Odiapua.com

କୋଭିଡ-୧୯ ମୁକାବିଲାରେ ଭାରତର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ – ଦୈନିକ ୨୦୦ ଲୋକଙ୍କ ସହିତ କରୁଛନ୍ତି ଆଲୋଚନା

– ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜାରି
– ବିଭିନ୍ନ କ୍ଷେତ୍ରରୁ ସିଧାସଳଖ ମତାମତ ସଂଗ୍ରହ କରୁଛନ୍ତି

ନୂଆ ଦିଲ୍ଲୀ ୧୪-୪ (ଓଡ଼ିଆ ପୁଅ) ଭାରତର କୋଭିଡ-୧୯ ମୁକାବିଲାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି।

ପ୍ରଧାନମନ୍ତ୍ରୀ ଦୈନିକ ୨୦୦ରୁ ଅଧିକ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରି ଦେଶର କୋଭିଡ-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସିଧାସଳଖ ମତାମତ ସଂଗ୍ରହ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ଟେଲିଫୋନ ଯୋଗେ ଦେଶର ବିଭିନ୍ନ ପ୍ରାନ୍ତରୁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ସହିତ ଆଲୋଚନା କରୁଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ସହିତ ଦେଶ ଓ ସମାଜ ପ୍ରତି ସେମାନଙ୍କ ନିରନ୍ତର ସେବା ନିମନ୍ତେ କୃତଜ୍ଞତା ବ୍ୟକ୍ତ କରି ଆସୁଛନ୍ତି।

କରୋନା ଭୂତାଣୁ ସଂକ୍ରମଣର ନିୟନ୍ତ୍ରଣ ଲାଗି ଏକ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।

ଶ୍ରୀ ମୋଦୀ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ସେ ୨୪ ମାର୍ଚ୍ଚରେ ବିଭିନ୍ନ ଛାପା ଗଣମାଧ୍ୟମ ସଂସ୍ଥା ମୁଖ୍ୟଙ୍କ ସହିତ କଥାବାର୍ତ୍ତା କରିଥିଲେ। ଗଣମାଧ୍ୟମ ସକାରାତ୍ମକ ଖବର ପ୍ରସାରଣ କରି ନିରାଶାବାଦ ଓ ଭୟର ମୁକାବିଲା କରିବା ଉଚିତ ବୋଲି ଏହି ଦୁଇଟି ଅବସରରେ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

ମାର୍ଚ୍ଚ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଭିନ୍ନ ରେଡିଓ ଜକି ଓ ଅଲ ଇଣ୍ଡିଆ ରେଡିଓର ଉଦଘୋଷକମାନଙ୍କ ସହିତ ଭିଡିଓ କନଫରେନ୍ସରେ ଆଲୋଚନା କରିଥିଲେ।

ଏହି ଅବସରରେ ସେ କହିଥିଲେ, “କରୋନା ମୁକାବିଲାରେ ନିୟୋଜିତ ସ୍ଥାନୀୟ ଯୋଦ୍ଧାଙ୍କ ଯୋଗଦାନକୁ ଜାତୀୟସ୍ତରରେ ଉପସ୍ଥାପନ କରିବା ସହିତ ସେମାନଙ୍କର ମନୋବଳ ବଢ଼ାଇବାର ଆବଶ୍ୟକତା ରହିଛି।”

ପ୍ରଧାନମନ୍ତ୍ରୀ ମଧ୍ୟ ଟେଲିଫୋନ ଯୋଗେ କରୋନା ଭୂତାଣୁ ସଂକ୍ରମିତ ଏବଂ ଏଥିରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସହିତ କଥା ହୋଇ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ।

୨୫ ମାର୍ଚ୍ଚ ୨୦୨୦ରେ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତାଳାପରେ ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। କରୋନା ଭୂତାଣୁ ମୁକାବିଲା ନିମନ୍ତେ ସଂକଳ୍ପ, ଧୈର୍ଯ୍ୟ ଏବଂ ସମ୍ବେଦନଶୀଳତା ଅବଲମ୍ବନ କରିବା ସହିତ ଶ୍ରେଷ୍ଠ ପ୍ରଚଳନକୁ ଗ୍ରହଣ କରିବା ନିମନ୍ତେ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।

ନିୟମିତ ଆଲୋଚନା ଓ ବୈଠକ

ଜାନୁଆରୀ ପରଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ମୁକାବିଲା ନିମନ୍ତେ ସମସ୍ତ ମାର୍ଗ ଓ ମାଧ୍ୟମ ଖୋଜିବା ନିମନ୍ତେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଅଧିକାରୀମାନଙ୍କ ସହିତ ଆଲୋଚନା ଓ ବୈଠକ ଜାରି ରଖିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିୟମିତ ଅବଗତ କରାଯାଉଛି।

