ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ପୀରହାଟ ଥାନା ଦୌଲତପୁର ପଂଚାୟତ ଅଧୀନ ଅର୍ଜୁନବିନ୍ଧା ଗ୍ରାମର ତ୍ରିଲୋଚନ ଯେନା ନାମକ ଜଣେ ଯୁବକଙ୍କ ଠାରୁ ଜଣେ ବ୍ୟକ୍ତି ନିଜକୁ ଭୁବନେଶ୍ୱରର କ୍ରାଇମବ୍ରାଂଚ ଏସପିର ପରିଚୟ ଦେଇ ୨୫ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସେହି ଅଜଣା ବ୍ୟକ୍ତି ବିଭିନ୍ନପ୍ରକାର ଧମକ ଦେବା ପରେ ଫୋନ ପେ ଓ ଗୁଗୁଲ ପେ ମାଧ୍ୟମରେ ତ୍ରିଲୋଚନ ତାଙ୍କୁ ଏହି ଟଙ୍କା ପଠାଇଥିବା ଦର୍ଶାଇଛନ୍ତି । ତେବେ ଶନିବାର ଅପରାହ୍ନରେ ଏହି ଘଟଣା ପରେ ତ୍ରିଲୋଚନ ସାଇବର ଠକେଇର ଶିକାର ହୋଇଥିବା ଜାଣି ରବିବାର ଭଦ୍ରକ ସ୍ଥିତ ସାଇବର ଥାନା ଏବଂ ସୋମବାର ଅର୍ଥନୈତିକ ଅପରାଧ ଶାଖା, ଭଦ୍ରକରେ ଅଭିଯୋଗ କରିଛନ୍ତି । ଏହି ସାଇବର ଠକଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି । ତ୍ରିଲୋଚନ ଦର୍ଶାଇଛନ୍ତି ଯେ ,ଶନିବାର ଅପରାହ୍ନରେ କେହିଜଣେ ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ଫୋନ କରି ବହୁ ସମୟ କଥା ହୋଇଥିଲେ । କଥାବାର୍ତା ସମୟରେ ସେ ନିଜକୁ ଭୁବନେଶ୍ୱରର କ୍ରାଇମବ୍ରାଂଚ ଏସପି ବୋଲି ପରିଚୟ ଦେଇଥିଲେ । ତ୍ରିଲୋଚନଙ୍କ ଗୁଗୁଲ ଆକାଉଂଟରେ କ୍ରିମିନାଲ କେଶ ହୋଇଥିବା ସେହି ଅଜଣା ବ୍ୟକ୍ତି କହିବା ସହ ତାଙ୍କୁ ଗିରଫ କରାଯିବାର ଧମକ ଦେଇଥିଲେ । ତାଙ୍କ ବିରୁଦ୍ଧରେ କେଉଁ ଦଫା ଲାଗିଛି ତ୍ରିଲୋଚନ ପଚାରିବାରୁ ସେହି ବ୍ୟକ୍ତି ଅନ୍ୟ ଏକ ମୋବାଇଲରୁ ଏହି ଅପରାଧରେ କିପରି ଦଣ୍ଡ ଦିଆଯାଉଛି ସେନେଇ ଫଟୋ ଓ ଭିଡ଼ିଓ କ୍ଲିପ ପଠାଇ ତ୍ରିଲୋଚନକୁ ଭୟଭୀତ କରିବା ସହ ଏଥିରୁ ମୁକୁଳିବା ପାଇଁ ୨୫ହଜାର ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଗିରଫ କରାଯାଇ ଏମିତିକା ଦଣ୍ଡ ଦିଆଯିବ ବୋଲି କହି ତ୍ରିଲୋଚନଙ୍କ ମୋବାଇଲକୁ ଏକ ସ୍କାନର ପଠାଇଥିଲେ କ୍ଷ ନିଜକୁ ଦଣ୍ଡରୁ ରକ୍ଷା କରିବାକୁ ତ୍ରିଲୋଚନ ଫୋନ ପେ ଓ ଗୁଗୁଲ ପେ ମାଧ୍ୟମରେ ୨୫ହଜାର ଟଙ୍କା ପଠାଇଥିବା ଦର୍ଶାଇଛନ୍ତି ।