Odiapua.com

କ୍ଷେତ୍ରୀୟ ଅନୁଧ୍ୟାନ ଉପରେ ଜିଲାପାଳଙ୍କ ଗୁରୁତ୍ୱ,ସମୀକ୍ଷା କଲେ ୩ଟି ପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଆଜି ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଂଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ବିଷ୍ଣୁପୁରସ୍ଥିତ କଲ୍ୟାଣୀ ମଣ୍ଡପ, ପଂଚାୟତ ଲର୍ଣ୍ଣିଂ ସେଂଟର, ନିର୍ମାଣାଧୀନ ମାର୍କେଟ୍ କମ୍ପେ୍ଲକ୍ସ ଏବଂ ବିଷ୍ଣୁପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପର ନିର୍ମାଣ ଅଗ୍ରଗତି, ଗୁଣବତା ଓ ଉପଯୋଗିତା ସମ୍ପର୍କରେ ଅଧିକାରୀ ଓ ସମ୍ପୃକ୍ତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ସହିତ ନିର୍ମାଣ କାର୍ଯ୍ୟରେ ଗୁଣବତା ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁବିଧା ଓ ସ୍ଥାନୀୟ ଅଂଚଳର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ପ୍ରକଳ୍ପଗୁଡ଼ିକର ସଠିକ୍ ଓ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସେହିପରି ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆଜି ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନିର୍ଗୁଣ୍ଡି ପଂଚାୟତ ପରିଦର୍ଶନ କରି ପଂଚାୟତ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଜିଲ୍ଲାପାଳ ନିର୍ଗୁଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟର ଭିତିଭୂମି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ସେମାନଙ୍କ ପାଠପଢ଼ା ଓ ବିଦ୍ୟାଳୟର ବିଭିନ୍ନ ସୁବିଧା ସମ୍ପର୍କରେ ମତାମତ ନେଇଥିଲେ। ବିଦ୍ୟାଳୟର ଶିକ୍ଷା ପରିବେଶକୁ ଆହୁରି ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ସୁଯୋଗ ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଅନୁରୂପ ଭଦ୍ରକ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଂଚାୟତ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ଚାଲୁଥିବା ଗୃହ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ହିତାଧିକାରୀମାନଙ୍କ ସହ ଆଲୋଚନା କରି ଗୃହ ନିର୍ମାଣର ଅଗ୍ରଗତି, ଆବଶ୍ୟକ ସହାୟତା ଓ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯୋଗ୍ୟ ହିତାଧିକାରୀଙ୍କୁ ସୁରକ୍ଷିତ ଓ ସ୍ଥାୟୀ ଆବାସ ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟର ନିୟମିତ ତଦାରଖ କରିବା ସହ ହିତାଧିକାରୀମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲାପାଳ ପ୍ରଥମେ ବିଷ୍ଣୁପୁର ପଂଚାୟତରେ ପହଂଚିବା ପରେ ସରପଂଚ ଅମୂଲ୍ୟ ନାୟକ ଓ ଏସଏଚଜି ମହିଳାମାନେ ଫୁଲତୋଡା ଦେଇ ଭବ୍ୟ ସ୍ୱାଗତ କରିଥିଲେ। ବିଡିଓ ଦେବଦତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ହୃଦାନନ୍ଦ ଜେନା ଓ ସଂପୃକ୍ତ ପଂଚାୟତର ପିଇଓ ଓ ଡିଇଓମାନେ ଉପସ୍ଥିତ ଥିଲେ।