ଅନ୍ୟମାନଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରିବା

ସାମାଜିକ ଦୂରତ୍ୱ ଅବଲମ୍ବନ ଲାଗି ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ହୋଲି ମିଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ-ଜନତା କର୍ଫ୍ୟୁ ଓ ୩ ସପ୍ତାହର ଲକଡାଉନ

କୋଭିଡ-୧୯ ମୁକାବିଲା ନିମନ୍ତେ ଦେଶକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ୧୯ ମାର୍ଚ୍ଚ ୨୦୨୦ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାର୍ତ୍ତା ଦେଇଥିଲେ। ୨୨ ମାର୍ଚ୍ଚ ୨୦୨୦ ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଭାବେ ଜନତା କର୍ଫ୍ୟୁ ପାଳନ ନିମନ୍ତେ ସେ ନିବେଦନ କରିଥିଲେ।

ସାମାଜିକ ଦୂରତା ରକ୍ଷା ନିମନ୍ତେ ଦେଶକୁ ସଫଳତାପୂର୍ବକ ପ୍ରସ୍ତୁତ କରିବା ସମୟରେ ପ୍ରଧାନମନ୍ତ୍ରୀ ପୁଣିଥରେ ୨୪ ମାର୍ଚ୍ଚ ୨୦୨୦ରେ ଦେଶବାସୀଙ୍କୁ ଉଦବୋଧନ ଦେଇ ୩ ସପ୍ତାହର ଲକଡାଉନ ପାଳନ କରିବା ନିମନ୍ତେ ନିବେଦନ କରିଥିଲେ, କାରଣ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏହାହିଁ ସବୁଠାରୁ ପ୍ରଭାବଶାଳୀ ପଦକ୍ଷେପ ଥିଲା।

କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ‘ଧୈର୍ଯ୍ୟ ଓ ସଂକଳ୍ପ’ ଦୁଇଟି ପ୍ରଭାବଶାଳୀ ମନ୍ତ୍ର ବୋଲି ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଥିଲେ।

ଭୟଭୀତ ହୋଇ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିବା ସହିତ ସେମାନଙ୍କୁ ନିରନ୍ତର ଜରୁରି ସାମଗ୍ରୀ ଯୋଗାଣ ନିମନ୍ତେ ଆଶ୍ୱାସନା ଦେଇଥିଲେ।

କୋଭିଡ-୧୯ ଆର୍ଥିକ ମୁକାବିଲା ଟାସ୍କଫୋର୍ସ

ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ଆହ୍ୱାନର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ଏକ ‘କୋଭିଡ-୧୯ ଆର୍ôଥକ ମୁକାବିଲା ଟାସ୍କଫୋର୍ସ’ ଗଠନ ନିମନ୍ତେ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିୟୋଜିତ କରାଯାଇଥିଲା। ଏହି ଟାସ୍କଫୋର୍ସ ବିଭିନ୍ନ ଅଂଶୀଦାରଙ୍କ ସହିତ ପରାମର୍ଶ କରି ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି ଏବଂ ଏହି ଆଧାରରେ ବିଭିନ୍ନ ନିଷ୍ପତି ଗ୍ରହଣ କରୁଛି। ଏସବୁ ଆହ୍ୱାନ ମୁକାବିଲା ନିମନ୍ତେ ନିଆଯାଇଥିବା ନିର୍ଣ୍ଣୟ କାର୍ଯ୍ୟକାରୀକୁ ମଧ୍ୟ ଟାସ୍କଫୋର୍ସ ସୁନିଶ୍ଚିତ କରୁଛି।

ପ୍ରଧାନମନ୍ତ୍ରୀ ବ୍ୟବସାୟୀ ସମୁଦାୟକୁ ଆହ୍ୱାନ କରି କହିଥିଲେ ଯେ ସେମାନେ ଯେଉଁ ଲୋକମାନଙ୍କ ଠାରୁ ବିଭିନ୍ନ ପ୍ରକାରର ସେବା ନେଉଛନ୍ତି, ସେହି କମ ଆୟ ବର୍ଗର ଲୋକମାନଙ୍କର ଆର୍ôଥକ ଆବଶ୍ୟକତା ପ୍ରତି ଧ୍ୟାନ ଦିଅନ୍ତୁ। ସେମାନେ କାର୍ଯ୍ୟସ୍ଥଳୀକୁ ଯାଇପାରୁନଥିବା କାରଣରୁ ସେମାନଙ୍କ ଦରମା କାଟନ୍ତୁ ନାହିଁ। ଏପରି ଏକ ସମୟରେ ମାନବିକତା ଦୃଷ୍ଟିକୋଣରୁ ବିଚାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

