Odiapua.com

କ୍ରୀଡାରୁ ମୁହଁ ମୋଡୁଛନ୍ତି ଯୁବବର୍ଗ, ନିରାଶ କରୁଛି ଭିତ୍ତିଭୂମିର ଅଭାବ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ରୀଡାକୁ କ୍ୟାରିୟର କରିବାକୁ ଜିଲାର ଯୁବବର୍ଗ ଆଉ ଚାହୁଁନାହାଁନ୍ତି। ସେମାନେ ନିରାଶ ମଧ୍ୟରେ ଗତି କରୁଛନ୍ତି। କାରଣ ସରକାରୀ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନ ନାହିଁ। କ୍ରୀଡାର ବିକାଶ ପାଇଁ ଜିଲାରେ ଭିତ୍ତିଭୂମି ମଧ୍ୟ ନାହିଁ। ପଡୋଶୀ ଜିଲାରେ କ୍ରୀଡା ଭିତ୍ତିଭୂମିର ଯଦି ତୁଳନାତ୍ମକ ବିଚାର କରାଯାଏ, ତେବେ ଭଦ୍ରକ ଜିଲା ବହୁତ ପଛରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଜିଲାରେ ଏପରି ସ୍ଥିତି ପାଇଁ ଆମ ବ୍ୟବସ୍ଥା ଦାୟୀ ବୋଲି ବହୁ କ୍ରୀଡାବିତ୍ ମତପ୍ରକାଶ କରିଛନ୍ତି। ତଥ୍ୟ ଅନୁସାରେ କ୍ରୀଡାର ବିକାଶ ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲାରେ ମୋଟ ୧୧ଟି ମିନି ଷ୍ଟାଡିୟମ୍ ନିର୍ମାଣ ହେବା କଥା। ବନ୍ତ ଓ ଭଦ୍ରକ ପୌରାଞ୍ଚଳରେ ଜମି ପାଇଁ ଏହା ଅଟକିଥିବା ବେଳେ ଏଯାବତ୍ ୭ଟି ସଂପୂର୍ଣ୍ଣ ହୋଇପାରିନି। ଇତିମଧ୍ୟରେ ଭଦ୍ରକରେ ଏକ ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସଂପୂର୍ଣ୍ଣ ହେଲେ ବହୁ କ୍ରୀଡାବିତ୍ ଉପକୃତ ହୋଇପାରିବେ ବୋଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି। ତେବେ ଭଦ୍ରକ ସହରାଞ୍ଚଳରେ ଖେଳପଡିଆ କହିଲେ ନେହେରୁ ଷ୍ଟାଡିୟମ୍‌କୁ ବୁଝାଏ। ଏହାବର୍ଷରେ ୮ ମାସ ପରିତ୍ୟକ୍ତ ଅବସ୍ଥାରେ ଥାଏ। ଏହାର ବିକାଶ ପାଇଁ କୌଣସି ଉଦ୍ୟମ ଏଯାଏ ନାହିଁ।

