ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖରିଫ ୨୦୨୨-୨୩ ବର୍ଷ ପାଇଁ ସରକାରୀ ଦରରେ ଧାନକିଣା ପାଇଁ ଜୁଲାଇ ୧୫ ତାରିଖରୁ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସଂପୃକ୍ତ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆର.ଏମ୍.ସି. ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତିହିଡ଼ି, ଚାନ୍ଦବାଲି, ଭଦ୍ରକ, ବାସୁଦେବପୁର ବ୍ଲକ ର ପ୍ରଶିକ୍ଷାର୍ଥୀମାନେ ତାଲିମ ଗ୍ରହଣ କରିଛନ୍ତି । ୧୪ ତାରିଖ ଦିନ ଅନ୍ୟ ସମସ୍ତ ବ୍ଲକ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଦତ୍ତ ସୂଚନା ଅନୁଯାୟୀ ଚାଷୀମାନେ ପାକ୍ସ୍, ସଂପୃକ୍ତ ଏସ୍.ଏଚ୍.ଜି. ମାନଙ୍କ ଠାରୁ ମାଗଣାରେ ଫର୍ମ ନେଇ ଯଥା ବିଧି ପୂରଣ କରି ୧୫.୭.୨୨ରୁ ୧୫.୮.୨୨ରିଖ ମଧ୍ୟରେ ଦାଖଲ କରିବେ । ଧାନ କିଣା ଯିବାକୁ ଥିବା ଡ଼ିସେମ୍ବର, ଜାନୁୟାରୀ, ଫେବୃୟାରୀ ମାସର କେଉଁ ପକ୍ଷରେ ଚାଷୀ ଧାନ ବିକିବାକୁ ଚାହାନ୍ତି ତାହା ମଧ୍ୟ ଉଦ୍ଦିଷ୍ଟ ଫର୍ମରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀ ଦ୍ୱାରା ପ୍ରଦତ୍ତ ଜମିକୁ ରାଜସ୍ୱ, କୃଷି ସମବାୟ ବିଭାଗ ଦ୍ୱାରା ଯୁଗ୍ମ ତଦନ୍ତ କରାଯିବା ପରେ ସରକାରଙ୍କ ତରଫରୁ ସାଟେଲାଇଟ୍ ସର୍ଭେ କରାଯାଇ ପଞ୍ଜିକୃତ କେଉଁ ଜମିରେ ଧାନ ଚାଷ ହୋଇଛି ସୁନିଶ୍ଚିତ କରାଯିବ । ଜମିର କିସମ ଅଲଗାଥାଇ ଜମି ପଞ୍ଜିକରଣ କରି କିଛି ଅସାଧୁ ବ୍ୟକ୍ତି ଧାନ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା । ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ପଞ୍ଜିକୃତ ଖତିଆନ୍ରେ ଯେଉଁ ପ୍ଲଟରେ ଧାନ ଚାଷ ହୋଇଥିବ ଆବେଦନରେ ନିର୍ଦ୍ଦିଷ୍ଟ ଭାବେ ତାହା ଉଲ୍ଲେଖ କରିବାକୁ ପଡ଼ିବ । ସୂଚନାଯୋଗ୍ୟକି ଧାନ କିଣାରେ ସ୍ୱଚ୍ଛତା ପାଇଁ ପି.ପାସ୍ ଜରିଆରେ ଚାଷୀ ଧାନ ବିକ୍ରି କରିବାକୁ ଥିବା ବେଳେ ଚଳିତ ବର୍ଷ ଏଥିରେ ପଞ୍ଜିକୃତ ମୋବାଇଲ ନମ୍ବର ଓଟିପି ବାଧ୍ୟତାମୂଳକ କରାଯାଇଛି । ଗତବର୍ଷ ଧାବକିଣା କାର୍ଯ୍ୟରେ ନିୟୋଜିତ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ସମ୍ପାଦିକା, ଡ଼ି.ଇ.ଓ. ଏବଂ ପାକସ୍ର ସମ୍ପାଦକ, ଡ଼ି.ଇ.ଓ. ମାନେ ପ୍ରଶିକ୍ଷାର୍ଥୀଭାବେ ଏଥିରେ ତାଲିମ୍ ନେଇଥିଲେ । ଆର୍.ଏମ୍.ସି. ସମ୍ପାଦକ ସଞ୍ଜୟ ଦାସ, ଏ.ଆର୍.ସି.ଏସ୍. ସଦାନନ୍ଦ ବେହେରା, ଏସି.ଏସ୍.ଓ ଶରତ ବେହେରା, କେଦାର ନାୟକ, ଏସ୍.ଏ. ଆର୍.ସି.ଏସ୍. ସତ୍ୟ ପ୍ରକାଶ ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶିକ୍ଷଣ କରିଥିଲେ ।