ପିଏମ କେୟାର୍ସ ଫଣ୍ଡ

କୋଭିଡ-୧୯ ଭଳି ଯେକୌଣସି ପ୍ରକାରର ଜରୁରିକାଳୀନ ଏବଂ ସଂକଟପୂର୍ଣ୍ଣ ସମୟର ମୁକାବିଲା ନିମନ୍ତେ ଏକ ସମର୍ପିତ ଜାତୀୟ ପାଣ୍ଠିର ଆବଶ୍ୟକତା ଏବଂ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ସାର୍ବଜନୀନ ବଦାନ୍ୟ ଟ୍ରଷ୍ଟ ‘ଜରୁରିକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ରିଲିଫ ପାଣ୍ଠି’ (ପିଏମ କେୟାର୍ସ ପାଣ୍ଠି) ଗଠନ କରାଯାଇଥିଲା। ଏହି ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ରହିଛନ୍ତି।

ଯେକୌଣସି ସମସ୍ୟାର ସମାଧାନ ଲାଗି ଜନଭାଗିଦାରୀ ସବୁଠୁ ପ୍ରଭାବୀ ମାର୍ଗ ବୋଲି ପ୍ରଧାନମନ୍ତ୍ରୀ ସବୁବେଳେ ବିଶ୍ୱାସ କରି ଆସିଛନ୍ତି ଏବଂ ଏହା ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଛି। ଏଠାରେ ତାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ପାଣ୍ଠିରେ ମିଶ୍ରିତ ଦାନ ଗ୍ରହଣ କରାଯାଇପାରିବ। ଫଳରେ ଅଧିକ ସଂଖ୍ୟକ ଲୋକ ଚାହିଁଲେ ଏଥିରେ ସର୍ବନିମ୍ନ ଯୋଗଦାନ ମଧ୍ୟ ଦେଇପାରିବେ।

୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ

ନରେନ୍ଦ୍ର ମୋଦୀ ସରକାର ଗତ ମାର୍ଚ୍ଚ ୨୬ ତାରିଖରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏଥିରେ ଗରିବ ଲୋକମାନଙ୍କୁ ମୁଖ୍ୟତଃ ନଗଦ ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ପ୍ୟାକେଜରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ତିନି ମାସ ପାଇଁ ମାଗଣା ଖାଦ୍ୟଶସ୍ୟ, ଡାଲି ଓ ଗ୍ୟାସ ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଯାଇଥିଲା। କରୋନା ଭୂତାଣୁ ସଂକ୍ରମଣର ପ୍ରଭାବରୁ ଗରିବ ଲୋକଙ୍କ ଉପରେ ପଡ଼ିଥିବା ଆର୍ଥିକ ଚାପ ହ୍ରାସ କରିବା ଲାଗି ଏହି ପ୍ୟାକେଜରେ ଗୁରୁତ୍ୱାରୋପ କରାଯାଇଛି।

ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ବୈଠକ

୨୪ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ ଡାକ୍ତର, ନର୍ସ ଏବଂ ଲ୍ୟାବ ଟେକ୍ନିସିଆନମାନଙ୍କ ସହିତ ଆଲୋଚନା କରିଥିଲେ। କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଦେଶସେବା ନିମନ୍ତେ ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ପେସାଦାରମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆପଣମାନେ ଆଶାବାଦୀ ରହିବା ଫଳରେ ଦେଶ ବିଜୟୀ ହେବା ନେଇ ମୋ ଭିତରେ ଅଧିକ ବିଶ୍ୱାସ ସୃଷ୍ଟି କରିଛି”।

ସେ କହିଥିଲେ ଯେ ଔଷଧ କ୍ଷେତ୍ରରେ ଅଧିକ ଟେଲି ପରାମର୍ଶର ପ୍ରସ୍ତାବ ଉପରେ ସରକାର ବିବେଚନା କରୁଛନ୍ତି। ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଏବଂ ସରକାର ସେମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ।

