ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଫତେପୁର ପଂଚାୟତ ଅଧିନ ଚକଓରଡ଼ା ଗ୍ରାମରେ ଖରାଦିନରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ଗ୍ରାମରେ ଥିବା ଏକମାତ୍ର ନଳକୂପ ଗତ କିଛିଦିନ ହେଲା ଅଚଳ ହୋଇପଡ଼ିଛି । ଯାହାଫଳରେ ପାଖ ଗାଁରୁ ପାଣି ଆଣି ଲୋକ ପିଉଛନ୍ତି । ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ସେମାନେ ଗୁରୁବାର ବିଡ଼ିଓଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିବା ସହିତ ତୁରନ୍ତ ଅଚଳ ନଳକୂପ ସଚଳ କରିବାକୁ ଦାବି କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଚକଓରଡ଼ା ଗ୍ରାମରେ ୫ଶହରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଗ୍ରାମର ଲୋକମାନଙ୍କ ଚଳିବା ପାଇଁ ଗୋଟିଏ ନଳକୂପ ଅଛି।ସେହି ନଳକୂପ ଉପରେ ଲୋକମାନେ ନିର୍ଭରକରି ଚଳିଥାନ୍ତି।ତେବେ ଗ୍ରାମରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ପଡ଼ିଛି । ଯାହାଫଳରେ ପାନୀୟ ଜଳ ପାଇଁ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେମାନେ ନିରୁପାୟ ହୋଇ ପାଖ ଗାଁରୁ ପାଣି ଆଣି ପିଇବା ସହିତ ବ୍ୟବହାର କରୁଛନ୍ତି । ଏବେ ଖରା ଓ ଗୁଳୁଗୁଳି ହେଉଥିବାରୁ ଦୂରକୁ ଯାଇ ପାଣି ଆଣିବା କଷ୍ଟସାଧ୍ୟ ହୋଇଛି । ଗ୍ରାମର ଶଙ୍କର୍ଷଣ ବେହେରା, ରାଜେନ୍ଦ୍ର ସାହୁ, ରବିନ୍ଦ୍ର ବେହେରା, ନନ୍ଦିଘୋଷ ବେହେରା, ମାନସ ବେହେରା, ରୁଦ୍ର ବେହେରା, ବାପି ବେହେରା ପ୍ରମୁଖ ବିଡ଼ିଓଙ୍କୁ ଜଣାଇବା ସହିତ ତୁରନ୍ତ ନଳକୂପ ମରାମତି କରିବାକୁ ଦାବି କରିଛନ୍ତି।ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ମାନସୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ନଳକୂପ ଅଚଳ ହେବା ନେଇ ସେ ଅବଗତ ନାହାଁନ୍ତି। ତେବେ ତୁରନ୍ତ କ୍ଷେତ୍ରୀୟ ଅନୁଧ୍ୟାନ କରାଯାଇ ନଳକୂପ ସଜାଡ଼ିବା ଦିଗରେ ପଦକ୍ଷେପ ନିଆଯିବ।