Odiapua.com

କ୍ୟାମେରାମେନ୍ ମାନସ ହତ୍ୟା ଘଟଣାରେ ଭଦ୍ରକ ଜିଲା ଏସ୍‌ପିଙ୍କ ପ୍ରେସ୍‌ମିଟ୍‌, ୫ ଅଭିଯୁକ୍ତ କୋର୍ଟ ଚାଲାଣ; ଜଡିତ ଥିବା ଶର୍ମିଷ୍ଠା ସେଠୀ ଓ ଝୁନା ଭୋଇଙ୍କୁ ଖୁବ୍‌ଶୀଘ୍ର ଗରିଫ କରାଯିବ – ଏସ୍‌ପି

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ କୁମାର ସ୍ୱାଇଁ ଭଦ୍ରକ ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା ଓ ପରେ ନୟାଗଡରେ ମୃତଦେହକୁ ପୋତିଦେବା ଘଟଣାରେ ଆଜି ଚାନ୍ଦବାଲିରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନେତୃତ୍ୱରେ ଏକ ପ୍ରେସ୍‌ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏବଂ ଏହି ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗରିଫ କରାଯାଇ କୋର୍ଟ ପଠାଯାଇଥିବାବେଳେ ଅଧିକ ତଦନ୍ତ ଚାଲୁଥିବା ସମୟରେ ଆଜି ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ଗିରଫ କରାଯାଇ ମଧ୍ୟ ଜେଲ୍ ହାଜତକୁ ପଠାଯାଇଥିବା ବିଷୟ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଯତିନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତ ମାନସଙ୍କ ପିତା ନୟାଗଡ ଜିଲା ରଣପୁର ଥାନା ଅଧୀନସ୍ଥ ନୂଆପୋଲି-ଗୁଡିପୋଖରୀ ନିବାସୀ ପଞ୍ଚାନନ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ ମାନସ ଗତ ଫେବୃୟାରୀ ୬ ତାରିଖ ଏକ ବିବାହ ଉତ୍ସବର ଫଟୋ ସୁଟିଂ କରିବା ପାଇଁ ଭୁବନେଶ୍ୱରରୁ ଭଦ୍ରକକୁ ଫେରିଥିଲେ। ଏବଂ ତା’ ପରଦିନ ଅର୍ଥାତ୍ ଗତ ଫେବୃୟାରୀ ୭ ତାରିଖ ଦିନ ସକାଳୁ ମାନସ ବିବାହ ଉତ୍ସବର ଫଟୋ ସୁଟିଂ ସାରି ଚାନ୍ଦବାଲି ଥାନା ଅଧୀନସ୍ଥ ପଳାସପୁର ଗ୍ରାମରୁ ଫେରୁଥିଲେ। ସେହି ସମୟରେ ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ ଛକି ବସିଥିବା ଅଭିଯୁକ୍ତମାନେ ମାନସଙ୍କୁ ଏକ କାରରେ ଅପହରଣ କରିନେଇଥିଲେ। ଏହି ଘଟଣା ସଂପର୍କରେ ଥାନ୍ଦବାଲି ଥାନାରେ ଗତ ଫେବୃୟାରୀ ୧୪ ତାରିଖ ଦିନ ଏକ ମାମଲା ଯାହାର ନଂ ୬୩, ଦଫା ୩୬୩ / ୩୪ ଆଇପିସି ଓ ପରେ ୩୬୩ / ୩୬୪ / ୩୦୨/୪୬୫/୪୭୧/୪୦୨/୨୦୧/୩୪ ଆଇପିସି ରୁଜୁ ହୋଇଥିବାବେଳେ ଅନୁସନ୍ଧାନ ଓ ତଦନ୍ତ ଜାରି ରହିଥିଲା।

