Odiapua.com

କ୍ରୀଡ଼ା ଭାରତୀ ପକ୍ଷରୁ ଜାଗୋ ଇଣ୍ଡିଆ ମୋଟର ସାଇକେଲ ଶୋଭାଯାତ୍ରାକୁ ଭଦ୍ରକରେ ସ୍ୱାଗତ

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶ ମହା ଆନନ୍ଦ ଉଲ୍ଲାସରେ ପାଳନ କରୁଛି ସ୍ୱାଧୀନତାର ୭୫ ତମ ଅମୃତ ମହୋତ୍ସବ। ଏଥିପାଇଁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ କ୍ରୀଡ଼ା ଭାରତୀ ପକ୍ଷରୁ ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ଶହୀଦ ହୋଇଥିବା ବୀର ପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସକାଶେ ଦେଶ ସାରା ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ମୋଟର ସାଇକେଲ ଶୋଭଯାତ୍ରାଟି ବିଭିନ୍ନ ବୀର ପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ଯାଇ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ସହ ସମ୍ମାନ ଜଣାଉଛି। ପୂର୍ବ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ଗଞ୍ଜାମ ଜିଲ୍ଲାର ଇଚ୍ଛାପୁର ପର୍ଯ୍ୟନ୍ତ କ୍ରୀଡ଼ା ପ୍ରତିଭା ମାନଙ୍କୁ ନେଇ ଏହି ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ବିଭିନ୍ନ ଜିଲ୍ଲାରେ ସ୍ଥାପନ ହୋଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଏକ ସାଧାରଣ ସଭା ଉକ୍ତ ସ୍ଥାନରେ ଆୟୋଜନ କରାଯାଉଛି। ଏହି ଉଦ୍ଦେଶ୍ୟରେ ବାଲେଶ୍ୱରରୁ ଆସିଥିବା ମୋଟର ସାଇକେଲ ଶୋଭଯାତ୍ରାକୁ କ୍ରୀଡ଼ା ଭାରତୀ, ଭଦ୍ରକ ଜିଲ୍ଲା ଶାଖା ତରଫରୁ ସହରର ଗାନ୍ଧିପଡ଼ିଆ ଗାନ୍ଧୀ ମଣ୍ଡପ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ରବି ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଭଦ୍ରକର ପୂର୍ବତନ ଆଇପିଇ ନିରଞ୍ଜନ ବିଶ୍ୱାଳ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଜମୀନ ପରିଡ଼ା ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମଟିକୁ କ୍ରୀଡ଼ା ଭାରତୀର ସଂଯୋଜକ ମନୋଜ କୁମାର ସାହୁ ସଂଯୋଜନା କରିଥିଲେ। ଏଥି ସହିତ ଭଦ୍ରକରୁ ଯାଜପୁର ଜିଲ୍ଲା ପର୍ଯ୍ୟନ୍ତ ବାହାରି ଥିବା ମୋଟର ସାଇକେଲ ଶୋଭାଯାତ୍ରାରେ ପିତାମ୍ବର ରେଡ୍ଡୀ, ସ୍ୱଦେଶ ରାଉତ, ଅପୁ ମଣ୍ଡଳ, ସାହିଲ ରାଉତ, ସୌରଭ ସାହୁ, ବଳରାମ ବିଶ୍ୱାଳ, ପଦ୍ମ ହେମ୍ବ୍ରମ, ସ୍ମିତା ଜେନା ଏବଂ ପୁଷ୍ପାଞ୍ଜଳି ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।