Odiapua.com

ଖଟିଖିଆଙ୍କୁ ମାଗଣା ଖାଦ୍ୟ, ୬ ମାସ ପାଇଁ ପ୍ରତି ପରିବାରକୁ ଆର୍ôଥକ ସହାୟତା ଦାବିରେ ସିପିଆଇଏମ୍‌ର ବିକ୍ଷୋଭ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇଏମ୍ ପଲିଟି ବ୍ୟୁରୋ ଡାକରାରେ ସାରା ଦେଶରେ ଗତ ୧୭ ତାରିଖ ଠାରୁ ମୋଦି ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦାବି ନେଇ ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ବନ୍ତ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମଗ୍ର ବିଶ୍ୱ କରୋନା ମହାମାରୀ କବଳରେ ରହିଛି । ଭାରତ ବର୍ଷ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଦେଶବାସୀଙ୍କ ଜୀବନ ଓ ଜୀବିକା ସଂକଟମୟ ସ୍ଥିତି ମଧ୍ୟରେ ଗତି କରୁଛି । ଏଭଳି ସମୟରେ କେନ୍ଦ୍ରର ମୋଦି ସରକାର ସଂସଦରେ ଏ ବିଷୟ ଆଲୋଚନା ନ କରି କୃଷିଜାତ ଦ୍ରବ୍ୟ ଡାଲି, ଧାନ, ଆଳୁ, ପିଆଜକୁ ୩ଟି ଅଧ୍ୟାଦେଶ ଜରିଆରେ କର୍ପୋରେଟ କମ୍ପାନୀ ହାତକୁ ଟେକି ଦେଇଛି । ସମସ୍ତ ରାଷ୍ଟ୍ରାୟତ୍ତ ଶିଳ୍ପ ଯଥା ରେଳବାଇ, ବିମାନ ସେବା, ବ୍ୟାଙ୍କ, ଡାକ, ବୀମା, ଖଣିକୁ ଶାଗମାଛ ଦରରେ ଆଦାନୀ, ଅମ୍ବାନୀ ତଥା ବିଦେଶୀ କର୍ପୋରେଟ କମ୍ପାନୀକୁ ଟେକି ଦିଆଯାଉଛି ବୋଲି ବିକ୍ଷୋଭ ଅବସରରେ ଆରୋପ କରାଯାଇଛି । ଦେଶରେ ପେଟ୍ରୋଲ, ଡିଜେଲର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟରେ ସ୍ଥିରତା ଆଣିବା, କରୋନା ମହାମରୀ ଜନିତ ଗରିବ ଖଟିଖିଆ ରିକ୍‌ସା ଚାଳକ, ନିର୍ମାଣ ଶ୍ରମିକ, ପରିବହନ ଶ୍ରମିକ, ବନ୍ଦର ଶ୍ରମିକ, ଟ୍ରଲି ଚାଳକ ଭଳି ପରିବାରକୁ ମାଗଣା ଖାଦ୍ୟ ଯୋଗାଣ ଓ ପ୍ରତି ପରିବାରକୁ ୬ ମାସ ପାଇଁ ମାସିକ ୭୫୦୦ ଟଙ୍କା ଆର୍ôଥକ ସହାୟତା ଯୋଗାଇବାକୁ ବିକ୍ଷୋଭ ସଭାରେ ଦାବି କରାଯାଇଛି । ପାର୍ଟିର ଜିଲ୍ଲା କମିଟି ସମ୍ପାଦକ ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସେକ୍ କାସିମ, ସେକ୍ ମନୱର, ସେକ୍ ସିକ୍‌ରୁ, ଗେଜ ମୁଣ୍ଡା, ମଣ୍ଟୁ ମୁଣ୍ଡା, ସେକ୍ ହାଦିକ, ସନାତନ ଦାସ, ସନ୍ତୋଷ ରାଉତ, ସେକ୍ କମର, ସେକ୍ ଅବଦୁଲ ରହେମାନ, ଜଗନ୍ନାଥ ରାଓ, ରାଜୁ ରାଓ, ମେହେମୁଦ୍ ପ୍ରମୁଖ ବିକ୍ଷୋଭ ସଭାରେ ସାମିଲ ହୋଇଥିଲେ ।