Odiapua.com

ଖଣି ପାଇଁ ବହୁ ରାଷ୍ଟ୍ରୀୟ ଶିଳ୍ପ ପତିଙ୍କ ଖଣି ଅଞ୍ଚଳରେ ଡେରା

ାା ଯୋଡା, ୨୬/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ୨୦୨୦ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଖଣି ଲିଜ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଏହାର ପୁନଃ ନିଲାମ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଅକ୍ଟୋବର ୪ ତାରିଖରେ ୧୦ଟି ଖଣି, ଅକ୍ଟୋବର ୧୪ ତାରିଖରେ ୧୦ଟି ଖଣି ଏବଂ ଅକ୍ଟୋବର ୧୮ ତାରିଖରେ ୯ଟି ଖଣିର ନିଲାମ ତିନୋଟି ପର୍ଯ୍ୟାୟରେ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପ୍ରଥମ ବିଜ୍ଞପ୍ତିର ନଭେମ୍ବର ୧୮, ଦ୍ୱିତୀୟ ବିଜ୍ଞପ୍ତିର ୨୮ ନଭେମ୍ବର ଓ ତୃତୀୟ ବିଜ୍ଞପ୍ତିର ୪ ଡିସେମ୍ବର କୁ ଟେଣ୍ଡର ପ୍ରକ୍ରିୟାର ଅନ୍ତିମ ଦିବସ ଧାର୍ଯ୍ୟ କରାଯାଇଛି । ତେଣୁ ବହୁ ରାଷ୍ଟ୍ରୀୟ ଶିଳ୍ପ ସଂସ୍ଥାଙ୍କ ପ୍ରତିନିଧିମାନେ ଯୋଡା, ବଡବିଲ ଓ କୋଇଡା ଖଣି କ୍ଷେତ୍ରରେ ଡେରା ପକାଇଥିବା ଜାଣିବାକୁ ମିଳିଛି । ବିଭିନ୍ନ ଖଣିର ଖଣିଜ ପଦାର୍ଥର ମାନ, ଗଚ୍ଛିତ ପରିମାଣ, ଲିଜ୍ ପରିସର, ଜଙ୍ଗଲ ଜମି ଇତ୍ୟାଦିର ସରଜମିନ ତଦାରଖ କରିବା ପାଇଁ ଏହି କମ୍ପାନୀମାନେ ଖଣି ଅଞ୍ଚଳକୁ ଛୁଟି ଆସିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଟାଟା ଷ୍ଟିଲ, ବେଦାନ୍ତ, ଜେଏସ୍ଡବ୍ଲୁ, ଜେଏସପିଏଲ୍, ଆଦାନୀ, ମିତଲ, ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ସ୍ପଞ୍ଜ ଲିମିଟେଡ, ଲଏଡ ଷ୍ଟିଲ, ରିଓ ଟିଣ୍ଟୋ, ଜିନ୍ଦଲ ଷ୍ଟେନଲେସ, ଟିଏସ୍ ଆଲଏଜ୍, ଷ୍ଟେନ କୋର, ଟିଭିଏସ୍ ଗ୍ରୁପ, ରଶ୍ମି ମେଟାଲିକ୍ସଙ୍କ ଭଳି ବୃହତ ବୃହତ ଶିଳ୍ପ ସଂସ୍ଥା । ସେମାନଙ୍କ ସହିତ ପୂର୍ବରୁ ରହିଥିବା ଖଣି ଲିଜ୍ ଧାରିମାନଙ୍କ ମଧ୍ୟରେ ରୁଙ୍ଗଟା, କେଜେଏସ୍ ଆହ୍ଲୁୱାଲିଆ, ଏସେଲ ମାଇନିଙ୍ଗ, ସିରାଜ୍ଜୁଦ୍ଧିନ ଭଳି ଖଣି ସଂସ୍ଥା ମଧ୍ୟ ରହିଛନ୍ତି । ଯୋଡା ଖଣି ମଣ୍ଡଳର କେତେକ ଖଣି ଲିଜ୍ ଧାରୀଙ୍କ ଖଣି ହାତରୁ ଯିବାର ସମ୍ଭାବନା ରହିଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଜୁରୁଡିସ୍ଥିତ କଳିଙ୍ଗ ମାଇନିଙ୍ଗ କର୍ପୋରେସନ, କେ.ଏନ୍. ରାମ, ରୋଇଡା-୨, ଜରିବାହାଲସ୍ଥିତ ପଟ୍ଟନାୟକ ମିନେରାଲ୍ସ ପ୍ରଃ ଲିଃ, ଜୁରୁଡିସ୍ଥିତ ଜିଲିଙ୍ଗ ଲଙ୍ଗାଲୋଟା ଏସେଲ ମାଇନିଙ୍ଗ ଇଣ୍ଡଷ୍ଟି୍ରଜ (ଆଦିତ୍ୟ ବିର୍ଲା), ଜଜାଙ୍ଗସ୍ଥିତ ରୁଙ୍ଗଟା ମାଇନ୍ସ, ରୁଙ୍ଗଟା ସନ୍ସର ସିଲଯୋଡା ଖଣି, ନୁଆଗାଁର କେ.ଜେ. ଏସ୍ ଆହ୍ଲୁୱାଲିଆ, ଠାକୁରାଣୀର କେ.ପି. ଇଣ୍ଟର ପ୍ରାଇଜେସ, ବଳଦାସ୍ଥିତ ସିରାଜ୍ଜୁଦ୍ଧିନ କାଳିମାଟି ଖଣି, ରୁଙ୍ଗଟା ମାଇନ୍ସର ଜଜାଙ୍ଗ ଆଇରନ ୱର ବ୍ଲକ, ନଦିଡିହି ଆଇରନ ୱର ବ୍ଲକ (ବିଆଇକୋ), ବଳଦା ଆଇରନ ୱର ବ୍ଲକ । ଅନ୍ୟ ୨ଟି ନୂତନ ଖଣି ଉଚ୍ଚବାଲି ଆଇରନ ୱର ବ୍ଲକ, କାଳିମାଟି ମାଙ୍ଗାନିଜ୍ ବ୍ଲକ ମଧ୍ୟ ନିଲାମ ପ୍ରକ୍ରିୟାର ଅନ୍ତର୍ଭୁକ୍ତ ରହିଛି । ଖଣି ଗୁଡିକ ମଧ୍ୟରୁ କେ.ପି. ଇଣ୍ଟରପ୍ରାଇଜେସଙ୍କର ଠାକୁରାଣୀ ମାଇନ୍ସ, ଜରିବାହାଲ ପଟ୍ଟନାୟକ ମିନେରାଲ୍ସ, ରଇଡା-୨ର କେ.ଏନ୍. ରାମ, ନାରାୟଣପଶିର ଆରୟାନ ମାଇନିଙ୍ଗ ଏଣ୍ଡ ଟ୍ରେଡିଙ୍ଗ କର୍ପୋରେସନ ଏବଂ ଗଣୁଆର ପି.କେ. ଆହ୍ଲୁୱାଲିଆ ଏହି ୫ଟି ଖଣି କ୍ୟାପଟିଭ୍ ମାଇନ୍ସ ଭାବେ ସଂରକ୍ଷିତ ରଖାଯାଇଛି । ତେଣୁ ଏହି ୫ଟି ଖଣିରେ ଅଧିକ ପରିଣାରେ ଲୁହାପଥର ଗଚ୍ଛିତ ଥିବା ଯୋଗୁଁ ଶିଳ୍ପପତିମାନେ ବିଶେଷ ଭାବେ ଏହି ଖଣି ଗୁଡିକ ଉପରେ ଆଗ୍ରହ ପ୍ରକାଶ କରୁଥିବା ଜାଣିବାକୁ ମିଳିଛି । ଠାକୁରାଣୀ ଖଣିର ପରିସୀମା ୨୨୮.୦୪୦ ହେକ୍ଟର ହୋଇଥିବା ବେଳେ ଏଥିରେ ଗଚ୍ଛିତ ଲୁହାପଥର ପରିମାଣ ୧୮୦ ମିଲିୟନ ଟନ୍, ଜରିବାହାଲ ଆଇରନ ୱର ମାଇନ୍ସର ପରିସୀମା ୧୦୬.୫୩୩ ହେକ୍ଟର ହୋଇଥିବା ବେଳେ ଏହାର ଗଚ୍ଛିତ ଲୁହାପଥର ପରିମାଣ ୮.୧୫୨ ମିଲିୟନ୍ ଟନ୍ ରହିଛି । ରଇଡା-୨ ଲୌହ ଖଣିର ପରିସୀମା ୭୪.୮୬୭ ଥିବା ବେଳେ ଏଥିରେ ଗଚ୍ଛିତ ଲୁହାପଥର ପରିମାଣ ୨୯.୩୮୭ ମିଲିୟନ୍ ଟନ୍ ବୋଲି ଜଣାପଡିଛି । ସେହିପରି ନାରାୟଣପୋଷି ଲୌହ ମାଙ୍ଗାନିଜ୍ ଖଣିର ପରିମାଣ ୩୪୯.୨୫୪ ହେକ୍ଟର ହୋଇଥିବା ବେଳେ ଏଥିରେ ଗଚ୍ଛିତ ଲୌହ ପଥରର ପରିମାଣ ୧୯୦.୬ ମିଲିୟନ୍ ଟନ୍ ଏବଂ ମାଙ୍ଗାନିଜର ପରିମାଣ ୦.୪୮୬ ମିଲିୟନ୍ ଟନ୍ ବୋଲି ଜପଣାଡିଛି । ସେହିପରି ଗଣୁଆଁ ଆଇରନ୍ ୱ୍ର ମାଇନ୍ସର ପରିସୀମା ୪୬.୮୮୬ ହେକ୍ଟର ହୋଇଥିବା ବେଳେ ଏଥିରେ ଗଚ୍ଛିତ ଲୁହାପଥରର ପରିମାଣ ୧୧୯.