Odiapua.com

କୋଭିଡ଼ କଟକଣା, କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଉତ୍ସବ ବନ୍ଦ ପାଇଁ ୧୪୪ ଧାରା ଜାରି

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ବ୍ରତ ପାଳନ ଅବସରରେ ଆସନ୍ତା ୧୯ ତାରିଖରେ ପଡ଼ୁଥିବା କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ବିଭିନ୍ନ ନଦୀଘାଟ ଓ ଶିବ ମନ୍ଦିର ମାନଙ୍କରେ ପୂଜା ଅର୍ଚ୍ଚନା ପାଇଁ ବହୁଳ ଜନ ସମାବେଶର ସମ୍ଭାବନା ରହିଛି । ଯାହା ସାର୍କ କୋଭିଡ଼-୨ ସଂକ୍ରମଣକୁ ତୀବ୍ର ଭାବରେ ବିସ୍ତାର କରିପାରେ ଏବଂ ଯାହାର ସାଂଘାତିକ ସ୍ୱାସ୍ଥ୍ୟଗତ କୁପ୍ରଭାବ ବୟସ୍କ, ଶିଶୁ, ପୂର୍ବରୁ ବିଭିନ୍ନ ରୋଗଗ୍ରସ୍ତ ଆଦି ଜନ ସାଧାରଣଙ୍କ ଉପରେ ପଡ଼ିବାର ସମ୍ଭାବନା ଅଛି । ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଏ ଦିଗରେ ଜାରି କରାଯାଇଥିବା ମାର୍ଗ ଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲାର ଜନ ସାଧାରଣଙ୍କ ଜୀବନ, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ଭଦ୍ରକ ଜିଲ୍ଲାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳନ ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା କଟକଣା ଜାରି କରାଯିବା ସହ ନିଷେଦ୍ଧ କରାଯାଇଛି । ୧୪୪ ଧାରା ଜାରି କରାଯାଇ ଯଥାଶୀଘ୍ର ଜନଗହଳି ପାଇଁ ପ୍ରତିବନ୍ଧିକ କରାଯିବା ସହ କ୍ଷୀପ୍ର ପ୍ରତିଷେଧକର ଆବଶ୍ୟକତା ମତେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଶ୍ରୀ ମନୋଜ କୁମାର ପାତ୍ରଙ୍କ ଦ୍ୱାରା ଜିଲ୍ଲାର ପ୍ରମୁଖ ଶିବ ମନ୍ଦିର ବେଢ଼ା ମାନଙ୍କରେ ୧୪୪ ଧାରା ଜାରିକରାଯାଇଛି । ଏହି କଟକଣା ତା.୧୮.୧୧.୨୦୨୧ ସକାଳ ୮ଟା ଠାରୁ ତା.୧୯.୧୧.୨୦୨୧ ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଆଖଣ୍ଡଳେଶ୍ୱର ମହାଦେବ, ଆରଡ଼ି, ଧାମରାଇ ମନ୍ଦିର, ଧାମରା, କାଳୀ ମନ୍ଦିର, ଚାନ୍ଦବାଲି, ମା’ ଭଦ୍ରକାଳୀ ମନ୍ଦିର ଆହାରପଦା, ଭଦ୍ରକ ଲୋକନାଥ ମନ୍ଦିର, ଭଦ୍ରକ, ବଙ୍କବାସୁଳି ମନ୍ଦିର, ଭଦ୍ରକ, ପଞ୍ଚମୁଖୀ ହନୁମାନ ମନ୍ଦିର, ଶାହାପୁର, ଶନି