Odiapua.com

କୋର୍ଟଙ୍କ ନିଷେଧାଜ୍ଞାକୁ ଅବମାନନା କରି କଂକ୍ରିଟ୍ ରାସ୍ତା ନିର୍ମାଣକୁ ନେଇ ଉତେଜନା

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ କାଳିମେଘା ଗ୍ରାମର ୮ନଂ ୱାର୍ଡ଼ରେ ପ୍ରଶାସନ କୋର୍ଟଙ୍କ ନିଷେଧାଜ୍ଞାକୁ ଅବମାନନା କରି କଂକ୍ରିଟ ରାସ୍ତା ନିର୍ମାଣ କରୁଥିବାକୁ ନେଇ ଉତେଜନା ପ୍ରକାଶ ପାଇଛି। କୋର୍ଟଙ୍କ ନିଷେଧାଜ୍ଞା ସମ୍ପର୍କରେ ଶୁକ୍ରବାର ଅଭିଯୋଗକାରୀ ନାରାୟଣ ଚନ୍ଦ୍ର ସାହୁ ତହସିଲଦାର ଓ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ପରେ ଏ ସମ୍ପର୍କରେ ଶନିବାର ନାରାୟଣ ଚନ୍ଦ୍ର ସାହୁ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ସୁଫଳ ମିଳିପାରି ନାହିଁ। ସେ ଅଭିଯୋଗରେ ଜଣାଇଛନ୍ତି ଯେ, କାଳିମେଘା ଗ୍ରାମର ଅନାଥ ସାହୁଙ୍କ ଘର ଠାରୁ କୁମ୍ଭାରସାହି ପର୍ଯ୍ୟନ୍ତ ପଂଚାୟତ ସମିତି ଅର୍ଥରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମର ନାରାୟଣ ସାହୁଙ୍କ ବ୍ୟକ୍ତିଗତ ଜାଗା ଖାତା ନଂ ୧୧୮, ପ୍ଲଟ ୯୦୮ ଉପରେ ଥିବା କିଛି ବାଉଁଶ ଗଛକୁ ସେହି ଗ୍ରାମର କେତେକ ବ୍ୟକ୍ତି ରାସ୍ତା ନିର୍ମାଣ ପାଇଁ କାଟି ଦେଇଥିଲେ। ଜମି ମାଲିକ ନାରାୟଣ ଏହାର ବିରୋଧ କରିଥିଲେ ମଧ୍ୟ ଅପରପକ୍ଷମାନେ କୌଣସି କର୍ଣ୍ଣପାତ କରିନଥିଲେ। ଯେଉଁଥିପାଇଁ ଉତେଜନା ପ୍ରକାଶ ପାଇଥିଲା। ଗତ ୨୦୧୭ ମସିହାରେ ସେହି ଜାଗା ଉପରେ ମୋରମ ରାସ୍ତା ନିର୍ମାଣ କରାଯିବାକୁ ଉଦ୍ୟମ କରାଯାଇଥିଲା। ସେ ସମୟରେ ନାରାୟଣ ଭଦ୍ରକ ସିଭିଲ ଜଜ୍ ଜୁନିୟର ଡିଭିଜନ କୋର୍ଟରେ ଦ୍ୱାରସ୍ତ ହୋଇଥିଲେ। ସେହି ଜାଗା ଉପରୁ କୌଣସି ଗଛ କଟା ନଯିବା ସହିତ ଜାଗାର କୌଣସି ପରିବର୍ତନ କରାଯାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇ ନିଷେଧାଜ୍ଞା ଜାରି କରିଥିଲେ। ଏହି ନିର୍ଦ୍ଦେଶ ଅଦ୍ୟାବଧି ବଳବତର ଥିବା ସତ୍ୱେ ସେହି ଜାଗାରେ କଂକ୍ରିଟ ରାସ୍ତା କରାଯିବା ଆଇନ ସଂଗତ ନୁହେଁ। ତେବେ କୋର୍ଟଙ୍କ ଆଦେଶକୁ ନମାନି ପ୍ରଶାସନ କିପରି କଂକ୍ରିଟ ରାସ୍ତା ନିର୍ମାଣ କରୁଛି, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।