Odiapua.com

କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଦିବାସୀ ମହିଳା ପ୍ରସବ କରିବା ପ୍ରସଙ୍ଗ : ରାଜଧାନୀର ମୁଖ୍ୟ ହସ୍ପିଟାଲର ସ୍ଥିତି ବଖାଣୁଛି କେମିତି ଚାଲିଛି ‘ମୋ ସରକାର’ ଯୋଜନା?: ମହିଳାମୋର୍ଚା

ଭୁବନେଶ୍ୱର, ୧୨/୧୦ (ଓଡ଼ିଆ ପୁଅ) : ମୋ ସରକାର ଯୋଜନା କ୍ରିୟାନ୍ୱୟନର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ। ପ୍ରସୂତୀ ଆଦିବାସୀ ମହିଳାଙ୍କୁ ଉନ୍ନତମାନର ସେବା ଦେବା ପରିବର୍ତେ ମୃତ୍ୟୁ ମୁଖକୁ ଠେଲିଛନ୍ତି ରାଜ୍ୟସରକାର। ଚିକିତ୍ସାର ଅବହେଳା ଯୋଗୁଁ ଅସହାୟ ଆଦିବାସୀ ମହିଳା ହସ୍ପିଟାଲର ବାରଣ୍ଡାରେ ବାଧ୍ୟ ହୋଇ ପ୍ରସବ କରିଛି। ଗତ କାଲି ଆଦିବାସୀ ମହିଳା ପାନା ମୁର୍ମୁ ପ୍ରସବ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ସୁଦ୍ଧା ମେଡିକାଲରେ ଡାକ୍ତରଙ୍କ ଦାୟୀତ୍ୱହୀନତା ଯୋଗୁଁ ବାରଣ୍ଡାରେ ପ୍ରସବ କରିଥିଲେ। ଆଜି ପ୍ରସୂତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ କ୍ୟାପିଟାଲ ହସ୍ପିଟାଲ ଯାଇ ଘଟଣାକୁ ଅନୁଧ୍ୟାନ କରିଛି। ପ୍ରସୂତୀ ମହିଳା କୁଆଡେ ନିଖୋଜ ଥିବାରୁ ପ୍ରତିନିଧୀ ଦଳ ମେଡିକାଲ ସୁପରିଟେଣ୍ଡଂଟ ଏବଂ ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ରାଜଧାନୀରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ଦୃଢ ନିନ୍ଦା କରିଛି।

ସ୍ୱାସ୍ଥ୍ୟ ସେବା କିଭଳି ଉନ୍ନତ ମାନର ହେବ, ରୋଗୀ କିପରି ସେବା ପାଇବେ ସେ ନେଇ ଗତ ୨ ତାରିଖରରେ ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା ମୋ ସରକାର ଯୋଜନା ଗତ କାଲି ୧୧ ତାରିଖରେ ଶେଷ ହୋଇଛି। ଲୋକସେବାଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଘରଠୁ ୧ କିମି ପରଧି ଭିତରେ ଥିବା ରାଜଧାନୀର ମୁଖ୍ୟ ହସ୍ପିଟାଲର ସ୍ଥିତି ବଖାଣୁଛି କେମିତି ରାଜ୍ୟସରକାରଙ୍କ ମୋ ସରକାର ଯୋଜନା କାର୍ଯ୍ୟକରୁଛି। ଓଡିଶାର ମହିଳାଙ୍କୁ ସୁରକ୍ଷା ନେଦଇ ରାଜ୍ୟସରକାର ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ଜନନୀ ସୁରକ୍ଷା ଯୋଜନାରେ କେନ୍ଦ୍ରସରକାର ବ୍ୟପକ ଅର୍ଥ ପ୍ରଦାନ କରୁଥିବାବେଳେ ରାଜ୍ୟସରକାର ସମସ୍ତ ଅର୍ଥକୁ ଆତ୍ମସାତ କରି ଚାଲିଛନ୍ତି। ପ୍ରତିଦିନ ଗର୍ଭବତୀ ମହିଳା ବାଟରେ, ଘାଟରେ, ରାସ୍ତାକଡରେ, ଅଟୋ ଭିତରେ ପ୍ରସବ କରୁଛନ୍ତି। ଅନେକ ସ୍ଥାନକୁ ଆମ୍ବୁଲାନ୍ସ ପହଂଚି ପାରୁନଥିବାରୁ ପ୍ରସୂତୀ ମହିଳା କାନ୍ଧରେ, ଖଟରେ ବୁହା ହୋଇ ମେଡିକାଲକୁ ଆସୁଛନ୍ତି। ଆଜି ଚିତ୍ରକୋଣ୍ଡାରେ ଜଣେ ପ୍ରସୂତୀ ମହିଳା ୫ କିଲୋମିଟର ଚାଲି ଚାଲି ମେଜିକାଲରେ ପହଂଚିଛି। କୁଆଡେ ଗଲା ୫ଟି, ମୋ ସରକାର ଯୋଜନା ? ଏହି ଯୋଜନା କଣ ସାଧାରଣ ଲୋକଙ୍କ ପାଇଁ କି ନବୀନ ସରକାରଙ୍କ ପ୍ରଚାର ପାଇଁ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି।

ଏହି ପ୍ରତିନିଧୀ ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ସିମନ୍ତୀନି ଜେନା, ସ୍ମୃତି ପଟ୍ଟନାୟକ, ସୁକେଶୀ ଓରାମ, କାନନବାଳା ପଟ୍ଟନାୟକ, ପିଙ୍କି ପ୍ରଧାନ, ରଶ୍ମିରେଖା ଦାସ, କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ଥିଲେ।