Odiapua.com

ଖାଦ୍ୟ ନିରାପତ୍ତା ଯୋଜନାରୁ ବଂଚିତ ଅନେକ ଗରିବ, କରୋନା କାଳରେ ସେମାନଙ୍କୁ ଚିହ୍ନଟ କରିବେ କି ସରକାର!

ଭଦ୍ରକ, ୧୯ା୬ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଖାଦ୍ୟ ନିରପତ୍ତା ଯୋଜନା ମୁଖ୍ୟତଃ ଗରିବଙ୍କ ପାଇଁ ଉଦ୍ଦିଷ୍ଟ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସରକାର ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର । ଏହି ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ଏକ ଚଳନ୍ତି ପ୍ରକ୍ରିୟା ବୋଲି ସରକାର ଘୋଷଣା କରିଛନ୍ତି । ଅର୍ଥାତ ହତାଧିକାରୀ ତାଲିକାରେ ଯୋଗ ଓ ବିୟୋଗ ଅହରହ ଚାଲୁ ରହିବ । ହିତାଧିକାରୀଙ୍କୁ ମୁଣ୍ଡପିଛା ୫କିଲୋ ଚାଉଳ ଅଥବା ଗହମ ସହିତ ବିଭିନ୍ନ ସମୟରେ ସରକାର ଘୋଷଣା କରୁଥିବା ରାସନ ମଧ୍ୟ ଏହି ହିତାଧିକାରୀଙ୍କୁ ମିଳିଥାଏ । ତେବେ ଯୋଜନାରେ ବହୁ ଥିଲାବାଲା ସାମିଲ ହୋଇଥିବା ବେଳେ ପ୍ରକୃତ ଗରିବ ଅନେକ ସମୟରେ ବଞ୍ଚିତ ହେଉଥିବାର ଅଭିଯୋଗ ହୋଇଆସୁଛି । ଏମିତି ଯୋଜନାରୁ ବଞ୍ଚିତ ଅନେକ ପରିବାର ଅଛନ୍ତି ଭଦ୍ରକ ବ୍ଳକର ଆମ୍ବରୋଳି ପଞ୍ଚାୟତରେ । ଆମ୍ବରୋଳି ଗାଁର ଶୁକଦେବ ଜେନା ଜଣେ ଗରିବ ଦିନ ମଜୁରିଆ । ତାଙ୍କୁ ଏଯାଏ ଯୋଜନାରେ ସାମିଲ କରାଗଲା ନାହିଁ ଅଥବା କାର୍ଡ ମିଳିଲା ନାହିଁ ।ଏବେ କରୋନା କାଳରେ କାମ ମିଳୁନଥିବାରୁ ବଡକଷ୍ଟରେ ଚଳୁଛନ୍ତି ଶୁକଦେବ । କାର୍ଡ ଥିଲେ ଏବେ କ’ଣ ସରକାର କରୋନା ପାଇଁ ଡାଲି ଚାଉଳ ଦେଉଛନ୍ତି ତା’ସବୁ ପାଇଥା’ନ୍ତି । ହେଲେ ମୋର ତ କାର୍ଡ ହୋଇପାରିଲାନି ବୋଲି କହି ମନଦୁଃଖ କରନ୍ତ ଶୁକଦେବ ।

କାହିଁକି ହୋଇପାରିଲା ନାହିଁ ସେ ବାବଦରେ ଶୁକଦେବ ନେତାଙ୍କୁ ଦାୟି କରନ୍ତି । ଗାଁର ଶିବାନ୍ଦ ବିନ୍ଧାଣି ମଧ୍ୟ ଜଣେ ଗରିବ । ତାଙ୍କୁ ମିଳିନି ରାସନ କାର୍ଡ । ‘୧୦ ଥର ଫର୍ମ ପୂରଣ କରିକି ନେଇଛି । ପଂଚାୟତ ଅଫିସରୁ ବ୍ଳକ ଯାଏ ଯାଇଛି । କିନ୍ତୁ ମୋର କାର୍ଡ ହୋଇପାରିଲା ନାହିଁ । ଖଟିଲେ ଖାଇବୁ । କରୋନା କାଳରେ ସରକାରଙ୍କ ଠାରୁ ଟଙ୍କାକର ସାହାଯ୍ୟ ପାଇପାରୁ ନାହୁଁ । କାହା ପାଖରେ ଆଉ ମୁଣ୍ଡ ପାତିବୁ?’ ବୋଲି ପ୍ରଶ୍ନ କରନ୍ତି ଶିବାନନ୍ଦ । ସେହିଭଳି ଗାଁର ଅମର ବାରିକ ଜଣେ ରୋଷେଇୟା । କରୋନା ବେଳେ ବିବାହ, ବ୍ରତ..ଆଦି ଉପରେ ଯେତେବେଳେ କଟକଣା ସେତେବେଳେ ରୋଷେଇୟାଙ୍କୁ କାମ ନମିଳିବା ସ୍ୱାଭାବିକ । କିନ୍ତୁ ସେ ମଧ୍ୟ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ । ଗାଁର ବାବୁଲା ମୁଣ୍ଡା କୁହଂତି ମୋର ଆଗରୁ ‘ବିପିଏଲ କାର୍ଡ’ ଥିଲା । ୨ବର୍ଷ ଚାଉଳ ପାଇବା ପରେ ଆଉ ମିଳିଲା ନାହିଁ । ଏବେ ସମସ୍ତେ ପାଉଛନ୍ତି ମୁଁ ପାଉନାହିଁ । ଇୟା ଭିତରେ ମୋତେ ଘର ମିଳିବ, ପାଇଖାନା ମିଳିବ ବୋଲି କହି ମଧ୍ୟ ଘରକୁ ଆସି ସବୁ ଲେଖାଲେଖି କରି ନେଇଥିଲେ କିନ୍ତୁ କିଛି ମିଳିଲା ନାହିଁ । ତେବେ ଆମ୍ବରୋଳି ଗାଁର ଏହି କେତୋଟି ଗରିବଙ୍କୁ କେବଳ ଉଦାହରଣ ଭାବେ ନିଆଯାଇପାରେ । ଏଭଳି ଅନେକ ଗରିବ କେବଳ ଉକ୍ତ ପଂଚାୟତରେ ନୁହେଁ ଜିଲାତମାମ ଗାଁରୁ ସହର ଯାଏ ଏଭଳି ଅନେକ ଉଦାହରଣ ମିଳିବ । ଯଦି କରୋନା କାଳରେ ସରକାର ଏହି ଗରିବଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା କରିବେ ଓ ସେମାନଙ୍କୁ ଯୋଜନାରେ ସାମିଲ କରିପାରନ୍ତେ ତା’ହେଲେ ଯୋଜନାର ମୂଳ ଉଦ୍ଦେଶ୍ୟ ସାଧନ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି ।