ଭଦ୍ରକ, ୧୭ା୫ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ନରିପୁର (ଅସ୍ତଳ) ଗ୍ରାମର କ୍ଷମାସାଗର ମଠ ପରିସରରେ ଥିବା ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ୪ଦିନ ବ୍ୟାପୀ ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅଧିବାସ, କଳସ ଶୋଭାଯାତ୍ରା, ଘଟ ସ୍ଥାପନ, ଅଙ୍କୁରାରୋପଣ, ଯଜ୍ଞ କୁଣ୍ଡ ପୂଜା, ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ, ଗୁରୁ, ଧରିତ୍ରୀ, ଧେନୁ, ସୂର୍ଯ୍ୟପୂଜା, ଯଜ୍ଞଶାଳା, ଘଟ ମଣ୍ଡଳାଦି, ଠାକୁରାଣୀଙ୍କ ଉପଚାର ପୂଜା, ଚଣ୍ଡୀ ଏବଂ ପୂର୍ଣ୍ଣାହୂତି ବିଧି ପରମ୍ପରା ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବରେ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାଶ ମହାରାଜାଙ୍କ ଦ୍ୱାରା ପ୍ରବଚନ ହେବା ସହ ସୁନାମଧନ୍ୟ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ତାଙ୍କ ସାଥୀଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ୪ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ମା’ ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଅସ୍ତଳ ଗ୍ରାମର ଯୁବ ସମାଜସେବୀ ପ୍ରଦୀପ ସାହୁ (ବାପୁ), ସହଧର୍ମିଣୀ ପ୍ରତିଭା ସାହୁ, ମାତା ବାସନ୍ତୀ ସାହୁଙ୍କୁ ସ୍ୱପ୍ନାଦେଶ ହେବାରୁ ରାଜସ୍ଥାନରୁ ମାର୍ବଲ ପଥର ନିର୍ମିତ ମହାଲକ୍ଷ୍ମୀଙ୍କ ମୂର୍ତି ଅଣାଯାଇ ଗତବର୍ଷ ପ୍ରତିଷ୍ଠା କରାଯାଇଥିଲା। ଗ୍ରାମର କାଉନସିଲର ଗୀତାଞ୍ଜଳୀ ଦାସ, ପୂର୍ବତନ କାଉନସିଲର ଗଜେନ୍ଦ୍ର ପଣ୍ଡା, କାଉନସିଲରଙ୍କ ପ୍ରତିନିଧି ଯୁବସମାଜସେବୀ ସୂର୍ଯ୍ୟ କୁମାର ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ, ଆଇନଜୀବୀ, ସାମ୍ବାଦିକ, ଡାକ୍ତର ଓ ବହୁ ଶୁଭେଚ୍ଛୁ ସହଯୋଗ କରିଥିଲେ। ମନ୍ଦିରର ସଦସ୍ୟ ଦେବବ୍ରତ ନାୟକ(କାଳିଆ), ସଦସ୍ୟ ବିରେଶ ଦାସ(ଶଙ୍କୁରୁ) ଓ ତାଙ୍କ ପତ୍ନୀ ମମତାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ୪ଦିନ ବ୍ୟାପୀ ପୂଜା କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।