Odiapua.com

ଖେଳପଡିଆକୁ ସରକାରୀ ସଂସ୍ଥାକୁ ନଦେବାପାଇଁ ଜିଲାପାଳଙ୍କୁ ଗ୍ରାମବାସୀଙ୍କ ନିବେଦନ

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ରୀଡାର ବିକାଶ ପାଇଁ ସରକାର କ୍ରମାଗତ ଭାବେ ଖେଳପଡିଆର ଉନ୍ନତି ପାଇଁ ବିପୁଳ ଅର୍ଥ ବ୍ୟୟ କରିଚାଲିଛନ୍ତି। ଅନ୍ୟପକ୍ଷେ ସ୍କୁଲ ପିଲା ଓ ଗାଁ ପିଲାଙ୍କ ଖେଳ ପଡିଆକୁ ଜିଲା ପ୍ରଶାସନ ଅବକାରୀ ବିଭାଗକୁ ଜମି ପ୍ରଦାନ କରିଛନ୍ତି। ଏହାକୁ ବିରୋଧ କରି ଭଦ୍ରକ ବ୍ଲକ୍ ଅନ୍ତର୍ଗତ କରେଇପୁର ଗ୍ରାମବାସୀ ଆଜି ଜିଲାପାଳଙ୍କୁ ଭେଟି ଏଥିରୁ ନିବୃତ୍ତ ରହିବା ପାଇଁ ଲିଖିତ ପତ୍ର ଜରିଆରେ ନିବେଦନ କରିଛନ୍ତି। ନିବେଦନ ପତ୍ରରେ ଦର୍ଶାଯାଇଛି ଯେ ଭଦ୍ରକ ତହସିଲ ଅନ୍ତର୍ଗତ ସାତଭଉଣୀ ରାଜସ୍ୱ ନିରୀକ୍ଷକ ମଣ୍ଡଳର କୋର୍କରା ମୌଜାର (କରେଇପୁର) ସରକାରୀ ଖାତା ନଂ ୯୬୯ ଓ ପ୍ଲଟ୍ ନଂ ୧୩୫ କୁ ଲିଜ୍ ନଦେବା ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ଲଗାତର ଭାବେ ବିଭିନ୍ନ ସମୟରେ ତହସିଲଦାର, ଜିଲା ପ୍ରଶାସନ ଓ ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସୁଫଳ ତ ମିଳିଲା ନାହିଁ, ଏହା ପରିବର୍ତ୍ତେ ଗତକାଲି (୨୪.୧୧.୨୨) ଅବକାରୀ ବିଭାଗ ରାଜସ୍ୱ କର୍ମଚାରୀଙ୍କ ସହାୟତାରେ ଜମି ଦଖଲ (ଖେଳପଡିଆ) ପାଇଁ ମାପଚୁପ କରିବାକୁ ଆସିଥିଲେ। ଗ୍ରାମବାସୀମାନଙ୍କ ପ୍ରବଳ ବିରୋଧ ଯୋଗୁଁ ବିଭାଗୀୟ ଅଧିକାରୀମାନେ ଫେରିଯାଇଥିଲେ। କରେଇପୁର ଗାଁ ନିକଟରେ ଥିବା ସମସ୍ତ ସରକାରୀ ଜମିକୁ ଲିଜ୍ ସୂତ୍ରେ ଲ’ କଲେଜ ଓ ଆର୍ଟ କଲେଜକୁ ପ୍ରଦାନ କରାଯାଇଛି। ଆଉ ଅଳ୍ପ କିଛି ବଳକା ଥିବା ସରକାରୀ ଜମିକୁ ସ୍କୁଲ ଓ ଗାଁ ପିଲାମାନଙ୍କର ଖେଳ ପଡିଆ ସହ ଗାଁ ଲୋକଙ୍କ ସାମୂହିକ କାର୍ଯ୍ୟ ନିମନ୍ତେ ବ୍ୟବହୃତ କରାଯାଉଥିଲା। ସ୍କୁଲ ପିଲାମାନଙ୍କ ନିମନ୍ତେ ଖେଳ ପଡିଆ ନାହିଁ। ଏହି ବଳକା ଥିବା ଜମି ସ୍କୁଲ ପଡିଆକୁ ଯଦି କୌଣସି ସରକାରୀ ଓ ବେସରକାରୀ ସଂସ୍ଥାକୁ ଲିଜ୍ ପ୍ରଦାନ କରାଗଲେ କରେଇପୁର ଗ୍ରାମବାସୀ ଓ ସ୍କୁଲ ପିଲାମାନଙ୍କର ଅପୂରଣୀୟ କ୍ଷତି ଘଟିବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚଙ୍କ ପ୍ରତିନିଧି ଧବଳେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଉର୍ମିଳା ବାରିକ, କାର୍ତ୍ତିକ ଚନ୍ଦ୍ର ବାରିକ, ବିପିନ୍ ବିହାରୀ ବାରିକ, ଅରୁଣ କୁମାର ବାରିକ, ତ୍ରିଲୋଚନ ବାରିକ, ରବିନ୍ଦ୍ର ବାରିକ, ମନମୋହନ ବାରିକ, ରାଜେନ୍ଦ୍ର ବାରିକ ପ୍ରମୁଖ ଆଜି ଜିଲାପାଳଙ୍କୁ ଭେଟିଛନ୍ତି।