Odiapua.com

ଖବର ପ୍ରକାଶ ପରେ ରେବନଦୀରେ ପଥର ପ୍ୟାକିଂ ଆରମ୍ଭ

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ରେବ ନଦୀ ଗର୍ଭରେ ଲୀନ ହେବ ଓରାଳି ଓ ହଟନଗର ଗାଁ-ମାପଚୁପରେ ବ୍ୟସ୍ତ ଅଧିକାରୀ, ପ୍ରତିକାର ନାହିଁ’ ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଦୁଇଦିନ ହେଲା ପଥର ପ୍ୟାକିଂ ଆରମ୍ଭ ହୋଇଛି । ଓରାଳି ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହିଠାରେ ଗ୍ରାମର ପ୍ରଭାତ ରାଉତଙ୍କର ଏକ କୋଠାଘର ନଦୀରେ ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଏହି କାର୍ଯ୍ୟ କେତେ ଟଙ୍କାର ଓ କିଏ କରୁଛି ସେ ନେଇ କୌଣସି ସୂଚନା ଫଳକ ସେଠାରେ ଦିଆଯାଇନାହିଁ । କାର୍ଯ୍ୟସ୍ଥଳରେ ଉପସ୍ଥିତ ଜନୈକ ବ୍ୟକ୍ତି କୌଣସି ତଥ୍ୟ ଦେଇ ପାରିନଥିବା ବେଳେ ଯାଜପୁର ଇିରିଗେସନ ଡିପାର୍ଟମେଣ୍ଟ ଏହି କାର୍ଯ୍ୟ କରୁଛି ଓ ସେମାନେ ସବୁ ତଥ୍ୟ ଦେଇପାରିବେ ବୋଲି ଅନ୍ୟ ଜଣେ ବ୍ୟକ୍ତି ଆମ ପ୍ରତିନିଧିଙ୍କୁ ଫୋନରେ ସୂଚନା ଦେଇଛନ୍ତି । ତେବେ ଖବର ପ୍ରକାଶ ପାଇବା ପରେ ପରେ ବିଭାଗୀୟ ଅଧିକାରୀମାନେ ଯେଉଁପରି ତତ୍ପରତା ଦେଖାଇଛନ୍ତି ତାହା ସ୍ୱାଗତଯୋଗ୍ୟ ହୋଇଥିଲେ ହେଁ ସ୍ଥାନୀୟ ଅଧିବାସୀଙ୍କ ସୂଚନା ପାଇଁ ସେଠାରେ କୌଣସି ସୂଚନା ଫଳକ ଦିଆନଯିବା କେତେଦୂର ଯଥାର୍ଥ ବୋଲି ସ୍ଥାନୀୟ ଅଞ୍ଚଳର ଯୁବନେତା ଜୟପ୍ରକାଶ ମଲିକ ପ୍ରଶ୍ନ କରିଛନ୍ତି । ମିଳିଥିବା ଅଭିଯୋଗ ଅନୁଯାୟୀ ନଦୀ ଯେଉଁ କୂଳ ଖାଉଛି ତାହାର ମୂଳ କାରଣର ସମାଧାନ କରିବା ସହ ପଥର ପ୍ୟାକିଂ କରିବାର ଆବଶ୍ୟକତା ଥିଲା ବୋଲି ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ ମତ ପ୍ରକାଶ କରିଛନ୍ତି । ଏବେ ଯେଉଁ କାମ ହେଉଛି ତାହା ଦୀର୍ଘସ୍ଥାୟୀ ହୋଇନପାରେ ବୋଲି ମଧ୍ୟ କେତେକ ଗ୍ରାମବାସୀ କହିଛନ୍ତି । ରେବନଦୀର ଶାଖା କମାରଝୋରାର ସଂସ୍କାର ସଠିକ ଭାବେ ହୋଇପାରିନଥିବାରୁ ରେବ ନଦୀର ଗତିପଥ ବଦଳୁଥିବା କହିଛନ୍ତି ସ୍ଥାନୀୟ ଗ୍ରାମବାସୀ । କମାରଝୋର ସଂସ୍କାରର ଆବଶ୍ୟକତା ରହିଛି ଓ ଏହି କାର୍ଯ୍ୟ ତୁରନ୍ତ କରାଯାଉ ବୋଲି ଦାବି କରାଯାଇଛି । ସୂଚନା ଯୋଗ୍ୟ, ରେବ ନଦୀ ସଂପ୍ରତି କୂଳ ଖାଉଥିବାରୁ ଓରାଳି ଓ ହଟନଗର ଗ୍ରାମର ୫୦ ପରିବାର ଏବେ ଭୟ ଭିତରେ ରହୁଛନ୍ତି । ବହୁ ଅନୁରୋଧ କଲା ପରେ ବି କୌଣସି ପ୍ରତିକାର ହେଉନଥିଲା । ନଦୀ ପାଶ୍ୱର୍ରେ ଯାଇଥିବା ବୋଡ଼କ-ଓରାଳି ପ୍ରଧାନମନ୍ତ୍ରୀ ସଡ଼କର କିଛି ଅଂଶ ନଦୀରେ ମିଶି ସାରିଲାଣି । ନଦୀ କୂଳ ଖାଇବା ଫଳରେ କେତେକ ସ୍ଥାନରେ ରାସ୍ତା ମଧ୍ୟ ଦବି ଯାଉଛି । ରାସ୍ତା ସହ ଏହି ଗ୍ରାମର କିଛି ଘର ନଦୀରେ ମିଶିବା ପରେ ପରେ କେତେକ ପରିବାର ନିଜର ଭିଟାମାଟି ହରାଇସାରିଛନ୍ତି । ଲୋକଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜୟପ୍ରକାଶ ମଲିକ, ଆଲୋକ କୁମାର ମଲିକ, ଦୈତାରୀ ମଲିକ, ନବଘନ ରାଉତ, ମଧୁସୂଦନ ମଲିକ, ଅଜୟ ବାରିକ ପ୍ରମୁଖ ଦାବି କରିଥିଲେ ।