Odiapua.com

ଖୁଲମ ଖୋଲା ବାଜୁଛି ଡିଜେ, ଆଗକୁ ପୂଜା ଭସାଣୀ ଆଉ ପାର୍ବଣ ଋତୁ, ସାଧାରଣ ଲୋକ ଚିନ୍ତିତ, ପ୍ରଶାସନ ଟେକି ଦେଉଛି ହାତ

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରମ୍ବାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ, ବ୍ୟବସାୟୀ ମହଲରୁ ଅଭିଯୋଗ ସତ୍ୱେ ଏହି ଜିଲାର ଧାମନଗର ଅଂଚଳରେ ଡିଜେ ବାଜିବା ବନ୍ଦ ହେବାର ନାଆଁ ଧରୁନି । ସବୁ ଆଇନ କାନୁନ କୁ ଫୁ କରିଦେଇ ଅତି ଉତ୍କଟ ଶବ୍ଦ କରି ପ୍ରତିଯୋଗିତା କରାଯାଇ ଡିଜେ ବଜା ଯାଉଛି । ଆଗକୁ ଆସୁଚି ପାର୍ବଣ ଋତୁ ପୂଜା ଭସାଣୀ । ଡିଜେ ପାଇଁ ଅଗ୍ରୀମ ଅର୍ଥ ରାଶି ଦିଆ ଗଲାଣି । ପ୍ରଶାସନ ର ନିୟମ କୁ ଫୁ କରି ଚାଲିଛି । ସହରାଂଚଳ ରେ ସାମାନ୍ୟ ଭାବେ ନିୟମ କୁ ପାଳନ କରାଯାଉଥିଲେ ବି ଗ୍ରାମାଂଚଳ ରେ ସନ୍ଧ୍ୟା ଠାରୁ ପୁଣି ରାତି ପାହିବା ପର୍ଯ୍ୟନ୍ତ ନିଶାସକ୍ତ ହୋଇ ଏହି ପ୍ରଚଣ୍ଡ ଶବ୍ଦ ସୃଷ୍ଟି କାରୀ ଡିଜେ ବାଜା ବଜାଇ ଉନ୍ମତ ନୃତ୍ୟ ପରିବେଷଣ କରୁଛନ୍ତି । କେହି ପ୍ରତିବାଦ କରିବାକୁ ସାହସ କରନ୍ତି ନାହିଁ କାରଣ ଏମାନେ ଏମିତି ଭୟଙ୍କର ଅବସ୍ଥାରେ ଥାନ୍ତି ଯେ ସମ୍ପୂର୍ଣ ହିତାହିତ ଜ୍ଞାନ ଭୁଲି ଯାଇଥାନ୍ତି । ନିକଟରେ ଧୁଶୁରି ଥାନା ଅଂଚଳ ରେ ଡିଜେ କୁ ନେଇ ଉଭୟ ଗୋଷ୍ଠୀ ମଧ୍ୟ ହାତା ହାତୀ ହୋଇଛନ୍ତି । କିନ୍ତୁ ପ୍ରଶାସନ ର କୌଣସି ପଦକ୍ଷେପ ନେଉ ନାହିଁ । ବ୍ୟାପକ ଶବ୍ଦ ପ୍ରଦୂଷଣ ସହିତ ଉଚ୍ଚ ରକ୍ତଚାପ, ହାର୍ଟ ପେସେଂଟ, ବୃଦ୍ଧ ବୃଦ୍ଧା, ରୋଗୀ, ଛାତ୍ର ଛାତ୍ରୀ ମାନେ ଏହାର କୁ ପ୍ରଭାବ ରେ ପ୍ରଭାବିତ ହୋଇ ଆସୁଛନ୍ତି । ସରକାର ବିଭିନ୍ନ କଟକଣା ଜାରି କରିଥିବା ସତ୍ୱେ ପୋଲିସ ପ୍ରଶାସନ ଏଥି ପ୍ରତି ଆଖିବୁଜି ଦେଇଛି । ତେବେ ଏହି ମାରାତ୍ମକ ଶବ୍ଦ ପ୍ରଦୂଷଣ କୁ ରୋକିବ କିଏ? ପୋଲିସ, ପ୍ରଶାସନ, ନିର୍ବାଚିତ ଲୋକପ୍ରତିନିଧି ମାନେ ନିଜର ସ୍ୱାର୍ଥ ପୂରଣ ପାଇଁ ନୀରବ ଦ୍ରଷ୍ଟା ସାଜିି ଏହି ମୁଷ୍ଟିମେୟ ବିଶୃଙ୍ଖଳ ବ୍ୟକ୍ତି ମାନଙ୍କୁ ସୁଯୋଗ ଦେଉଛନ୍ତି ଯାହାକି ଶାନ୍ତି ପ୍ରିୟ ନିରୀହ ଜନସାଧାରଣ ଙ୍କୁ ଚିନ୍ତାରେ ପକାଇଛି । ଏହି ବାଜା ବାଜୁଥିବା ବେଳେ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଦୁଇ ଜଣ ଲୋକ କଥା ବାର୍ତା କରିବା ସମ୍ଭବ ହେଉନାହିଁ । ଦୋକାନ ବଜାର ରେ ଠିଆ ହୋଇ ନିଜ ଆବଶ୍ୟକୀୟ ଜିନିଷ କିଣିବା ସମ୍ଭବ ହେଉନାହିଁ । ଦୋକାନ ଥାକରୁ ଜିନିଷ ପତ୍ର ମଧ୍ୟ ଶବ୍ଦ ର କମ୍ପନ ରେ ଗଡି ପଡୁଛି । ଦୁରାରୋଗ୍ୟ ବ୍ୟାଧି ଗ୍ରସ୍ତ, ଛାତ୍ର ଛାତ୍ରୀ ମାନେ ନିଜ ଘରେ ରହି ପାଠ ପଢ଼ିବା ସମ୍ଭବ ହୋଇ ପାରୁନି । ସରକାର ଙ୍କ ସମ୍ପୂର୍ଣ୍ଣ କଟକଣା ଥାଇ ବି ଏମାନେ ଏତେ ଜୋର୍ ରେ ଡିଜେ ବଜାଇବାକୁ ଅନୁମତି ପାଉଛନ୍ତି କେମିତି! । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଶବ୍ଦ ପ୍ରଦୂଷଣ କୁ ତିନି ଭାଗରେ ବିଭକ୍ତ କରାଯାଇଛି । କମର୍ସିଆଲ, ରେସିଡେନ୍ସିଆଲ ଓ ସାଇଲେନ୍ସ ଜୋନ୍ ଓ ଏହିସବୁ ଅଂଚଳରେ କେତେ ମାତ୍ରାରେ ଶବ୍ଦ ବଜା ଯାଇ ପାରିବ ତାର ମଧ୍ୟ ବିଧିବଦ୍ଧ ନିୟମ ରହିଛି । ଯଥା କମର୍ସିଆଲ ଜୋନ୍ ରେ ସକାଳ ୬ ଟା ରୁ ରାତି ୧୦ ଟା ମଧ୍ୟରେ ୬୫ ଡେସି ବିଲ୍‌, ରାତି ଦଶ ଟାରୁ ସକାଳ ଛଅ ଟା ପର୍ଯ୍ୟନ୍ତ ୫୫ଡିବି.ସାଇଲେନ୍ସ୍ ଜୋନ୍ ରେଡ ସକାଳ ଛଅ ରୁ ରାତି ଦଶ ମଧ୍ୟରେ ୫୦ଡି.ବି, ରାତି ଦଶ ରୁ ସକାଳ ଛଅ ପର୍ଯ୍ୟନ୍ତ ୪୦ଡି.ବି, ଓ ରେସିଡେନ୍ସିଆଲ ଜୋନ୍ ରେ ସକାଳ ୬ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ୫୫ ଡେସିବିଲ ଓ ରାତି ୧୦ ଟା ରୁ ସକାଳ ୬ ଟା ପର‌୍ୟ୍ୟନ୍ତ ୪୫ଡେସିବିଲ ଶବ୍ଦ ବଜାଇ ବାର କଡାକଡି ନିୟମ ରହିଛି । କିନ୍ତୁ ଏସବୁ କୁ ପ୍ରଶାସନ ଗୁରୁତ୍ୱ ଦେଉ ନଥିବାରୁ ଏହି ଡି ଜେ କୁ ମନଇଚ୍ଛା ବଜା ଯାଉଛି । । ଯଦି ପ୍ରଶାସନ ଯଥା ଶିଘ୍ର ପଦକ୍ଷେପ ଗ୍ରହଣ ନକରେ ତେବେ ଲୋକେ ନିଜ ତରଫ ରୁ ବିରୋଧ କରିବା ସହିତ ଆନ୍ଦୋଳନ କରିବେ ଓ ଆବଶ୍ୟକ ପଡ଼ିଲେ ଆଇନ କୁ ହାତକୁ ବି ନେଇ ପାରନ୍ତି ।ପ୍ରକାଶ ଥାଉକି ଧାମନଗର ଶାନ୍ତି କମିଟି ର ଆବାହକ ତଥା ଧାମନଗର ତହସିଲଦାର ଦୀପକ ଦାସ ଙ୍କ ଆବାହକତ୍ୱ ରେ ଶାନ୍ତି କମିଟି ବୈଠକ ରେ ପ୍ରସାଶନିକ ଅଧିକାରୀ ଓ ବିଭିନ୍ନ ପୂଜା କମିଟି ର ସଦସ୍ୟ ଙ୍କୁ ନେଇ ବୈଠକ ରେ ଡିଜେ କୁ ବାରଣ କରାଯାଇ ଥିଲା ।ହେଲେ ବିଭିନ୍ନ ପୂଜା କମିଟି ମିଟିଂ ରୁ ଆସିବାପରେ ପୁଣି ଡିଯେ ବଯାଉଛନ୍ତି ମାନୁ ନାହାନ୍ତି ପ୍ରଶାସନ କଥା ।ତେବେ ପ୍ରଶାସନ ନିରୁପାୟ କାହିଁକି ତାହା ସଧାରଣ ରେ ଆଲୋଚନା ହେଉଛି । ଏ ଦିଗରେ ଉଚ୍ଚ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।