୨୦୩ ମିଲିୟନ୍ ଟନ୍ ବୋଲି ଜଣାପଡିଛି । ବିଭିନ୍ନ ଖଣିରେ ଆକଳନ କରାଯାଇଥିବା ଗଚ୍ଛିତ ଲୁହାପଥର ପରିମାଣ ବାସ୍ତବ କ୍ଷେତ୍ରରେ ଏହାଠାରୁ ଢେର ଅଧିକ ହେବ ବୋଲି ଅଭିଯୋଗ ହେଉଥିବା ବେଳେ ଯୋଡା, ବଡବିଲ ଓ କୋଇଡା ଖଣି କ୍ଷେତ୍ରରେ ସର୍ବାଧିକ ଲୁହାପଥର ଗଚ୍ଛିତ ଥିବା ଖଣି ଗୁଡିକ ମଧ୍ୟରେ କେଜେଏସ୍ ଆହ୍ଲୁୱାଲିଆଙ୍କ ନୁଆଗାଁସ୍ଥିତ ଲୌହ ପଥର ଖଣି, ଯାହାର ପରିସୀମା ୭୬୭.୨୮୪ ହେକ୍ଟର ଏବଂ ଗଚ୍ଛିତ ଲୌହପଥରର ପରିମାଣ ୭୯୨.୯୩ ମିଲିୟନ୍ ଟନ୍ ହୋଇଥିଲେ ମଧ୍ୟ ଏହାକୁ କ୍ୟାପଟିଭ୍ ଖଣିର ମାନ୍ୟତା ଦିଆଯାଇନଥିବା ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ନୂତନ ଖଣି କାର୍ଯ୍ୟକାରି ହେଲେ ଖଣି ଗୁଡିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନୂତନ ଖଣିରେ ଥଇଥାନ କରାଯିବ ନା ସେମାନଙ୍କୁ ଛଟେଇ କରାଯିବ, ଏ ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ସରକାର କୌଣସି ସ୍ପଟି କରଣ ଦେଇନଥିବା ଯୋଗୁଁ କର୍ମଚାରୀ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ଏହି ନିଲାମ ପ୍ରକ୍ରିୟାରେ ଏକ ଉଚ୍ଚ ସ୍ଥରୀୟ କମିଟି ଗଠନ କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଏଥିରେ ଷ୍ଟିଲ ଏଣ୍ଡ ମାଇନ୍ସର ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥନୀତିକ ବିଭାଗର ମୁଖ୍ୟ ସଚିବ, ଆଇନ ବିଭାଗର ମୁଖ୍ୟ ସଚିବ, ଡାଇରେକ୍ଟର ଅଫ୍ ମାଇନ୍ସର ପ୍ରତିନିଧି, ଓଏମସି ର ପରିଚାଳନା ନିଦେ୍ର୍ଦଶକ, ଶିଳ୍ପ ବିଭାଗର କମିଶନର କମ୍ ସେକ୍ରେଟାରୀ, ଭୁତତ୍ୱ ବିଭାଗର ନିଦେ୍ର୍ଦଶକ ରହିଥିବା ଜଣାପଡିଛି ।

କେତେକ ଖଣି ଲିଜ୍ ଧାରି ଖଣି କାର୍ଯ୍ୟ ସମ୍ପାଦନରେ ଅସମର୍ଥ ଫଳରେ ଠିକାଦାର ମାଧ୍ୟମରେ ଖଣି ଖନନ, ପରିବହନ ଓ ବିକ୍ରି ବଟା ଆଦି କରିଆସୁଛନ୍ତି । ବାହାର ରାଜ୍ୟର କର୍ମଚାରୀ ନିଯୁକ୍ତି କରି ସ୍ଥାନୀୟ ଲୋକମାନଙ୍କ ମୁହଁରୁ ଆହାର ଛଡାଇନେଇଛନ୍ତି । ଏହା ସହିତ ଯେଉଁ ଖଣି ଲିଜ୍ ଧାରି ଅବୈଧ ଖଣି କାରବାର ଯୋଗୁଁ ଅତିତରେ ଜୋରିମାନା ପୈଠ କରିଛନ୍ତି ସେମାନଙ୍କୁ ପୁନଃର୍ବାର ଖଣି ନିଲାମରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆନଯିବାକୁ ସାଧାରଣରେ ଦାବି ଜୋର ହେଉଛି ।