Odiapua.com

ଖଣି କ୍ଷେତ୍ର ଓ ଉତ୍ପାଦନ ବୃଦ୍ଧି ପାଇଁ ପରିବେଶ ମଞ୍ଜୁରୀ ସମ୍ବନ୍ଧୀୟ ଜନଶୁଣାଣି

ତାଳଚେର, ୨୩/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଅନୁଗୋଳ ଜିଲ୍ଲା ତାଳଚେରଠାରେ ଅବସ୍ଥିତ ମହାନଦୀ କୋଲଫିଲଡସ କମ୍ପାନୀର ବଳରାମ କୋଇଲାଖଣି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନିଜର ଖଣି ଲିଜ୍ କ୍ଷେତ୍ରର ବିସ୍ତାର (୧୩୦୯ ହେକ୍ଟରରୁ୨୫୭୪ ହେକ୍ଟର-ଅତିରିକ୍ତ୧୨୬୫ହେକ୍ଟର) ଏବଂ ନିଜର କୋଇଲା ଉତ୍ପାଦନ କ୍ଷମତା ୮ମିଲିୟନ ଟନରୁ୧୫ ମିଲିୟନ ଟନ୍ କୁ ବୃଦ୍ଧି ପାଇଁ ପରିବେଶ ମଞ୍ଜୁରୀ ସକାଶେ ଆବେଦନ କରିଥିଲେ। ସେହି ଅନୁଯାୟୀ ଆଜି ପୂର୍ବାହ୍ନ ୧୧ ଘଟିକାରେ ଜଗନ୍ନାଥ କଳାକେନ୍ଦ୍ର, ସାଉଥବଲଣ୍ଡା ତାଳଚେର ଠାରେ ଏକ ଜଣଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳର ଆଂଚଳିକ ଅଧିକାରୀ ଡଃ ଅନୁପ କୁମାର ମଲ୍ଲିକ ଏହାର ସଭାପତିତ୍ୱ କରିଥିଲେ। ଏହି ଜଣଶୁଣାଣି କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ତାଳଚେର ଉପ-ଜିଲ୍ଲାପାଳ, ଏମସିଏଲର ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ, ଅନୁଗୋଳ, ତାଳଚେର ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଗଣ ଏବଂ ଏମସିଏଲ ପକ୍ଷରୁ ଅରୁଣ କୁମାର ସ୍ୱର୍ଣ୍ଣକାର, ମହାପ୍ରବନ୍ଧକ ହିଙ୍ଗୁଳା କ୍ଷେତ୍ର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଜଣଶୁଣାଣି କାର୍ଯ୍ୟକ୍ରମରେ ନକେଇପସି, ବ୍ରାହ୍ମଣବାହାଲ, କୋଚିଆନାଳି, ଦାମୋଲ, ପ୍ରଶ୍ନନଗର, ନାଥଗାଁ, ମଝିକା, କଳମଛୁଇଁ, ଡଅଁରା, ନତଡା ବନବାସପୁର, ତେଲିପୁର, ସୋଲଡା ସତ୍ୟବାଦୀପୁର, ଗୋପାଲପ୍ରସା. ଖମାର, ଖୁରିଙ୍ଗା ଏବଂ ବୀରବରପୁର ଆଦି ଗ୍ରାମର ପ୍ରାୟ ୪ଶହ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ। ଏହା ସହିତ କଳମଛୁଇଁ, ଡଅଁରା, ନତଡା, ଗୋପାଳପ୍ରସାଦ ଗ୍ରାମ ପଂଚାୟତର ସରପଂଚ ଏବଂ ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ, ଜୋନ ୧୮ ଏବଂ ଉପରୋକ୍ତ ଗ୍ରାମ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ଆରମ୍ଭରେ ଆଂଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳ ପ୍ରକଳ୍ପ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ମହାପ୍ରବନ୍ଧକ (ଖନନ), ହିଙ୍ଗୁଳା କ୍ଷେତ୍ରଏହି ପ୍ରକଳ୍ପର ମହତ୍ୱ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହା କିପରି ଭାବରେ ରାସ୍ତା, ସ୍କୁଲ, ପାନୀୟ ଜଳ, କୋଠଘର, ବୃକ୍ଷରୋପଣ ଇତ୍ୟାଦିକୁ ବଢାଇବା ସହିତ ଗ୍ରାମବାସୀ ମାନଙ୍କ ପାଇଁ ନିଯୁକ୍ତି କ୍ଷମତା ବଢିବା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଏହି ପ୍ରକଳ୍ପ ଦ୍ୱାରା ସରକାରଙ୍କର ରାଜସ୍ୱ ବୃଦ୍ଧି ହେବା ଅବଗତ କରାଇଥିଲେ। ଜଣଶୁଣାଣିରେ ଗ୍ରାମବାସୀମାନେ ବଳରାମ କୋଇଲାଖଣିର କୋଇଲା ଉତ୍ପାଦନ କ୍ଷମତା ୮ମିଲିୟନ ଟନରୁ୧୫ମିଲିୟନ ଟନ ପାଇଁ ସହମତି ପ୍ରକାଶ କରିଥିଲେ। ଏହାସହିତ ସେମାନେ ପୋଖରୀ ଉନ୍ନୟନ, ରାସ୍ତା ନିର୍ମାଣ, ରାସ୍ତା ଆଲୋକୀକରଣ, ବିଦ୍ୟୁତ ସଂଯୋଗ, ପାନୀୟଜଳ ଯୋଗାଣ, ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଏବଂ ନିଶୁଳ୍କ ଔଷଧ, ଆମ୍ବୁଲାନ୍ସ ସୁବିଧା, ଶିକ୍ଷା ବ୍ୟବସ୍ଥା, ଥଇଥାନ ସମ୍ବନ୍ଧୀୟ ଅସୁବିଧା, ପ୍ରଦୂଷଣ ନିୟନ୍ତ୍ରଣ, ଫଳଦାୟକ ବୃକ୍ଷରୋପଣ ଇତ୍ୟାଦି ଅଭିଯୋଗକୁ ଏମସିଏଲ ଦ୍ୱାରା ସମାଧାନ କରାଯିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ମହାପ୍ରବନ୍ଧକ ହିଙ୍ଗୁଳା କ୍ଷେତ୍ର ଗ୍ରାମବାସୀମାନଙ୍କର ଉପରୋକ୍ତ ଦାବିଗୁଡିକର ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ସହିତ ପରାମର୍ଶ କରି ବିଧିଗତ ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ। ଶେଷରେ ଆଂଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳ, ଜଣଶୁଣାଣୀରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସମାପ୍ତ କରିଥିଲେ।