Odiapua.com

କ୍ରସର ପରିଚାଳକଙ୍କୁ ହତ୍ୟା

ଯାଜପୁର ୧୦/୫ (ଓଡ଼ିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନସ୍ଥ ଜେନାପୁର ଥାନ ଅନ୍ତର୍ଗତ ବାଘୁଆଛକ ନିକଟସ୍ଥ ଏକ କ୍ରସରର ଘରୁ ସେହି କ୍ରସରରେ କାର୍ଯ୍ୟ କରୁଥିବା ବଡଚଣା ବ୍ଲକ ଭୁଷଣ୍ଡପୁର ପଂଚାୟତର ଖଟୁଆପଡା ଗ୍ରାମର ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ଏକମାତ୍ର ପୁତ୍ର ଚିତରଂଜନ ସାହୁ ଓରଫ ବାବୁ(୩୦)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତବାବୁଙ୍କୁ ସେଠାରେ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ତାଙ୍କ ବଡବାପା ପୁଅ ବଡଭାଇ ମାନସ ରଂଜନ ସାହୁ ଜେନାପୁର ଥାନାରେ ଏତଲା ଦାୟର କରି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି କହିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏପରିକି ବାବୁର ମୃତ ଦେହ ପଡିଥିବା ଆଜେବେଷ୍ଟ ଘର ଭିତରେ ଏକ ଗାମୁଛା ଝୁଲୁଥିବା ଅବସ୍ଥାରେ ଥିବା ବେଳେ ପାଖରେ ପାଣି ବୋତଲ ଥୁଆ ହୋଇଛି। ଏପରକି ତାକୁ ଗାମୁଛାରେ ବାନ୍ଧି ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ସେ ଦୀର୍ଘଦିନ ଧରି ସେଠାରେ କ୍ରସର ପରିଚାଳକ ଭାବେ କାର୍ଯ୍ୟ କରି ନିଜର ପରିବାର ଚଳାଇ ଆସୁଥିଲା। ଏପରକି ସେ ଜଣେ ମେଳାପୀ ଏକ ଉତ୍ତମ ଚରିତ୍ରର ପିଲା ଥିଲା। ଏପରିସ୍ଥଳେ ତାଙ୍କୁ କଣ ପାଇଁ ହତ୍ୟା କରାଗଲା ତାହା ତଦନ୍ତ ସାପେକ୍ଷ। କ୍ରସର ମାଲିକ ସମୀର ସାହୁ ଏହି ଖବର ତାଙ୍କ ପରିବାରବର୍ଗଙ୍କୁ ଦେଇନଥିବା ବେଳେ ବାହାରୁ ପରିବାର ବର୍ଗ ଖବର ପାଇଁ ପରିବାରକୁ ଜଣାଇଥିଲେ। ଏଥିରେ ଉକ୍ତ କ୍ରସର ମାଲିକଙ୍କ ସମ୍ପୃକ୍ତି ରହିଥିବା ନେଇ ସାଧରଣରେ ଆଲୋଚନା ହେଉଛି। ଏପରକି କ୍ରସର ମାଲିକଙ୍କୁ ଗଣମାଧ୍ୟମ ପ୍ରତିନିଧି ଯୋଗାଯୋଗ କରିଥିଲେ ସୁଧା ସେ କୌଣସି ଉତ୍ତର ଦେଇନଥିଲେ। ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାଶ ଘଟଣାସ୍ଥଳରୁ ମୃତ ଦେହ ଜବତ କରି ତଦନ୍ତ ଚଳାଇଛନ୍ତି। ଯଦି ତୁରନ୍ତ ଦୋଷୀଙ୍କୁ ଧରା ନଯାଇ ତେବେ ପରିବାର ଏବଂ ସମ୍ପର୍କିୟଙ୍କ ପକ୍ଷରୁ ଜେନାପୁର ଥାନା ଘେରାଉ କରାଯିବା ସହିତ ଏହି ବିଷୟରେ ଉଚ୍ଚଅଧିକାରୁ ଅଭିଯୋଗ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।