Odiapua.com

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ଝୋଟ ନିର୍ମିତ ବ୍ୟାଗ ପ୍ରଦାନ, ଓଲଙ୍ଗ ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶାର ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ ଗୋଟି ଲେଖାଏଁ ଝୋଟ ତିଆରି ବ୍ୟାଗ ପ୍ରଦାନର ଭଦ୍ରକ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକ୍‌ର ଓଲଙ୍ଗ ଗ୍ରାମ ପଞ୍ଚାୟତର ସୁଲଭ ମୂଲ୍ୟ ଖୁଚୁରା ବିକ୍ରେତା କେନ୍ଦ୍ରରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ପ୍ରତି ହିତାଧିକାରୀ ପରିବାରଙ୍କୁ ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ ବିତରଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଉର୍ମିଳା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ଓଲଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି, ପଞ୍ଚାୟତ ସମିତି ସଦସ୍ୟ ଗୌରୀ ରାଉତ ପ୍ରମୁଖଙ୍କ ସହ ଏହି କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲାଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଏଥିରେ ଯୋଗଦେଇ ବ୍ୟାଗ ବିତରଣ କରିଥିଲେ । ଏ.ସି.ଏସ୍‌.ଓ. ଶରତ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ । ସୂଚନା ଯୋଗ୍ୟକି ଏହି ବ୍ୟାଗ ବଣ୍ଟନ କାର୍ଯ୍ୟ ଭଦ୍ରକ ଜିଲ୍ଲାର ୪୬୯ ସରକାରୀ ସୁଲଭ ମୁଲ୍ୟ ଖୁଚୁରା ବିକ୍ରେତା କେନ୍ଦ୍ରରେ ବଣ୍ଟନ କରାଯିବ । ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୩,୧୮,୯୧୫ ଓ ରାଜ୍ୟ ଖାଦ୍ୟ ସୁରକ୍ଷାରେ ୭୦୯୯ ପରିବାର ତଥା ମୋଟ ରାସନ କାର୍ଡ଼ଧାରୀ ସଦସ୍ୟ ୧୧,୪୮,୩୭୬ ଉପକୃତ ହେବେ । ସବୁଜ ଓଡ଼ିଶା ଗଠନ ପାଇଁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ କରିବାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ଯୋଜନା ପ୍ରଣୟନ କରାଯାଇଛି ।