Odiapua.com

କୋରାଇ ବ୍ଲକ୍ ମଣ୍ଡଳ ଉର୍ଣ୍ଣୟନ ଅଧିକାରୀଙ୍କ ରାଜ୍ୱତି; ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଜନପ୍ରତିନିଧି

ଭୁବନେଶ୍ୱର/ଯାଜପୁର୪ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦୀର୍ଘ ୧୩ ମାସ ପରେ ହେବାକୁ ଥିବା କୋରାଇ ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ତଥା ନିର୍ବାଚନ ପରର ପ୍ରଥମ ବୈଠକ ଆଜି ହୋଇପାରିନାହିଁ । ବୈଠକକୁ ନେଇ କିଛିଦିନ ଧରି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଟଣାଓଟରା ଓ ଛକାପଞ୍ଜା ଲାଗି ରହିଥିଲା । ବ୍ଲକ୍ ରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତିର ଜଣାପଡିବା ପରେ ଦୁର୍ନୀତିରେ ଉଭୟ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ହାତ ଥିବାରୁ ବିଭିନ୍ନ ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୁର୍ଣ୍ଣ ଥିଲା । ମାତ୍ର ପଞ୍ଚାୟତ ସମିତି ଗୃହର ଆବାହକ ତଥା ବ୍ଲକ୍ ପ୍ରଶାସନର ମୁଖ୍ୟ ବିଡ଼ିଓ ହୋଇଥିବା ବେଳେ ନିଜେ ବୈଠକ ସ୍ଥିର କରି ଅନୁପସ୍ଥିତ ରହିଥିଲେ । ଯାହାକୁ ନେଇ ଅଧ୍ୟକ୍ଷା ଓ ତାଙ୍କ ସମର୍ଥକ ବୈଠକରେ ଯୋଗ ନଦେବା ସହିତ ଏନେଇ ଜିଲ୍ଲାପାଳଙ୍କ ସମେତ ମୂଖ୍ୟମନ୍ତ୍ରୀ ଏବଂ ୫-ଟିର ସଚିବ ଭି. କେ ପାଣ୍ଡିୟାନଙ୍କୁ କରିଛନ୍ତି । ସମିତିସଭ୍ୟଙ୍କ ଅଭିଯୋଗ ମୁତାବକ ଗତମାସ ୧୯ ତାରିଖରେ କୋରାଇ ବ୍ଲକ୍ ପକ୍ଷରୁ ବିଡ଼ିଓ ଉମାକାନ୍ତ ପରିଡ଼ା ପତ୍ର ସଂଖ୍ୟା- ୩୪୪୮ ଜରିଆରେ ଅକ୍ଟୋବର ୪ ତାରିଖରେ ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ହେବାକୁ ଯାଉଥିବାର ସୂଚନା ଦେଇଥିଲେ । ହେଲେ ଆଜି ସଭ୍ୟମାନେ ନିର୍ଦ୍ଧାରିତ ସମୟରେ ବ୍ଲକ୍ କାର୍ଯ୍ୟାଳୟରେ ପହଁଚିବା ପରେ ଖୋଦ ବୈଠକର ଆବାହକ ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହି ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ବୈଠକ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ପାଇଥିଲେ । ବୈଠକ ଗୃହରେ କେବଳ ଜିପିଓ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସମେତ ବିଭିନ୍ନ ଲାଇନସ୍ ଡିପାର୍ଟମେଂଟରୁ ଆସିଥିବା ଅଧିକାରୀମାନେ ଉପସ୍ଥିତ ଥିଲେ । ବିଡ଼ିଓ ଅନୁପସ୍ଥିତ ଥିବାର ଜିପିଓ ଶ୍ରୀ ପାତ୍ର ଅଧ୍ୟକ୍ଷାଙ୍କୁ ସୂଚନା ଦେବାପରେ ଅଧ୍ୟକ୍ଷାଙ୍କ ସମେତ ଆସିଥିବା ପିଆର୍ଆଇ ମେମ୍ବରମାନେ ସଭାଗୃହରୁ ୱାକ ଆଉଟ୍ କରିଥିଲେ । ପରେ ଆଇନ୍ ଅନୁଯାୟୀ ବିଡ଼ିଓ କୌଣସି କାରଣରୁ ଅନୁପସ୍ଥିତ ରହିଲେ ସମିତି ବୈଠକ ପରିଚାଳନାର ଦାୟିତ୍ୱ ଜିଲ୍ଲାପାଳ ହିଁ ଅନ୍ୟ କାହାକୁ ଦେବାର ନିୟମ ରହିଥିବା ବେଳେ ବିଡ଼ିଓ ଶ୍ରୀ ପରିଡ଼ା କିପରି ବେଆଇନ୍ ଭାବରେ ସହକାରୀ ଯନ୍ତ୍ରୀଙ୍କୁ ଏଭଳି ଦାୟୀତ୍ୱ ହସ୍ତାନ୍ତର କଲେ ତାହାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ସେନାପତିଙ୍କୁ ଦେଇଥିଲେ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨ ଦିନ ତଳେ ‘ମୋ ସରକାର’ ଓ ୫-ଟି ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ କରି ପ୍ରଶାସନକୁ ନିରପେକ୍ଷ ଓ ସ୍ୱଚ୍ଛତାର ସହିତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଉଥିବା ବେଳେ କୋରେଇ ବ୍ଲକ୍ ପ୍ରଶାସନର ଏଭଳି ବେଆଇନ୍ କାର୍ଯ୍ୟ କେତେଦୁର ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ସଭ୍ୟମାନେ । ଏହା ସହିତ ଶାସକ ଦଳର ସଭ୍ୟମାନେ ମଧ୍ୟ ଅନୁପସ୍ଥିତ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଧ୍ୟକ୍ଷା ମାଳତୀ ଟୁଡୁ । ଦୀର୍ଘ ୧୩ ମାସ ଧରି ବିଭିନ୍ନ କାରଣରୁ କୋରେଇ ବ୍ଲକ୍ରେ ଦୁର୍ନୀତିର ଚେର ବହୁ ତଳକୁ ଲମ୍ବିଥିବା ସହ ଆବାସ ଯୋଜନା, ଫନି ପରବର୍ତୀ କ୍ଷୟକ୍ଷତି ମରାମତି ସମେତ ବହୁ ଯୋଜନା କୋରେଇ ବ୍ଲକ୍ରେ ଫେଲ ମାରିଥିବା ବେଳେ ବୈଠକରେ ଆଲୋଚନା କରି ସାଧାରଣ ଲୋକଙ୍କ ପାଇଁ ଏଗୁଡିକୁ ଫଳପ୍ରଦ କରାଯିବାର ଥିଲେ ମଧ୍ୟ ଶାସକ ଦଳ ବୈଠକକୁ ବର୍ଜନ କରି ଅନୁପସ୍ଥିତ ରହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତି ଟୁଡୁ ଅଭିଯୋଗ କରିଛନ୍ତି । ଯାହାକି ପରୋକ୍ଷରେ ହୋଇଥିବା ଦୁର୍ନୀତିରେ ବ୍ଳକ୍ର ପ୍ରଶାସନିକ ଅଧିକାରୀ ଓ ଶାସନ ଦଳ ସଭ୍ୟଙ୍କ ଗୋଚରରେ ହୋଇଥିବାର ଅଧ୍ୟକ୍ଷା ଶ୍ରୀମତୀ ଟୁଟୁ କହିଛନ୍ତି । ଏହା ସହିତ ଅଧ୍ୟକ୍ଷା ଆଦିବାସୀ କାର୍ଡ ଖେଳିବା ସହ ସେ ନିଜେ ଜଣେ ଆଦିବାସୀ ମହିଳା ହୋଇଥିବାରୁ ବ୍ଲକ୍ ପ୍ରଶାସନ ତାଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ ନକରାଇବା ସହିତ ବିଶ୍ୱାସକୁ ନେଉନଥିବା ଶ୍ରୀମତୀ ଟୁଡୁ କହିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ପିଆରଆଇ ମେମ୍ବରମାନେ ଅଭିଯୋଗ କରିଥିବା ବେଳେ ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ସେ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।