ଅନୁସନ୍ଧାନବେଳେ ଜଣାପଡିଥିଲା ଯେ ସେହି ୭ ତାରିଖ ରାତିରେ ଅଭିଯୁକ୍ତମାନେ ମାନସକୁ ଭୁବନେଶ୍ୱରର ଦୟାଲ ଆଶ୍ରମକୁ ନେଇ ତାଙ୍କୁ ନିର୍ମମ ଭାବେ ମାଡ ମାରିବା ସହ ହତ୍ୟା ମଧ୍ୟ କରିଥିଲେ। ଏବଂ ପରେ ଅଭିଯୁକ୍ତମାନେ ମାନସର ମୃତଦେହକୁ ନୟାଗଡ ଜିଲା ରଣପୁର ଥାନା ଅଧୀନସ୍ଥ ବାଡିପାଟନାର ଏକ ଚାଷକ୍ଷେତରେ ପୋତିଦେଇଥିଲେ। ପୁଲିସ୍‌ର ପଚରାଉଚୁରା ବେଳେ ଜଣେ ଅଭିଯୁକ୍ତ ଭଗନ ଓରଫ ଭାଗ୍ୟଧର ନାୟକ ସତକଥା ମାନିଥିଲେ। ଏବଂ ପୁଲିସ୍‌କୁ ମାନସର ମୃତଦେହ ପୋତାଯାଇଥିବା ସ୍ଥାନକୁ ନେଇଯାଇଥିଲେ। ସେଠାରେ ଖୋର୍ଦ୍ଧା ଜିଲା ଏସ.ଓ. ଡି.ଏଫ.ଏସ୍‌.ଏଲ୍ ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌, ପୁଲିସ୍‌, ପରିବାର ସଦସ୍ୟ ଓ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ଉପଯୁକ୍ତ ପଦ୍ଧତି ସହିତ ମାନସର ମୃତଦେହକୁ ବିଚ୍ଛିନ୍ନ କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ଖୋର୍ଦ୍ଧା ଜିଲା ଖଣ୍ଡଗିରି ଥାନା ଅଧୀନସ୍ଥ ବରମୁଣ୍ଡା ଡାଏରୀ ଫାର୍ମ ବସ୍ତିର ପବନ ନାୟକଙ୍କ ପୁତ୍ର ଭାଗ୍ୟଧର (୨୬), ନୟାଗଡ ଜିଲା ରଣପୁର ଥାନା ଧମଡା (ବର୍ତ୍ତମାନ ଖୋର୍ଦ୍ଧା ଜିଲା ଖଣ୍ଡଗିରି ଥାନା ଅଧୀନସ୍ଥ ବରମୁଣ୍ଡା ଡାଏରୀ ଫାର୍ମ ବସ୍ତି) ର ବିମଲ ନାୟକଙ୍କ ପୁତ୍ର ନିଲୁ ଓରଫ ବିବେକ (୧୯) ଓ ଖୋର୍ଦ୍ଧା ଜିଲା ଶ୍ରୀ ଲିଙ୍ଗରାଜ ଥାନା ଅଧୀନସ୍ଥ ମଙ୍ଗଳସାହି ନିବାସୀ ଜଗନ୍ନାଥ ନାୟକଙ୍କ ପୁତ୍ର କୃଷ୍ଣଚନ୍ଦ୍ର (୫୦) ଙ୍କୁ ଦଫା ୩୬୩ /୩୬୪/୩୦୨/୪୬୫/୪୭୧/୨୦୧/୩୪ ମୂଳେ ଗତ ୧୨ ତାରିଖରେ ଗିରଫ କରିଥିଲା।

ଏବଂ ତା ପରଦିନ ୧୩ ତାରିଖରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଥିଲା। ଏହି ଘଟଣାରେ ତଦନ୍ତ ଜାରି ରହିଥିବାବେଳେ ଆଜି ଅନ୍ୟ ଦୁଇଜଣ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଦୋବଲ ( ବର୍ତ୍ତମାନ ଖୋର୍ଦ୍ଧା ଜିଲା ଇନ୍‌ଫସିଟି ଥାନା ଅଧୀନସ୍ଥ ପ୍ରଶାନ୍ତିବିହାର) ର ସ୍ୱର୍ଗତଃ ସତ୍ୟାନନ୍ଦ ସେଠୀଙ୍କ ପୁତ୍ର ନିରଞ୍ଜନ (ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ) (୬୦) ଓ ନୟାଗଡ ଜିଲା ଓଡଗାଁ ଥାନା ଅଧୀନସ୍ଥ ପାଣିବନ୍ଧ (ବର୍ତ୍ତମାନ ଖୋର୍ଦ୍ଧା ଜିଲା ଖଣ୍ଡଗିରି ଥାନା ଅଧୀନସ୍ଥ ଜଗମରା) ର ପଙ୍କଜ ନାୟକଙ୍କ ପୁତ୍ର ରାଜ ଓରଫ ରଂଜନ (ଶଜ କମ୍ୟୁନିକେଶନର ମାଲିକ) (୨୯) ଙ୍କୁ ଗିରଫ କରାଯାଇ କୋର୍ଟ ଫରୱାଡ କରାଯାଇଥିବାର ସୂଚନା ଦିଆଯାଇଛି। ଏହି ଘଟଣାରେ ମତୋ ଆଉଟ୍‌ପୋଷ୍ଟର ଏସ୍‌ଆଇ ବୁଧିରାମ ମହାନ୍ତି ଓ ଚାନ୍ଦବାଲି ଥାନାର ଆଇଆଇସି କରୁଣାକର ରାଉତ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇ ଜେଲ ହାଜତକୁ ପଠାଯିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଗଣମାଧ୍ୟମକୁ କହିଛନ୍ତି।