ମନ୍ଦିର ଏବଂ ଶିବ ମନ୍ଦିର, ରାଜଘାଟ, ବିରଞ୍ôଚନାରାୟଣ ମନ୍ଦିର, ପାଳିଆବିନ୍ଧା, ତିହିଡ଼ି ଏବଂ ଶାସ୍ତ୍ରୀ ନଦୀ ଘାଟ, ଚାନ୍ଦବାଲି, ସାଳନ୍ଦୀ ନଦୀଘାଟ, ନୂଆଘାଟ ଆରଡ଼ି ଏବଂ ଭଦ୍ରକ ରାଜସ୍ୱ ଉପଖଣ୍ଡ ଜିଲ୍ଲାର ଅନ୍ୟ ଯେ କୌଣସି ପ୍ରସିଦ୍ଧ ଆଧ୍ୟାତ୍ମିକ ପୂଜା ସ୍ଥାନ (ମନ୍ଦିର) ଏବଂ ନଦୀଘାଟ ପାଇଁ କଟକଣା ଜାରି କରାଯାଇଛି । ଜଣେ ମାତ୍ର ସେବାୟତ ମନ୍ଦିରରେ ଦେବତାଙ୍କର ନୀତିକାନ୍ତି କରିବେ । କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । କାର୍ତ୍ତିକ ପୂର୍ଣ୍ଣିମାକୁ ନୀତିକାନ୍ତି ଓ କେବଳ ନିଜ ଘରେ ପାଳନ କରିବେ । ସାଧାରଣ ଜନତାଙ୍କ ଅଂଶୀଦାର ରହିବନାହିଁ । ଦର୍ଶିତ ସମସ୍ତ ମନ୍ଦିର, ଘାଟ ଏବଂ ଜିଲ୍ଲାର ଅନ୍ୟ ସମସ୍ତ ପ୍ରସିଦ୍ଧ ମନ୍ଦିର କି ଘାଟ କାର୍ତ୍ତିକ ପୂର୍ଣ୍ଣିମା ପାଳନ କି ବୋଇତ ବନ୍ଦାଣ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ । ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଧାରଣ ଦର୍ଶନ ମନା । ଡ଼ାକବାଜି ଯନ୍ତ୍ରର ବ୍ୟବହାର ହେବ ନାହିଁ । ଯେକୌଣସି ଧାର୍ମିକ ସମ୍ପ୍ରଦାୟ ଦ୍ୱାରା କୌଣସି ଧାର୍ମିକ ଶୋଭାଯାତ୍ରା ହୋଇପାରିବ ନାହିଁ । କୌଣସି ଅପେରା, ମେଲୋଡ଼ି କିମ୍ବା କୌଣସି ମନୋରଞ୍ଜନ ଧର୍ମୀ କାର୍ଯ୍ୟ ହୋଇପାରିବ ନାହିଁ । ଏହି ଅବଧି ମଧ୍ୟରେ କୌଣସି ପୂଜା ଉତ୍ସବ ପାଇଁ ସାମୂହିକ ଭୋଜି ଭାତକୁ ଅନୁମତି ଦିଆଯିବ ନାହିଁ । ପୂଜକ, କର୍ମକର୍ତ୍ତା, ସହଯୋଗ କର୍ମଚାରୀ ମିଶି କୌଣସି ମତେ ୭ ଜଣରୁ ଅଧିକ ପୂଜାସ୍ଥଳୀ ମାନଙ୍କରେ ରହି ପାରିବେ ନାହିଁ । ଧାର୍ମିକ ସମାବେଶ ପାଇଁ ୭ ଜଣରୁ ଅଧିକ ଲୋକ ରହିବାକୁ କଡ଼ାକଡ଼ି ଭାବେ ନିଷେଦ୍ଧ କରାଯାଇଛି । ଓଡ଼ିଶା କୋଭିଡ଼-୧୯ ଆଇନ୍ ୨୦୨୦ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତା ସହ ମାସ୍କ ପରିଧାନ କରିବେ । ଜିଲ୍ଲାର ସମସ୍ତ ଆଇ.ଆଇ.ସି. ଏବଂ ଓ.ଆଇ.ସି. ମାନଙ୍କୁ ସେମାନଙ୍କ ଥାନା ସୀମା ଭିତରେ ଆସୁଥିବା ଅଞ୍ଚଳରେ ଥିବା ସମସ୍ତ ମନ୍ଦିର, ଘାଟ ଓ ପୂଜାସ୍ଥଳୀ ମାନଙ୍କରେ ଏହି ଆଦେଶ କାର୍ଯ୍ୟକାରୀ କରିବା ସହିତ ଆଇନ୍ ଶୃଙ୍ଖଳା ରକ୍ଷା କରିବାକୁ ଆଦେଶ ଦିଆଯାଇଛି ।