ଔଷଧ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ଆଲୋଚନା

ଔଷଧ ଏବଂ ଚିକିତ୍ସା ଉପକରଣର ନିୟମିତ ଯୋଗାଣ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ୨୧ ମାର୍ଚ୍ଚ ୨୦୨୦ରେ ଫାର୍ମା ସେକ୍ଟରର ପ୍ରତିନିଧିମାନଙ୍କ ସହିତ ଏକ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଫାର୍ମା ଉଦ୍ୟୋଗ ଜଗତକୁ କୋଭିଡ-୧୯ ପରୀକ୍ଷଣ ଲାଗି ଆରଏନଏ କିଟ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତ କରିବା ଦିଗରେ କାମ କରିବା ଲାଗି କହିଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଦେଶରେ ସରକାର ଏପିଆଇ ଯୋଗାଣ ଜାରି ରଖିବା ଏବଂ ସେଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ସେ ଆବଶ୍ୟକ ଔଷଧ ଯୋଗାଣ ବଜାୟ ରଖିବା, କଳାବଜାରୀ ଏବଂ ଜମାଖୋରୀ ରୋକିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଆୟୁଷ ଚିକିତ୍ସକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ସାରା ଦେଶକୁ ସୁସ୍ଥ ରଖିବାର ପ୍ରୟାସ ସ୍ୱରୂପ, ପ୍ରଧାନମନ୍ତ୍ରୀ ୨୮ ମାର୍ଚ୍ଚ ୨୦୨୦ରେ ଆୟୁଷ ଚିକିତ୍ସକମାନଙ୍କ ସହିତ ଆଲୋଚନା କରିଥିଲେ। ସେ କହିଥିଲେ ଯେ କୋଭିଡ-୧୯ ମୁକାବିଲା ଦିଗରେ ହେଉଥିବା ପ୍ରୟାସରେ ଆୟୁଷ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ।

ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାଇଡ ଲାଇନ ମୁତାବକ ସେମାନଙ୍କ ନେଟୱର୍କକୁ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

ଏହି ସଂକଟପୂର୍ଣ୍ଣ ସମୟରେ ମାନସିକ ଏବଂ ଶାରୀରିକ ସୁସ୍ଥତା ନିମନ୍ତେ ଘରେ ଯୋଗ କରିବା ଲାଗି ଆୟୁଷ ମନ୍ତ୍ରଣାଳୟର ପ୍ରୋତ୍ସାହନ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ରାଜ୍ୟଗୁଡ଼ିକ ସହିତ ମିଶି କାମ କରିବା

କୋଭିଡ-୧୯ ମହାମାରୀର ମିଳିତ ମୁକାବିଲା ଲାଗି ପ୍ରୟାସ କରିବା ନିମନ୍ତେ ୨୦ ମାର୍ଚ୍ଚରୁ ୧୧ ଏପ୍ରିଲ ମଧ୍ୟରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି।

୨୦ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ କନଫରେନ୍ସ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ର ସହିତ ସମସ୍ତ ରାଜ୍ୟ ମିଳିମିଶି ଏହି ମହାମାରୀର ମୁକାବିଲା କରିବା ନିମନ୍ତେ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଭୂତାଣୁର ପ୍ରସାରକୁ ନେଇ ନିରନ୍ତର ସତର୍କତା ଏବଂ ନିରୀକ୍ଷଣ ବଜାୟ ରଖିବା ସକାଶେ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ ଏହି ମହାମାରୀ ମୁକାବିଲା କ୍ଷେତ୍ରରେ ଆମ ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି, କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା ଏବଂ ସେମାନଙ୍କୁ କୁହାଯାଇଥିଲା ଯେ କିଭଳି ଭାବେ ପ୍ରଧାନମନ୍ତ୍ରୀ ଦେଶର ଏହି ସମ୍ପୂର୍ଣ୍ଣ ସ୍ଥିତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଛନ୍ତି।

ଭୂତାଣୁ ମୁକାବିଲା ଲାଗି ଦେଶର ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏପ୍ରିଲ ୨ ତାରିଖରେ ପ୍ରଧାନମନ୍ତ୍ରୀ ପୁଣିଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟଗୁଡ଼ିକର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଲକଡାଉନ ପରିସ୍ଥିତିରୁ ଦେଶବାସୀଙ୍କୁ ବାହାର କରିବା ନିମନ୍ତେ ଏକ ସାଧାରଣ ପ୍ରସ୍ଥାନ ରଣନୀତି ଖୋଜିବା ନିମନ୍ତେ ସେ ରାଜ୍ୟଗୁଡ଼ିକୁ ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ ପୁଣିଥରେ ୧୧ ଏପ୍ରିଲରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଅଧିକାଂଶ ରାଜ୍ୟ ଲକଡାଉନକୁ ଆହୁରି ୧୫ ଦିନ ଅର୍ଥାତ ୩୦ ଏପ୍ରିଲ ୨୦୨୦ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ।

