟିପର (ନଂ. ଓଆର୦୯ଇ-୮୭୪୮) ବର୍ଜ୍ୟବସ୍ତୁ ପକାଇ ଫେରୁଥିବା ସମୟରେ ସେହି ସାହିର ବିରବଲ ମୁଣ୍ଡାଙ୍କ ୩ ବର୍ଷର ପୁଅ ବିଜୁ ମୁଣ୍ଡା ରାସ୍ତାରେ ଖେଳୁଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା । ଏହି ଦୁର୍ଘଟଣା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ବେଳେ ଟିପରଟିକୁ ହେଲଫର ଚଳାଉଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।