ଏହାବ୍ୟତୀତ ଭଦ୍ରକ ପୌରାଞ୍ଚଳରେ ଥିବା ମହାବିଦ୍ୟାଳୟର ଖେଳ ପଡିଆ ଓ ଚରମ୍ପାରେ ରେଲ୍‌ୱେ ଗ୍ରାଉଣ୍ଡରେ ମଧ୍ୟ ନିୟମିତ ଭାବେ କିଛି କ୍ରୀଡାବିତ୍ ଅଭ୍ୟାସ କରିଥାନ୍ତି। ଏ ସମସ୍ତ ପଡିଆରେ କ୍ରିକେଟ୍ ଓ ଫୁଟବଲ ଖେଳାଳିଙ୍କୁ ଦେଖିବାକୁ ମିଳିଥାଏ। ସେହିପରି ଭଦ୍ରକ ମହାବିଦ୍ୟାଳୟ ପରିସରରେ ରହିଛି ଏକ ବାସ୍କେଟବଲ କୋର୍ଟ। ଏଠାରେ ଅଭ୍ୟାସ କରି ବହୁ ଯୁବ କ୍ରୀଡାବିତ୍ ଜାତୀୟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି। ଅନୁରୂପ ତାଇକୋଣ୍ଡୋ, ସାଇକ୍ଲିଂ, ବ୍ୟାଡମିଣ୍ଟନ ଖେଳିବାକୁ ଆଗ୍ରହୀ ଯୁବବର୍ଗ ହାତରୁ ଅର୍ଥ ଖର୍ଚ୍ଚ କରି ନିଜର ଦକ୍ଷତା ଦେଖାଇଛନ୍ତି। କିନ୍ତୁ ଭଲିବଲ, ଫୁଟବଲ, କବାଡି, ଖୋ ଖୋ ଆଥଲେଟକି ପରି ଖେଳରେ ଭରପୁର ଯୋଗ୍ୟତା ଥାଇ ଜିଲାର ଯୁବ ବର୍ଗ ନିରାଶ। ସୂଚନାଯୋଗ୍ୟ, କ୍ରିକେଟରେ କ୍ଷମାସାଗର ବଳ, ସତ୍ୟକାମ ଭରଦ୍ୱାଜ, ହର୍ଷିତ ରାଠୋଢଙ୍କ ପରି କ୍ରିକେଟର ଜିଲା ପାଇଁ ଗୌରବ ଆଣିଛନ୍ତି। କିନ୍ତୁ ଭଦ୍ରକରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ନାହିଁ। ବିଶେଷକରି ଅତ୍ୟାବଶ୍ୟକ ଟପ୍ ପିଚ୍ ଜିଲାରେ ନାହିଁ। ସେହିପରି ଭଲିବଲ୍‌ର ମହିଳା ବିଭାଗରେ ଜାତୀୟ ଦଳକୁ ୩ ଥର ପ୍ରତିନିଧିତ୍ୱ କରିଛନ୍ତି ଭଦ୍ରକ ଜିଲାର ଜୟଶ୍ରୀ ପଲାଇ। କିନ୍ତୁ ଉପଯୁକ୍ତ ତାଲିମ୍‌, ପ୍ରୋତ୍ସାହନ ଓ ଭିତ୍ତିଭୂମି ନଥିବାରୁ ଭଦ୍ରକ ଝିଅ ହୋଇ ସେ କେନ୍ଦ୍ରାପଡାରେ ତାଲିମ୍ ନେଇ ସଫଳ ହୋଇଛନ୍ତି ବୋଲି କହିଛନ୍ତି ରୋ. ଅତିଶ ବେହେରା। ସେହିପରି ସାଇକ୍ଲିଂ କରି ଜାତୀୟ ସ୍ତରରେ ନାମ କମାଇଛନ୍ତି ବର୍ଷା ବାରିକ। କିନ୍ତୁ ଉପଯୁକ୍ତ ତାଲିମ୍ ଓ ପ୍ରୋତ୍ସାହନ ତାଙ୍କୁ ମିଳୁନାହିଁ କୋଚ୍ ମନୋରଂଜନ ବାରିକ କହିଛନ୍ତି। ଦୀର୍ଘବର୍ଷ ଧରି ବାସ୍କେଟବଲରେ ଭଦ୍ରକରୁ ବହୁ ଯୁବ ଖେଳାଳି ସଫଳତା ଅର୍ଜନ କରିଛନ୍ତି। କିନ୍ତୁ ଗୋଟିଏ ବାସ୍କେଟବଲ୍ କୋର୍ଟର ଆଗ୍ରାହୀ ପିଲାମାନେ ଯଥେଷ୍ଟ ସୁଯୋଗ ପାଇପାରୁନାହାଁନ୍ତି। ଅପରପକ୍ଷେ ଫୁଟବଲ ଏବେ ଜିଲାରେ ଇତିହାସ ହୋଇଯାଇଛି।