Odiapua.com

କୋଭିଡ଼୍ କଟକଣା କୋହଳ ହେବା ପରେ ପୁରୀ ସହର ଚଳଚଞ୍ଚଳ

ପୁରୀ, ୧୯/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୋଭିଡ଼୍‌-୧୯ ପାଇଁ ଦୀର୍ଘ ୯ମାସ ଧରି ସହରର ସମସ୍ତ ହୋଟେଲ, ଲଜିଂ, ରେସ୍ତୋରାଁ, ସପିଙ୍ଗ କମ୍ପଲେକ୍ସ ଆଦି ବନ୍ଦ ରହିଥିଲା। କୋଭିଡ଼ କଟକଣା କୋହଳ ହେବା ସହ ଅନଲକ-୫ ରେ ସମସ୍ତ ଦୋକାନ ବଜାର, ମାର୍କେଟ କମ୍ପଲେକ୍ସ, ହୋଟେଲ, ଲଜିଂ ଆଦି ଖୋଲିଯିବା ପରେ ସହର ଏବେ ଚଳଚଞ୍ଚଳ ହୋଇ ଉଠିଛି। ପୁରୀ ସହରକୁ ସମସ୍ତ ଟ୍ରେନ ଚଳାଚଳ ଆରମ୍ଭ ହୋଇନଥିଲେ ମଧ୍ୟ ଯେଉଁ କିଛି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି ସେଥିରେ ଦୂରଦୂରାନ୍ତରୁ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧି ପାଇଛି। ବସ ଚଳାଚଳ ଆରମ୍ଭ ହେବା ସହ ପର୍ଯ୍ୟଟକମାନେ ମଧ୍ୟ ନିଜସ୍ୱ ଗାଡ଼ି ଓ ଭଡ଼ାଗାଡ଼ିରେ ମଧ୍ୟ ପୁରୀ ଆସୁଥିବା ଲକ୍ଷ୍ୟ କରାଯାଇଛି। ବେଳାଭୂମି ଅଞ୍ଚଳରେ ଥିବା ହୋଟେଲଗୁଡ଼ିକ ଦୀର୍ଘ ୯ମାସ ଧରି ବନ୍ଦ ରହିବା ପରେ ଏବେ କିଛି ଦିନ ହେଲା ବେସ ଚଳଚଞ୍ଚଳ ହେବା ସଙ୍ଗେ ହୋଟେଲଗୁଡ଼ିକରେ ଥିବା କୋଠରି ଗୁଡ଼ିକରେ ମଧ୍ୟ ପୂର୍ଣ୍ଣ ହୋଇଥିବା ଜଣାଯାଇଛି। ସେହିପରି, ବେଳାଭୂମିରେ ସଂନ୍ଧ୍ୟା ସମୟରେ ପର୍ଯ୍ୟଟକମାନଙ୍କର ବେସ ଭିଡ଼ ଜମୁଛି। କିନ୍ତୁ, ଜନଗହଳି ସ୍ଥାନଗୁଡ଼ିକରେ ସାମାଜିକ ଦୂରତା ରହୁନଥିବା ଦେଖାଯାଏ। ଜିଲ୍ଲାରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ଦେଖାଯାଏ। ଗତକାଲି ଜିଲ୍ଲାରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଥିଲା। ସହରରେ ଥିବା ବିଭିନ୍ନ ଜଳଖଇଆ ଦୋକାନରେ ମଧ୍ୟ ଗ୍ରାହକମାନଙ୍କର ଭିଡ଼ ଲାଗିଥିବା ଦେଖାଯାଏ। ସେଠାରେ ମଧ୍ୟ କୋଭିଡ଼ ନିୟମକୁ ଉଲ୍ଲଘଂନ କରାଯାଉଥିବା ଦେଖାଯାଏ। ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଯେପରି ସବୁ ସ୍ଥାନରେ ସାମାଜିକ ଦୂରତା, ସାନିଟାଇଜ୍ କରିବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।