Odiapua.com

କ୍ରିଦାଶପୁର ସଙ୍ଗରୋଧ କେନ୍ଦ୍ରରେ ୧୮ ପ୍ରବାସୀ

ନୟାଗଡ଼, ୨୬ା୫ (ଓଡ଼ିଆ ପୁଅ) : ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଲ୍ୟାଣ ମଣ୍ଡପ ସଙ୍ଗରୋଧ କେନ୍ଦ୍ର ଠାରେ ମଙ୍ଗଳବାର ୧୮ ଜଣ ପ୍ରବାସୀଙ୍କୁ ରଖାଯାଇଛି। ସେମାନଙ୍କ ଭିତରୁ ୧୪ଜଣ ପୁରୁଷ ହୋଇଥିଲାବେଳେ ୩ଜଣ ମହିଳା ଓ ଜଣେ ଶିଶୁ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଏଠାରେ ରଖାଯାଇଥିଲାବେଳେ ମହିଳାଙ୍କୁ କଲ୍ୟାଣ ମଣ୍ଡପର ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଛି। ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରେ ପହଂଚିବା ପରେ ତାଙ୍କର ପଞ୍ଜିକରଣ କରାଯାଇ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା।। କ୍ରିଦାଶପୁର ସରପଂଚ ଅନ୍ତର୍ଯ୍ୟାମୀ ଦାସ ଓ ପଂଚାୟତ ସଂପାଦକ ମନୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ପ୍ରବାସୀଙ୍କୁ ସରକାରୀ ଖାଦ୍ୟ ସାରଣୀ ଅନୁସାରେ ଖାଦ୍ୟ ବ୍ୟବସ୍ଥା ସୁବିଧାରେ ଦିଆଯାଇଥିବାବେଳେ ଛୋଟ ଶିଶୁକୁ ଶିଶୁ ଖାଦ୍ୟ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି। ସଙ୍ଗରୋଧ କେନ୍ଦ୍ରକୁ ଯେମିତି କେହି ବାହାର ପ୍ରବେଶ କରିପାରିବେ ନାହିଁ କି ସଙ୍ଗରୋଧ କେନ୍ଦ୍ରରୁ ଯେମିତି କେହି ବାହାରକୁ ଆସି ପାରିବେ ନାହିଁ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା ସରପଂଚ ଶ୍ରୀ ଦାସ କହିଛନ୍ତି। ଏହି ପ୍ରବାସୀମାନେ ସୁରତ ଓ ଦିଲ୍ଲୀରୁ ଆସିଥିବା ଜଣାପଡ଼ିଛି। ତେବେ ନୟାଗଡ଼ରେ ମଙ୍ଗଳବାର ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ପହଂଚିଛି। ଏଥିମଧ୍ୟରୁ ଆଜିସୁଦ୍ଧା ୬ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।