Odiapua.com

କ୍ଷୁଦ୍ର ଜଳ ସେଚନ ବିଭାଗ ଅବହେଳାରୁ ଅସ୍ଥିତ୍ୱ ହରାଇବ ହଜ ବନ୍ଧ

କ୍ଷୁଦ୍ର ଜଳ ସେଚନ ବିଭାଗ ଅବହେଳାରୁ ଅସ୍ଥିତ୍ୱ ହରାଇବ ହଜ ବନ୍ଧ
ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)/ରାଜ୍ୟ ସରକାର ପ୍ରତ୍ୟେକ ଜମିକୁ ଜଳ ଯୋଗାଇବା ପାଇଁ ନିଷ୍ପିତ ନେଇ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ସେଥିପାଇଁ ଗ୍ରାମାଂଚଳରେ କ୍ଷୁଦ୍ର ଜଳ ସେଚନ ବିଭାଗ ମୁଖ୍ୟ ଭୂମିକା ଗ୍ରହଣ କରୁଅଛି । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ଅଧିଖଣ୍ଡ କ୍ଷୁଦ୍ର ଜଳ ଅପିସ୍ ର ଅବହେଳା ଯୋଗୁଁ ଅସ୍ଥିତ୍ୱ ହରାଇବାକୁ ବସିଛି ବ୍ରଜରାଜପୁର ଗ୍ରାମପଂଚାୟତ ଲତାର ହଜ ବନ୍ଧ । ରାଜରାଜୁଡା ଅମଳରୁ ୭ଏକର ପରିମିତ ହଜ ବନ୍ଧ ଲତାର,କୁଞବନ,ପାଟଣା ଓ ଇଚ୍ଛାପୁର ମୌଜାକୁ ବର୍ଷାଦିନେ ଧାନ ଚାଷ ସମୟରେ ମରୁଡିରୁ ଚାଷ ଜମିକୁ ରକ୍ଷା କରି ଆସୁଥିଲା ।ରଣପୁର ରାଜା ଙ୍କର ଏହା ଏକ ମେଗା ଜଳସେଚନ ପ୍ରକଳ୍ପ ଥିଲା । ହଜ ବନ୍ଧରେ ଜଳସଂରକ୍ଷଣ ପରେ ଅଧିକ ଜଳ କେନାଲ୍ ଯୋଗେ ଯାଇ ଚଣ୍ଡିପୁଷ୍କରିଣୀ,ବଧି ପୁଷ୍କରିଣୀ ଓ ଡଅଁର କ୍ଷୁଦ୍ର ବନ୍ଧରେ ଜଳସଂରକ୍ଷିତ ହେଇ ଜମିକୁ ଜଳ ଯୋଗାଇ ଆସୁଥିଲା ।

ବ୍ରଜରାଜପୁର ଗ୍ରାମପଂଚାୟତ ଅଧିନରେ ଏହି ବନ୍ଧ ରହିଆସୁଥିଲା । କିନ୍ତୁ ପଂଚାୟତିରାଜ ବିଭାଗରେ ବନ୍ଧର ପୁର୍ନଉଦ୍ଧାର ପାଇଁ ଅର୍ଥର ଅଭାବ ରହିବାରୁ ଦିର୍ଘବର୍ଷର ବନ୍ଧର ଅସ୍ଥିତ୍ୱ ହରାଇବାକୁ ବସିଥିବା ବେଳେ ରଣପୁର ପଂଚାୟତ ସମିତି ବୈଠକରେ ୨୦୧୦ ମସିହାରେ ବନ୍ଧଟିକୁ ରଣପୁର କ୍ଷୁଦ୍ର ଜଳ ସେଚନ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା । କ୍ଷୁଦ୍ର ଜଳ ସେଚନ ବିଭାଗ ନାମକୁ ମାତ୍ର ବନ୍ଧରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ କିଛି ବାଟ କେନାଲ୍ ନିର୍ମାଣ କରି ଚୁପ୍ ହୋଇ ବସିଛନ୍ତିା  ବନ୍ଧରେ ଅମରି , ଲଟାପତ୍ର ସାଙ୍ଗକୁ ସତଦଳ ପଦ୍ମ ରହି ପୋତି ହୋଇ ଯିବାରୁ ବନ୍ଧଟି ଏକ ଚାଷ ଜମିର ଭ୍ରମ ସୃଷ୍ଟି କରୁଛି ।  କ୍ଷୁଦ୍ର ଜଳ ସେଚନ ବିଭାଗ ଅବହେଳା ଯୋଗୁ ହଜ ବନ୍ଧ ଅସ୍ଥିତ୍ୱ ହରାଇବା ସଂଗେ ସଂଗେ ଲତାର,କୁଞବନ,ପାଟଣା ଓ ଇଚ୍ଛାପୁର ମୌଜାର ଜମିଗୁଡିକ ମରୁଡିଗ୍ରସ୍ତ ହେବାର ସମ୍ଭାବନା ଦେଖା ଦେଇଛି । ଏ ସଂପର୍କେ ରଣପୁର କ୍ଷୁଦ୍ର ଜଳ ସେଚନ ବିଭାଗ ଯନ୍ତ୍ରୀ ଶୁଶାନ୍ତ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ କୁହନ୍ତି ଯେ ହଜ ବନ୍ଧ ପାଇଁ ଆସିଥିବା ଟଙ୍କା ଶେଷ ହୋଇ ଯାଇଛି । କେବଳ ବନ୍ଧରେ ପଥର ପ୍ୟାକିଂ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ବଳକା ରହିଅଛି । କରୋନା ସମୟ ସାଙ୍ଗକୁ ବନ୍ଧ ପଙ୍କ ଉଦ୍ଧାର ପାଇଁ ଅର୍ଥର ବରାଦ୍ ଆସିନାହିଁ । ଆପଣ ନୟାଗଡ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସଙ୍ଗେ ଯୋଗାଯୋଗ କରିପାରନ୍ତି । ନୟାଗଡ କ୍ଷୁଦ୍ର ଜଳ ସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁପଦ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ କୁହନ୍ତି ବନ୍ଧ ପୁର୍ନଉଦ୍ଧାର ପାଇଁ ଟଙ୍କା ଆସିନାହିଁ । ଟଙ୍କା ଆସିଲେ ହଜ ବନ୍ଧ ମୁଁ ଲିଷ୍ଟ୍ କରୁଛି । ନିଶ୍ଚିତ ଭାବରେ ପଙ୍କ ଉଦ୍ଧାର କରାଯିବ ।