Odiapua.com

ଖାଦ୍ୟ କମିଶନ୍ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖାଦ୍ୟ କମିଶନ୍ ର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ୍ ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଧାମନଗର ବ୍ଲକ୍‌ର ଗୋଟିଏ ଧାନ କିଣା କେନ୍ଦ୍ର ଓ ଚାନ୍ଦବାଲି ବ୍ଲକ୍‌ର ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହିତ ଅପରାହ୍ନରେ ସଦ୍‌ଭାବନା ସଭାଗୃହରେ ସଂପୃକ୍ତ ବିଭାଗୀୟ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିଥିଲେ। ଖାଦ୍ୟ କମିଶନ୍‌ର ମେମ୍ବର ସେକ୍ରେଟେରୀ ଶିବାନୀ ମହାନ୍ତି, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଭଦ୍ରକ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ପ୍ରିତୀମୟ ଯୋଗଦେଇଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମେର୍କାପ୍ ଖାଦ୍ୟ ନିରାପତ୍ତା ଆଇନ୍‌ର ବିଭିନ୍ନ ଧାରା ଅନୁଯାୟୀ ତୃଣମୂଳସ୍ତରରେ କାର୍ଯ୍ୟକାରୀତା ସମ୍ବନ୍ଧରେ ସମୀକ୍ଷା କରିବା ସହିତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନ, ପୋଷଣ ଅଭିଯାନ, ରେସନ ସାମଗ୍ରୀ ବିତରଣ ଆଦି ସମ୍ବନ୍ଧରେ ତଥ୍ୟ ଭିତ୍ତିକ ସମୀକ୍ଷା କରିଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶମତେ ତଥ୍ୟ ଉପସ୍ଥାପନ କରିଥିଲେ।

ଧାମନଗର ବ୍ଲକର କୋଠାରସ୍ଥିତ ମା ଶରଦା ଦେବୀ ମହିଳା ସ୍ୱୟଂ ସହାୟିକାଙ୍କ ଦ୍ୱାରା ଧାନ କ୍ରୟ କେନ୍ଦ୍ର ଓ ଚାନ୍ଦବାଲି ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟ କୋଇଲେଖା ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଗସ୍ତକରି ଅଧ୍ୟକ୍ଷ ଶ୍ରୀଯୁକ୍ତ ମେର୍କାପ୍ ସ୍ଥିତାବସ୍ଥା ତଦାରଖ କରିଥିଲେ। ସମୀକ୍ଷା ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦ୍ରୀୟ ଏନ୍‌.ଏସ୍‌.ପି ଯୋଜନାରେ ୫୨, ୪୬୯ ଓ ମଧୁବାବୁ ପେନ୍‌ସନ୍ ଯୋଜନାରେ ୮୯୦୦୧ ସମୁଦାୟ ୧, ୪୧, ୪୭୦ ଜଣ ଭତ୍ତା ପାଉଥିବା ସୂଚନା ଦିଆଯାଇଥିଲା। ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୪୫୬ ଜଣ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିଭଳି ଡ଼ି.ଏସ୍‌.ଡ଼ବ୍ଲ୍ୟ.ଓ ଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଜିଲ୍ଲାରେ ଥିବା ସମୁଦାୟ ୨୪୩୫ ଅଙ୍ଗନବାଡ଼ି ମଧ୍ୟରୁ ୧୩୭୫ଟି ନିଜସ୍ୱ କେଠାରେ କାର୍ଯ୍ୟକାରୀ ହେଉଛି ଏବଂ ୨୩୫୭ଟି ଅଙ୍ଗନବାଡ଼ୀରେ କିଚେନ୍ କିମ୍ବା ନ୍ୟୁଟ୍ରି ଗାର୍ଡ଼େନ ଅଛି। ଆଇ.ସି.ଡ଼ି.ଏସ୍‌. ବିଭାଗ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଶିଶୁମାନଙ୍କୁ ନିୟମିତ ପରୀକ୍ଷା କରାଯାଇ ଅପପୁଷ୍ଟି ଶିଶୁମାନଙ୍କ ଏନ୍‌.ଆର୍‌.ସି.କୁ ରେଫର୍ କରାଯାଉଛି। ସେହିପରି ମଧ୍ୟାହ୍ନ ଭୋଜନ ଯୋଜନାରେ ଜିଲ୍ଲାରେ ୭ଟି ବ୍ଲକ୍ ଓ ୨ଟି ମ୍ୟୁନିସିପାଲିଟିର ସମୁଦାୟ ୧୬୭୪ଟି ସ୍କୁଲର ୧, ୭୧, ୦୩୭ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଛି। ୧-୧୦-୨୨ ରୁ ପ୍ରଥମରୁ ୫ମ ପିଲାଙ୍କ ପାଇଁ ଟ. ୫.୯୦ପ ଓ ଅପର ପ୍ରାଇମେରୀ ୬ଷ୍ଠ ରୁ ୮ ପିଲାଙ୍କ ପାଇଁ ଟ. ୮.୮୨ପ ମଧ୍ୟାହ୍ନ ଭୋଜନ ବାବଦ ବ୍ୟୟ କରାଯାଉଛି। ଯୋଗାଣ ବିଭାଗ ଦ୍ୱାରା ୧୬-୧୧-୨୨ ସୁଦ୍ଧା ୩, ୨୭, ୦୩୦ ରେସନ୍‌କାର୍ଡ଼ ଜରିଆରେ ୧୧, ୩୭, ୦୯୨ ଲୋକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟି ସାମଗ୍ରୀ ଯୋଗାଇ ଦିଆଯାଉଥିବାର ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା।