Odiapua.com

କ୍ଷେତ୍ରବାସୀ ହାଇସ୍କୁଲ ୧୯୮୬ ବ୍ୟାଚ୍‌ର ବନ୍ଧୁମିଳନ ଓ ଗୁରୁପୂଜନ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟେକ ଶିକ୍ଷାର୍ଥୀ କ୍ଷେତ୍ରରେ ତାର ବିଦ୍ୟାଳୟ ଜୀବନ ସବୁଠାରୁ ଶ୍ରେଷ୍ଠ ଓ ଅଭୁଲା ହୋଇଥାଏ । ଯାହା ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନରେ ଏକ ଅବିସ୍ମରଣୀୟ ମୁହୂର୍ତ୍ତର ସୁବାସ ପରି ମହକୁଥାଏ ବୋଲି ଆଜି ଭଦ୍ରକ ଚୁନିଦାସ୍ଥିତ କ୍ଷେତ୍ରବାସୀ ହାଇସ୍କୁଲର ୧୯୮୬ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁ-ଶିଷ୍ୟ ପରମ୍ପରାର ପୂଜନୀୟ ଉତ୍ସବରେ ମତପ୍ରକାଶ ପାଇଛି । ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂର୍ବତନ ଶିକ୍ଷକଙ୍କୁ ଶ୍ରେଣୀଗୃହକୁ ବନ୍ଦାପନା ମଧ୍ୟରେ ସ୍ୱାଗତ କରାଯାଇଥିଲା । ପୁରାତନ ଛାତ୍ର ଅନନ୍ତ କୁମାର ମହାରଣା ବର୍ତ୍ତମାନର ପ୍ରଧାନ ଶିକ୍ଷକ ଭୀମସେନ ପରିଡା ଓ ପ୍ରାକ୍ତନ ଶିକ୍ଷକ ବ୍ୟୋମକେଶ ମିଶ୍ର, ନିତ୍ୟାନନ୍ଦ ସାମଲ, ପୂର୍ଣ୍ଣାନନ୍ଦ ମହାପାତ୍ର, ମାନସ କୁମାର ରାଉତ, ଅଚ୍ୟୁତାନନ୍ଦ ସାହୁ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ପିଅନ ମୋହନ ଚନ୍ଦ୍ର ଦାସ ଓ ନଟବର ନାୟକଙ୍କୁ ମଂଚକୁ ନିମନ୍ତ୍ରଣ କରିବା ପରେ ପ୍ରଧାନଶିକ୍ଷକ ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଏହାପରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ ପରେ ଦିବଂଗତ ଶିକ୍ଷକ ଓ ପରିଚାଳନା କମିଟିର ସଦସ୍ୟମାନଙ୍କ ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ବିଦ୍ୟାଳୟର ପୁରାତନ ଛାତ୍ରୀ ଜ୍ୟୋସ୍ନାରାଣୀ ସାହୁଙ୍କ ଦ୍ୱାରା ଗୁରୁବନ୍ଦନା ସଂଗୀତ ନୃତ୍ୟ ମାଧ୍ୟମରେ ପରିବେଷଣ ହୋଇଥିଲା । ଏହାପରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ସମସ୍ତ ପୁରାତନ ଓ ବର୍ତ୍ତମାନର ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଓ ଉପହାର ପ୍ରଦାନ କରିବା ପରେ ରାଜେନ୍ଦ୍ର ପ୍ରସାଦ ସାହୁ ସଭାର ଆଭିମୁଖ୍ୟ ପରିବେଷଣ କରିଥିଲେ । ଉପସ୍ଥିତ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ନିଜର ପରିଚୟ ଅତୀତର ସ୍ମୃତି ଓ ଅନୁଭୂତି ପ୍ରଦାନ କରିବା ପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଆର୍ଶୀବଚନ ମାଧ୍ୟମରେ ଆର୍ଶାବାଦ କରିଥିଲେ । ପୁରାତନ ଛାତ୍ର ସୁଶାନ୍ତ ମହାପାତ୍ର, ରାମକୃଷ୍ଣ ରାଉତ, ପ୍ରକାଶ ରାଉତ, ଚନ୍ଦ୍ରଶେଖର ଦାସ, ଅମିତା ସାହୁ ଓ ଝାନ୍ସିରାଣୀ ରାଉତ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବ ସମସ୍ତଙ୍କ ପାଇଁ ବେଶ୍ ସ୍ମୃତିମଧୁର ହୋଇଥିଲା ।