ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ମଙ୍ଗଳବାର ଅପରାହ୍ନରେ ୨ଟି ବାଇକ ମୁହାଁ ମୁହିଁ ହୋଇଥିବା ଜଣାଯାଇଛି। ଫଳରେ ମଙ୍ଗଳପୁର ସେବା ସମବାୟ ସମିତିର ସଦସ୍ୟ କୋହ୍ଲ ପଂଚାୟତ ଅଧିନ ଓରଡ଼ା ଗ୍ରାମର ଆଦିତ୍ୟ ମହାଳିକ(୩୮)ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ପ୍ରକାଶଯେ, ଆଦିତ୍ୟ ନିଜ ଘରୁ ବାଇକ ନେଇ କମାରିଆ ବଜାର ଅଭିମୁଖେ ଯାଉଥିଲେ।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଆଦିତ୍ୟ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସରପଞ୍ଚ କୈଳାଶ ପରିଡା,ସମିତି ସଭାପତି ନିତ୍ୟାନନ୍ଦ ବେହେରା ଓ କେତକ ସ୍ଥାନୀୟ ଅଂଚଳ ଲୋକ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଉଥିଲା।କଟକ ଯିବା ରାସ୍ତାର ଭଣ୍ଡାରୀ ପୋଖରୀ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଶୋକ ଛାୟା ଖେଳିଯାଇଛି । ଖବରପାଇ ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ,ସମିତି ପୂର୍ବତନ ସଭାପତି ପ୍ରବୀର ନାୟକ,ସମିତି ସମ୍ପାଦକ ଶଙ୍କର୍ଷଣ ଜେନା,ସହ ସମ୍ପାଦକ ରମାକାନ୍ତ ମହାପାତ୍ର,ସମ୍ବିତ ପରିଡା,କୀର୍ତୀ ପ୍ରକାଶ ପରିଡା,ମାଧବାନନ୍ଦ ମହାଳିକ,ଦୟାନିଧି ମହାଳିକ ପ୍ରମୁଖ ଭଦ୍ରକ ଡାକ୍ତର ଖାନାରେ ପହଂଚି ଶେଷଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।