Odiapua.com

ଖପୁରିଆପଦାରେ ମା’ ଆଦ୍ୟକାଳୀ ପୂଜା

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ଅନ୍ତର୍ଗତ ବୈତରଣୀ ନଦୀକୂଳ ଖପୁରିଆପଦାରେ ମା’ ଆଦ୍ୟକାଳୀଙ୍କ ୧୫୭ତମ ପୂଜାତ୍ସୋବ ଚଳିତ ବର୍ଷ ଅନୁଷ୍ଠିତ ହେଉଛି। ସମ୍ପୁର୍ଣ୍ଣ କଳାରଙ୍ଗ ସହ ଗଢ଼ଣ, ସ୍ୱରୂପ ଓ ଆୟୁଧ ମା’ଙ୍କର ଥିବାରୁ ତାଙ୍କୁ ଆଦ୍ୟକାଳୀ ଭାବେ ବିବେଚନା କରାଯାଇଥାଏ ବୋଲି ପୂଜକ ପ୍ରଶାନ୍ତ ନନ୍ଦ କହନ୍ତି। ଗ୍ରାମର ଚୌଧୁରୀ ପରିବାର ବୈତରଣୀ ନଦୀର ବଡ଼ଶଙ୍ଖନାଳ କୂଳରେ ଅବସ୍ଥିତ ଖପୁରିଆପଦାକୁ ଆଣି ପୂଜା ଆରମ୍ଭ କରିଥିଲେ ପ୍ରାୟ ୧୫୭ବର୍ଷ ପୂର୍ବେ। ଦେବୀଙ୍କ ଯନ୍ତ୍ର ଚୌଧୁରୀ ପରିବାର ଦ୍ୱାରା ଦୈନିକ ପୂଜା ପାଆନ୍ତି। କାଳୀ ପୂଜାରେ ଛିନ୍ନମୁଣ୍ଡ, ନରଦେହ, ଖଡ୍ଗ ଖର୍ପର ଧାରିଣୀ କଳା ରଙ୍ଗର ମୃଣ୍ମୟୀ ମୂର୍ତ୍ତୀ କାରିଗର ନିର୍ମାଣ କରିଥାଏ। ମାତ୍ର ୨୦୧୯ ମସିହାରୁ ମା’ଙ୍କ ମୃଣ୍ମୟ ମୂର୍ତ୍ତି ବଦଳରେ ପଥର ନିର୍ମିତ ମୂର୍ତ୍ତି ନିର୍ମାଣ କରାଯାଇ ପ୍ରତିଷ୍ଠା କରାଯାଇ ପରମ୍ପରା ମତେ ପୂଜାର୍ଚ୍ଚନା କରାଯାଉଛି। କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଚୌଧୁରୀ ବଂଶର ଦାୟାଦ ଭରତ ନନ୍ଦ, ପ୍ରଶାନ୍ତ ନନ୍ଦ ଓ ସତ୍ୟବ୍ରତ ନନ୍ଦ ବୈତରଣୀ ନଦୀରୁ ପବିତ୍ର ଜଳଘଟ ଉତ୍ତୋଳନ କରି ପୂଜା ଆରମ୍ଭ କରିନ୍ତି। ପୂଜକଙ୍କ ଦ୍ୱାରା କାଳୀପୂଜାରେ ଚଣ୍ଡିପୂରାଣ, କାଳୀକା ପୁରାଣ ଓ ତନ୍ତ୍ରଧାରା ଅନୁଯାୟୀ ସ୍ୱତନ୍ତ୍ର ପୂଜା କାର୍ଯ୍ୟ କରାଯାଇଥାଏ। ତିନି ଦିନ ଓ ତିନି ରାତ୍ର ପୂଜା କରାଯିବା ପରେ ଦ୍ୱିତୀୟା ତିଥିରେ ମା’ଙ୍କୁ ବିସର୍ଜ୍ଜନ ଦିଆଯାଇଥାଏ। ଏହି ଗ୍ରାମବାସୀଙ୍କ ବନ୍ଧୁବାନ୍ଧବମାନେ ପୂଜା ସମୟରେ ଏଠାକୁ ଆସିଥା’ନ୍ତି। କାଳୀଙ୍କ ନିକଟରେ ଅପେରା ପ୍ରଦର୍ଶନ ହେବା ଏକ ପରମ୍ପରା ଭାବେ ଚାଲୁ ରହିଛି। ମା’ଙ୍କ ନିକଟରେ କଖାରୁ ବଳି ଦିଆଯାଉଛି।