Odiapua.com

ଖାଉଟିଙ୍କୁ ଘାରିଛି ଆଳୁ ଚିନ୍ତା, କିଲୋ ପ୍ରତି ୬୦ଟଙ୍କାରେ ବିକ୍ରି ହେଉଛି ଆଳୁ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତିହିଡି ବଜାରରେ ଏବେ ଆଳୁ ଖାଉଟିମାନଙ୍କ ପାଇଁ ସାତ ସପନ ହୋଇଛି । ଆଳୁ କିଲେ ପାଇଁ ଖାଉଟିମାନେ ବାର ଦୋକାନ ବୁଲୁଛନ୍ତି । ଯେଉଁଥିପାଇଁ ଖାଉଟିମାନଙ୍କୁ ଏବେ ଆଳୁ ଚିନ୍ତା ଘାରିଛି । କେତେକ ଦୋକାନୀ ଆଳୁ କିଲୋପ୍ରତି ଚୋରାରେ ୬୦ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ସରକାରୀ ଭାବେ ଆଳୁ କିଲୋ ପ୍ରତି ୩୨ଟଙ୍କାରେ ଖାଉଟିଙ୍କୁ ବିକ୍ରି କରିବା ଜାଗାରେ କେତେକ ଦୋକାନୀ ଆଳୁ ମନ ଇଚ୍ଛା ୬୦ଟଙ୍କାରେ ବିକି ଖାଉଟିମାନଙ୍କୁ ଶୋଷଣ କରୁଛନ୍ତି । ଗତ ୩ଦିନ ହେବ ବଜାରରେ ଆଳୁର ଅଭାବ ଦେଖା ଦେଇଛି । ଯାହାଫଳରେ ଖାଉଟି ଆଳୁ କ୍ରୟ କରିବା ପାଇଁ ଅସୁବିଧାରେ ପଡ଼ୁଛି । ଯେଉଁ କେତୋଟି ଦୋକାନୀ ଆଳୁ କିଛି ରଖିଛନ୍ତି ସେମାନେ ୬୦ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି । ଆଳୁ ଲୋକମାନଙ୍କ ପାଇଁ ଏକ ଅତ୍ୟାବଶ୍ୟକ ହୋଇଥିବା ବେଳେ ଆଳୁର ଅଭାବ ଲୋକମାନଙ୍କ ପାଇଁ ସଂକଟ ସୃଷ୍ଟି କରିଛି । ଦୀନମଜୁରିଆଟିଏ ମୂଲ ଲାଗି ୪ଶହ ଟଙ୍କା ପାଉଥିବା ବେଳେ କେବଳ ଆଳୁ କିଲେ କିଣିବାରେ ଯଦି ୬୦ଟଙ୍କା ଖର୍ଚ୍ଚ କରେ ଆଉ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ସେ ସମସ୍ୟାରେ ପଡ଼ୁଛି । କେବଳ ତିହିଡ଼ି ମୁଖ୍ୟ ବଜାର ସମେତ ପୀରହାଟ, ଦୋଳସାହି, ନନ୍ଦପୁର, ଗଦି, ବିନ୍ଧା, କମାରିଆ, କୋହ୍ଲ, ଆରୁହା, ଅଲୀନଗର ଇତ୍ୟାଦି ଛକ ମାନଙ୍କରେ ଥିବା ଦୋକାନୀମାନେ ମଧ୍ୟ ଆଳୁ ଚଢ଼ା ଦରରେ ବିକ୍ରି କରୁଥିବା ବେଳେ ଗାଁ ଗହଳିରେ ଥିବା ଦେକାନୀମାନେ ମନଇଚ୍ଛା ଦରରେ ବିକ୍ରି କରୁଥିବା ଜଣାଯାଇଛି ।