Odiapua.com

କୋଭିଡ ୧୯ ରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ହୋଇଥିବା ଦୁର୍ନୀତିର ସରକାର କାହିଁକି ତୁରନ୍ତ ପଦକ୍ଷେପ ନେଉନାହାନ୍ତି : ନିରଞ୍ଜନ

ଭୁବନେଶ୍ୱର ୧୧-୮ (ଓଡ଼ିଆ ପୁଅ) – ଗତ ଦୁଇ ତିନିଦିନ ଧରି କୋଭିଡ୍ – ୧୯ର ମ୍ୟାନେଜମେଂଟକୁ ନେଇ ବହୁ ତର୍କ ବିତର୍କ ଚାଲିଛି। ଆମେମାନେ ମଧ୍ୟ ସେଥିରେ ମତ ଦେଇଥିଲୁ ଯେ ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି। ଏକ ନିର୍ଦ୍ଦିଷ୍ଟ ସମ୍ବାଦ ପରିବହନ ସଂସ୍ଥା ଦୁଇଜଣଙ୍କର କଥୋପକଥନର କଥାକୁ ପ୍ରଚାର କରିଥିଲେ। ଆଜି ସରକାର ତାଙ୍କର ପକ୍ଷ ରଖିଲେ, ଯେ ଏହା ଗୋଟିଏ ମନଗଢା କଥା। କିନ୍ତୁ ଏହା ଯେହେତୁ ଆଇନ୍ ପରିସରଭୁକ୍ତ କଥା ସେ ବିଷୟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କିଛି କହିବାକୁ ମନା କରିଥିବା ବେଳେ ସମୟ ସେ ବିଷୟରେ ନିଷ୍ପତି କରିବ। ଏହା ମନଗଢ଼ା କଥା ବୋଲି କହି ସରକାର ଯେପରି ଭାବେ ଏ ବିଷୟରେ ତୁରନ୍ତ ପଦକ୍ଷେପ ନେଇ ଦୁଇଜଣଙ୍କୁ ଜୁଡ଼ିସିଆଲ କଷ୍ଟଡିକୁ ନେଲେ। ଗତ ଦୁଇମାସ ଧରି ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ ବ୍ୟକ୍ତି ବିଶେଷ ଯେଉଁ ମତ ପ୍ରକାଶ କରିଛନ୍ତି ଯେ କୋଭିଡ୍ ୧୯ ର ମୁକାବିଲା ପାଇଁ ସରକାର ଯେଉଁସବୁ ଜିନିଷ କିଣିଛନ୍ତି ତା’ର କୌଣସି ନିୟମକାନୁନ୍ ମାନି ନାହାନ୍ତି ଏବଂ ଏଥିରେ ସ୍ୱାସ୍ଥ୍ୟ ବିଭାଗର କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିବା ସତ୍ୱେ ସେ ବିଷୟରେ ସରକାର କାହିଁକି ତୁରନ୍ତ ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ। ଦୟାକରି ଅଭିଯୋଗକୁ ସାମ୍ନା କରନ୍ତୁ ସରକାର। ଏପରିକି ଲୋକାୟୁକ୍ତରେ ମଧ୍ୟ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଲୋକାୟୁକ୍ତ ଅଧ୍ୟକ୍ଷ ନୋଟିସ ଦେଲେ ମଧ୍ୟ ସରକାରଙ୍କ ପକ୍ଷରୁ କେହି ଉପସ୍ଥିତ ରହୁନାହାନ୍ତି କି ତା’ର କୌଣସି ଉତର ଦେଉନାହାନ୍ତି। ତେଣୁ ଜନସାଧାରଣଙ୍କ ମନରେ ଯଥେଷ୍ଟ ସନ୍ଦେହ ସୃଷ୍ଟି ହୋଇଛି ଯେ କୋଭିଡ୍ ୧୯ ପରିଚାଳନା କ୍ଷେତ୍ରରେ ବହୁତ ଦୁର୍ନୀତି ହୋଇଛି। ପିସିସି ସଭାପତି ଅନୁରୋଧ କରିଛନ୍ତି ଯେ ଭିଡିଓ ଭାଇରାଲ କ୍ଷେତ୍ରରେ ଯେମିତି ତୁରନ୍ତ ପଦକ୍ଷେପ ନେଇ ଏହା ମନଗଢ଼ା କଥା ବୋଲି ସରକାର ଜାଣିପାରି ସେ ଉପରେ ତୁରନ୍ତ ପଦକ୍ଷେପ ନେଲେ ସେହିପରି ରାଜ୍ୟରେ କୋଭିଡ୍ ୧୯ ଦୁର୍ନୀତିର ପର୍ଦ୍ଦାଫାସ କରିବେ କି ବା ସରକାର ଉଚିତ୍ କାର‌୍ୟ୍ୟାନୁଷ୍ଠାନ ନେବେ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।