Odiapua.com

ଖାଇବା ଥାଳି ପାଖରୁ ଉଠାଇ ନେଇ ଯୁବକଙ୍କୁ ଥାନା ହାଜତରେ ମାଡ, ନ୍ୟାୟ ପାଇଁ ମା’ ଏସ୍‌ପିଙ୍କ ଦ୍ୱାରସ୍ଥ

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଗରପଡା ଥାନା ପୁଲିସ୍ ଜଣେ ହରିଜନ ଯୁବକଙ୍କୁ ମିଥ୍ୟା କେଶ୍‌ରେ ଜଡିତ କରାଇ ରାତିରେ ଘରୁ ଖାଇବା ଥାଳି ପାଖରୁ ଉଠାଇନେଇ ହାଜତରେ ଅମାନୁଷିକ ଭାବେ ମାଡ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ଆଜି ପରିବାର ଲୋକେ ନ୍ୟାୟ ପାଇଁ ଭଦ୍ରକ ଏସ୍‌ପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସୁରକ୍ଷା ଲୋଡିଛନ୍ତି । ଆଗରପଡା ଥାନା ଅଧୀନସ୍ଥ ଯଶୋବନ୍ତପୁର ଗ୍ରାମର ଧନେଶ୍ୱର ଯେନାଙ୍କ ପତ୍ନୀ ପୂର୍ଣ୍ଣିମାଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ସ୍ଥାନୀୟ ଅଂଚଳର ତାପସ ଯେନା, ଅନାମ ଯେନା, ଗୌରା ଯେନା ଓ କାହ୍‌ୁନଆ ଯେନା ପ୍ରମୁଖଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଗରପଡା ଥାନାଧିକାରିଣୀ ସୁକାନ୍ତି କେରେଇ ଏକ ମିଥ୍ୟା ଚୋରି ମାମଲାରେ ତାଙ୍କ ପୁତ୍ର ଜୟନ୍ତକୁ ୧୬ ତାରିଖ ସକାଳ ୧୦ ଟାରୁ ଡକାଇ ନେଇ ରାତି ୧୧ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖି ବଳପୂର୍ବକ ସେ ଚୋରି କରିଛି ବୋଲି ମାନିଯିବାକୁ ପ୍ରବର୍ତ୍ତାଇ ଥିଲେ । ପରେ କେତେକ ସାମାଜିକ କର୍ମୀଙ୍କ ଦ୍ୱାରା ଜୟନ୍ତ ମୁକ୍ତ ହୋଇଥିଲେ । ମାତ୍ର ଏ ଘଟଣା ଘଟିବାର ତିନିଦିନ ପରେ ଗତ ୧୯ ତାରିଖ ଦିନ ରାତି ପ୍ରାୟ ୯ଟାରେ ଜୟନ୍ତ ଘରେ ଖାଇ ବସିଥିବାବେଳେ ଏଏସ୍‌ଆଇ ରାମେଶ୍ୱର ସୋରେନ, ପଙ୍କଜିନି ସାହୁ ଓ ତ୍ରିନାଥ ଭୋଇ ସେଠାରେ ପହଞ୍ôଚ ମାଡ ମାରି ଘୋଷାଡି ନେଇ ଗାଡିରେ ଥାନାକୁ ନେବାପରେ ସଂପୃକ୍ତ ଯୁବକଙ୍କ ଉପସ୍ଥିତିରେ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ ଏବଂ କନେଷ୍ଟବଳ ବୃହସ୍ପତି ସେଠୀ ଗତକାଲି ଆମକୁ ଫୋନ୍ ଯୋଗେ ଧମକାଇ ଭୟଭୀତ କରାଇଥିଲେ । ଏ ସଂପର୍କରେ ପୂର୍ଣ୍ଣିମା ଥାନାଧିକାରିଣୀଙ୍କୁ ବହୁବାର ଜଣାଇଥିଲେ ବି ସେ ନୀରବ ରହିଥିଲେ । ଏଣୁ ସଂପୃକ୍ତ ଯୁବକ ଓ ଥାନା ପୁଲିସ୍‌ଙ୍କ ଦ୍ୱାରା ଧମକ ତଥା ନିର୍ଯ୍ୟାତନା ପାଉଥିବା ଏହି ଦିନ ମଜୁରିଆ ପରିବାର ଏବେ ନିଜକୁ ଅସୁରକ୍ଷିତ ମଣି ନ୍ୟାୟ ଆଶାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଶରଣାପନ୍ନ ହୋଇଛନ୍ତି ।