Odiapua.com

କୌଶଳ ରଥ ପରିକ୍ରମା ପ୍ରସ୍ତୁତି ବୈଠକ , ଅଗଷ୍ଟ ୨୮ ରୁ ୪ ଦିନ ଜିଲ୍ଲାରେ ବୁଲିବ ରଥ

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ଦକ୍ଷ ଓଡ଼ିଶା ବିକଶିତ ଓଡ଼ିଶା ପ୍ରଚାର ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଥିବା କୌଶଳ ରଥ ଚଳିତ ମାସ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭଦ୍ରକ ଜିଲ୍ଲା ପରିକ୍ରମା କରିବା ନେଇ ସୂଚନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କୌଶଳ ରଥ ପରିକ୍ରମା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ପାଇଁ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କୁ ନୂତନ ଜ୍ଞାନ କୌଶଳ, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ ଆଦି ସମ୍ପର୍କରେ ଅବଗତ କରାଇବା ଆଭିମୁଖ୍ୟ ନେଇ ପରିକ୍ରମା କରୁଥିବା ଏହି ରଥ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍ , ପୌରାଂଚଳ ଆଦିରେ ବୁଲିବା ନେଇ ମାର୍ଗ ତାଲିକା, ଶିକ୍ଷାନୁଷ୍ଠାନ ଚିହ୍ନଟିକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅଭିନବ ପ୍ରଦର୍ଶନ ପାଇଁ ଶିଳ୍ପ ତାଲିମ୍ କେନ୍ଦ୍ର ଓ ସରକାରୀ ପଲିଟେକ୍‌ନିକ୍ ରୁ ତାଲିମ୍ ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ଯୋଗଦାନ, ଯାତ୍ରା ସମୟରେ କୌଶଳ ରଥର ସୁରକ୍ଷା ବ୍ୟବସ୍ଥା ଓ ରାତିରେ ରହିବା ପାଇଁ ସ୍ଥାନ ଚିହ୍ନଟିକରଣ ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଗଲା । ସୂଚନା ଯୋଗ୍ୟ କି ବାଲେଶ୍ୱର ଜିଲ୍ଲାପ୍ରଶାସନ ଦ୍ୱାରା ଏହି ରଥକୁ ୨୭ ତାରିଖ ସଂଧ୍ୟାରେ ଭଦ୍ରକ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତରିତ କରାଯିବା ପରେ ୨୮ ତାରିଖ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏହି ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ ଅଧିକାରୀ ଅନୀତା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଏସ୍‌.ପି. ବାମଦେବ ସିଂ, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦି୍ୱବେଦୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଏ.ଡ଼ି.ଇ.ଓ. ପ୍ରଣୟ କୁମାର ନାୟକ, ସରକାରୀ ପଲିଟେକ୍‌ନିକ୍‌ର ଅଧ୍ୟକ୍ଷ ଶରତ ଚନ୍ଦ୍ର ରାଉତ, ସରକାରୀ ଆଇ.ଟି.ଆଇ. ର ପ୍ରଶିକ୍ଷଣ ଅଧିକାରୀ ରଞ୍ଜନ କୁମାର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।