Odiapua.com

କୋଭିଡ଼ କଟକଣା ମଧ୍ୟରେ ବନ୍ତରେ ରଜପର୍ବ ପାଳିତ

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ କୋଭିଡ଼ କଟକଣା ମଧ୍ୟରେ ଓଡ଼ିଶାର ଗଣପର୍ବ ରଜପର୍ବ ପାଳିତ ହେଉଛି । ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ଏହି ପର୍ବକୁ ଚାଷୀଙ୍କ ପର୍ବ କୁହାଯାଉଥିବା ବେଳେ ମୁଖ୍ୟତଃ କୃଷକ ପରିବାରର ଲଳନାମାନେ ଏହି ୩ଦିନ ବେଶ ଧୂମଧାମରେ ପାଳନ କରିଥାନ୍ତି । ରଜଦୋଳି ସାଙ୍ଗକୁ ଖିଲିପାନ, ସାଙ୍ଗମେଳରେ ଘରଘର ବୁଲି ପିଠାପଣା ଖାଇବା, ଯୁବକମାନଙ୍କ ବାଗୁଡ଼ି ଓ ବୟସ୍କମାନଙ୍କ ତାସଖେଳରେ ଏହି ୩ଦିନ କିଭଳି ଚାଲିଯାଏ ତାହା ଜଣାପଡ଼ି ନଥାଏ । ତେବେ ଆଧୁନିକତାର ଦ୍ୱାହି ଦେଇ ଶିକ୍ଷିତ ସମାଜ ଏହି ପର୍ବ ପାଳନ ଠାରୁ ଦୂରେଇ ଯାଉଥିବାରୁ ଏହି ପର୍ବ ଜନମାନସରୁ ଧୀରେଧୀରେ ଦୂରେଇ ଯାଉଥିଲା । ଆଜକୁ କିଛିବର୍ଷ ହେବ ଏହି ପୁରାତନ ପର୍ବକୁ ଉଦ୍‌ଜୀବିତ କରି ରଖିବା ପାଇଁ ଏହି ବ୍ଲକରେ ରାମଚନ୍ଦ୍ରପୁର ପଞ୍ଚାୟତର ନିମାପଡ଼ା, ପୁରୁଷଣ୍ଢ ପଞ୍ଚାୟତ ଡ଼ାଏଟନିକଟସ୍ଥ ମେଳନପଡ଼ିଆ, ବଡ଼ମହିଷଗୋଠ ପଞ୍ଚାୟତ ଟିକିରାସ୍ଥିତ ବରଗଛ ପଡ଼ିଆ ଠାରେ ରଜ କମିଟି ଜରିଆରେ ରଜୋବତୀ ଠାକୁରାଣୀ ପୂଜା, ରଜମହୋତ୍ସବ, ରଜ କୁଇନ ପ୍ରତିଯୋଗୀତା, ଝୋଟି ପ୍ରତିଯୋଗୀତା, ବିଭିନ୍ନ କିସମ ଦୋଳି, ମୀନାବଜାର, ଆଦି ଆୟୋଜନ କରି ଏହାର ମାନକୁ ବଢାଇ ଆସୁଥିଲେ । ତେବେ କରୋନା ମହାମାରୀ ସମୟରେ ୨ବର୍ଷ ହେବ ରଜପର୍ବ ପାଳନ ଫିକା ପଡ଼ି ଯାଇଛି । କରୋନା କଟକଣା ଯୋଗୁଁ ଶୁଭୁନାହିଁ ‘ବନସ୍ତେ ଡ଼ାକିଲା ଗଜ’ର ସୁମଧୁର ସ୍ୱର । ହାତବାନ୍ଧି ବସିଛନ୍ତି ସଙ୍ଗଠନମାନଙ୍କର ଉଦ୍ୟୋକ୍ତା । ସାମାଜିକ ଦୂରତା ଯୋଗୁଁ ଯାଇହେଉ ନାହିଁ ସାଇପଡ଼ିଶାଙ୍କ ଘରକୁ ।

ତେବେ ୨ବର୍ଷ ହେବ ଏହାକୁ ସଂମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପାଳନ କରାଯାଇ ନିଜ ଘରେ ପୂଜାପାଠ, ପିଠାପଣା କରି ପରିବାର ମଧ୍ୟରେ ଏକ ଖୁସିର ମାହଲ ସୃଷ୍ଟି କରାଯାଉଛି ବୋଲି ସମାଜସେବିକା ତଥା କବୟିତ୍ରୀ ଅନ୍ନପୂର୍ଣ୍ଣା ଦାଶ କହିଛନ୍ତି । ଏନେଇ ଟିକିରା ରଜମହୋତ୍ସବ କମିଟିର ସଭାପତି ମନ୍ମଥ କୁମାର ଦାସ କହନ୍ତି, ଏଠାରେ ଆଜକୁ ୧୮ବର୍ଷ ଧରି ରଜମହୋତ୍ସବ ୪ଦିନ ବ୍ୟାପି ମହାଆଡ଼ମ୍ବରରେ ପାଳିତ ହୋଇ ଆସୁଥିଲା । ତେବେ ୨ବର୍ଷ ହେବ କରୋନା ନିୟମ ମାନି କେବଳ ଠାକୁରାଣୀ ପୂଜାରେ ଏହା ସୀମିତ ରଖାଯାଉଛି । ପୁରୁଷଣ୍ଢ ମେଳନ ପଡ଼ିଆ ରଜ କମିଟିର ସଭାପତି ପିଣ୍ଟୁ ପୃଷ୍ଟି କହନ୍ତି, ଏହି ଗଣପର୍ବକୁ ଅଧିକ ଲୋକାଭିମୁଖୀ କରିବାକୁ ଆମ କମିଟି ପକ୍ଷରୁ ନିରନ୍ତର ଉଦ୍ୟମ ହୋଇ ଆସୁଥିଲା । ପ୍ରତିବର୍ଷ ଆମେ ନୂଆନୂଆ ଢଙ୍ଗରେ ଏହାକୁ ପାଳନ କରିବା ସହିତ ଲୋକଙ୍କ ମନରେ ଉତ୍ସାହ ବଢାଇ ଆସୁଥିଲୁ । ମାତ୍ର କରୋନା ସମସ୍ତ ଆନନ୍ଦ ଉଲ୍ଲାସକୁ ଧୋଇ ନେଇଛି । ସେହିଭଳି ନିମାପଡ଼ା ରଜ କମିଟିର ସଭାପତି ହୃଷିକେଷ ମିଶ୍ର, କୁହନ୍ତି, ଯଦିଓ ଏହା କୃଷି ଭିତ୍ତିକ ପର୍ବ ତେବେ ଆଧୁନିକତାକୁ ଦୃଷ୍ଟି ଦେଇ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଏହାକୁ ମନୋରମ କରି ଆସୁଥିଲୁ । ଗ୍ରାମଞ୍ଚଳରେ ଏହି ସର୍ବପୁରାତନ ପର୍ବକୁ ଗଣପର୍ବ ଭାବେ ପାଳନ କରିବା ନିମନ୍ତେ ଆମକୁ ବହୁତ କଷ୍ଟସାଧନ କରୁିବାକୁ ପଡ଼ୁଥିଲେ ବି ଏହା ମାଧ୍ୟମରେ ଆମେ ଆତ୍ମ ସନ୍ତୋଷ ଲାଭ କରିୁଥିଲୁ । ତେବେ କରୋନା ପ୍ରଭାବ ଯୋଗୁଁ ଏହି ପର୍ବ ପାଳନ ଫିକା ପଡ଼ିଛି । ତେବେ କରୋନା କାଳରେ ଏକ ଭିନ୍ନ ଧରଣର ରଜ ପାଳନକୁ ପ୍ରକୃତିର ଏକ ଶିକ୍ଷା ବୋଲି ଲୋକେ କୁହାକୁହି ହେଉଛନ୍ତି ।