Odiapua.com

ଖରିଫ ଧାନ ସଂଗ୍ରହ କାର୍ଯ୍ୟ ପାଇଁ ଫର୍ମ ବଣ୍ଟନ ଓ ପଂଜିକରଣ ପ୍ରକ୍ରିୟା ଆରମ୍ଭ

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆସନ୍ତା ତା ୧.୧୧.୨୩ ରିଖରୁ ତା ୩୧.୦୩.୨୦୨୪ ରିଖ ମଧ୍ୟରେ ପରିଚାଳିତ ହେବ । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଗତ ୧୫ ତାରିଖରୁ ଫର୍ମ ବଣ୍ଟନ କାର୍ଯ୍ୟ ସହ ଚାଷୀ ପଂଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲା ପ୍ରଶାସନ ପକ୍ଷରୁ ଚାଷୀ ପଂଜିକରଣ କାର୍ଯ୍ୟ ପାଇଁ ୭ଟି ବ୍ଲକ୍‌ରେ ଧାନସଂଗ୍ରହ କାର୍ଯ୍ୟରେ ସଂପୃକ୍ତି ଥିବା ପ୍ରାଥମିକ କୃଷି ସେବା ସମବାୟ ସମିତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ପାଣି ପଂଚାୟତର ସଂପାଦକ ଓ କର୍ମକର୍ତ୍ତାମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟ ଶେଷ ହୋଇଛି । ତାଲିମ ଦେବା ନିମନ୍ତେ ମାଷ୍ଟର ଟ୍ରେନର ଭାବେ ଦୁଇଟି ଟିମ୍ ଗଠନ କରାଯାଇଥିଲା । ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଭଦ୍ରକ ମଣ୍ଡଳର ଏଆରସିଏସ୍ ପ୍ରାଚିତା ଜେନା, ଏସ୍‌ଏଆରସିଏସ୍ ସତ୍ୟପ୍ରକାଶ ସେଠୀ, ଆଡିସ୍‌ନାଲ ସିଏସ୍‌ଓ ଚନ୍ଦ୍ରଶେଖର ପାତ୍ର ଙ୍କୁ ନେଇ ଗୋଟିଏ ଟିମ୍ ଗଠନ କରାଯାଇଥିବାବେଳେ ଅନ୍ୟଟି ସିଏସ୍‌ଓ ଲିଙ୍ଗରାଜ ବେହେରା, ଏସ୍‌ସିଏସ୍‌ଓ ଶରତ କୁମାର ବେହେରା ଓ ଏସ୍‌ଏଆରସିଏସ୍ ଶକ୍ତଧର କାଣ୍ଡିଙ୍କୁ ନେଇ ଗଠିତ । ଏଆରସିଏସ୍‌ଙ୍କ ଟିମ୍ ପକ୍ଷରୁ ଭଣ୍ଡାରିପୋଖରୀ, ବନ୍ତ, ଭଦ୍ରକ, ଧାମନଗର ବ୍ଲକ୍‌ରେ ପ୍ରଶିକ୍ଷଣ ଶିବିରମାନ ଅନୁଷ୍ଠିତ କରାଯାଇ ତାଲିମ୍ ଦିଆଯାଇଥିବାବେଳେ ଯୋଗାଣ ବିଭାଗର ସିଏସ୍‌ଓଙ୍କ ନେତୃତ୍ୱରେ ଗଠିତ ଟିମ୍ ଚାନ୍ଦବାଲି, ତିହିଡି, ବାସୁଦେବପୁରରେ ତାଲିମ ପ୍ରଦାନ କରାଯାଇଛି ।

ଫସଲ ଅମଳକୁ ଦୃଷ୍ଟିରେ ରଖି ଖରିଫ ଧାନ କ୍ରୟ କାର୍ଯ୍ୟ ସଂପାଦନ ସକାଶେ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସେବା ସମବାୟ ସମିତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପାଣି ପଂଚାୟତରେ ପଂଜିକରଣ କରିବେ । ଏହି ପଂଜିକରଣ ପ୍ରକ୍ରିୟା ୧୫ ଜୁଲାଇରୁ ଆରମ୍ଭ ହୋଇଛି । ଚଳିତବର୍ଷ ନବୀକରଣ ପଦ୍ଧତି ଉଚ୍ଛେଦ କରାଯାଇଛି । ଆଗ୍ରହୀ ଚାଷୀମାନେ ନିକଟସ୍ଥ ସମିତିରୁ ଗୋଟିଏ ନୂଆ ପଂଜିକରଣ ଫର୍ମ ମାଗଣାରେ ସଂଗ୍ରହ କରି ୧୫ ଜୁଲାଇରୁ ୧୬ ଅଗଷ୍ଟ ମଧ୍ୟରେ ସମିତି କାର୍ଯ୍ୟାଳୟରେ ଆବେଦନ କରିବେ । ନୂଆ ଫର୍ମରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ସହ ଚାଷ ହେଉଥିବା ଜମିର ସମସ୍ତ ତଥ୍ୟ ପ୍ରଦାନ କରିବେ । ରେଜିଷ୍ଟ୍ରେସନ ଫର୍ମ ବଣ୍ଟନ କାର୍ଯ୍ୟ ୧୫ ଜୁଲାଇରୁ ୩୧ ଜୁଲାଇ ମଧ୍ୟରେ ଶେଷ ହେବ । ଫର୍ମ ପୂରଣ କରି ତା ୧୫.୦୭.୨୩ ରିଖରୁ ତା ୧୬.୦୮.୨୩ ରିଖ ମଧ୍ୟରେ ସମିତିରେ ଦାଖଲ କରିବେ । ଫର୍ମଗୁଡିକର ଡିଜିଟାଲଜାଇସେନ୍ ତା ୧୮.୦୭.୨୩ ରିଖ ରୁ ତା ୨୨.୦୮.୨୩ ରିଖରେ ସଂପନ୍ନ ହେବ । ଯାଞ୍ଚ ରିପୋର୍ଟ ୨୪.୭.୨୩ ରୁ ୭.୯.୨୩ ରିଖ ସୁଦ୍ଧା ଦାଖଲ କରାଯିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ଏହାବ୍ୟତୀତ ଅପଟୁଡେଟ୍ ଭେରିଫାଏଡ୍ ରିପୋର୍ଟ ୨୪.୭.୨୩ ରିଖରୁ ୧୫.୯.୨୩ ରିଖରେ ଶେଷ ହେବ । ଭେଲିଡେସନ ଅଫ୍ ଡାଟା ଅପଡେଟଡ୍ ବାଇ ସୋସାଇଟି ୨୪.୭.୨୩ ରୁ ୧୮.୯.୨୩ ରିଖରେ ସରିବ । ଚୂଡାନ୍ତ ପଂଜିକୃତ ଚାଷୀମାନଙ୍କ ତାଲିକା (ମାଷ୍ଟର ଲିଷ୍ଟ) ୩୦.୦୯.୨୩ ରିଖ ସୁଦ୍ଧା ସାରିବାକୁ ସରକାରୀ ନିର୍ଦ୍ଦେଶ ରହିଛି ।