ବିସ୍ତୃତ ରଣନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନଙ୍କୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଆମର ଲକ୍ଷ୍ୟ ଥିଲା ‘ଜାନ ହୈ ତୋ ଜାହାନ ହୈ’ (ଜୀବନ ଅଛି ତ’ ଦୁନିଆ ଅଛି) ଏବେ ଆମର ମନ୍ତ୍ର ‘ଜାନ ଭି ଜାହାନ ଭି’ (ଜୀବନ ବି ଦୁନିଆ ବି)।

ମୁଖ୍ୟମନ୍ତ୍ରୀମାନଙ୍କୁ ସେ କହିଥିଲେ ଯେ ଭୂତାଣୁ ସଂକ୍ରମଣର ପ୍ରଭାବକୁ ବିବେଚନା କରିବା ଲାଗି ଆସନ୍ତା ୩ରୁ ୪ ସପ୍ତାହ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ସେ ପରାମର୍ଶ ଦେଇଥିଲେ ଯେ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଜାରି ରଖିବା ଓ କୃଷି ଉତ୍ପାଦ ବିକ୍ରି କରିବା ନିମନ୍ତେ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦୀ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଆରୋଗ୍ୟ ସେତୁ ଆପ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଯାତ୍ରା ନିମନ୍ତେ ଏହା ଇ-ପାସ ଭାବେ କାମ କରିବ।

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଉତର ପୂର୍ବାଂଚଳ ଓ କଶ୍ମୀର ଛାତ୍ରଛାତ୍ରୀଙ୍କ ପ୍ରତି ଦୁର୍ବ୍ୟବହାରକୁ ସେ ନିନ୍ଦା କରିଥିଲେ। ଦେଶରେ ଜରୁରି ଔଷଧ ଯୋଗାଣ ଯଥେଷ୍ଟ ହେଉଛି ବୋଲି ସେ ଆଶ୍ୱାସନା ଦେଇଥିଲେ।

ସାର୍କ କ୍ଷେତ୍ର ଏକଜୁଟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପରି ପ୍ରଥମ ନେତା ଯିଏ କି ଦକ୍ଷିଣ ଏସୀୟ ରାଷ୍ଟ୍ର ନେତାଙ୍କ ସହିତ ଭିଡିଓ କନଫରେନ୍ସ ସମୟରେ କ୍ଷେତ୍ରୀୟ ପରାମର୍ଶ ଏବଂ ଆଲୋଚନା ନିମନ୍ତେ ପରାମର୍ଶ ଦେଇଥିଲେ। ବିଶ୍ୱ ଜନସଂଖ୍ୟାର ଏକ ବୃହତ ଭାଗ ଏହି ସାର୍କ ଦେଶରେ ରହିଛି। ଭାରତ ନେତୃତ୍ୱରେ ସାର୍କ ଦେଶର ନେତାମାନଙ୍କ ବୈଠକ ୧୫ ମାର୍ଚ୍ଚ ୨୦୨୦ରେ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ମୋଦୀ ସହଯୋଗ ଭାବନା ପୋଷଣ କରି ନେତୃତ୍ୱ ନେବାକୁ ଆଗେ ଆସିଥିଲେ ଏବଂ କୋଭିଡ-୧୯ ଜରୁରିକାଳିନ ପାଣ୍ଠି ଗଠନ ଲାଗି ପରାମର୍ଶ ଦେଇଥିଲେ। ଏଥିରେ ସବୁ ରାଷ୍ଟ୍ର ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରିବା ଲାଗି ପ୍ରସ୍ତାବ ରଖାଯାଇଥିଲା। ଭାରତ ପ୍ରାରମ୍ଭିକ ଭାବେ ଏହି ପାଣ୍ଠି ଲାଗି ୧୦ ମିଲିୟନ ଆମେରିକୀୟ ଡଲାର ଯୋଗଦାନ ଦେବାକୁ ପ୍ରସ୍ତାବ ଦେଇଥିଲା। ଯେକୌଣସି ସହଯୋଗୀ ଦେଶ ତତକାଳ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ପାଣ୍ଠିର ଉପଯୋଗ କରିପାରିବେ।

ନେପାଳ, ଭୂଟାନ ଓ ମାଳଦୀପ ଭଳି ଅନ୍ୟ ସାର୍କ ଦେଶଗୁଡ଼ିକ ମଧ୍ୟ ଏହି ଜରୁରିକାଳୀନ ପାଣ୍ଠିରେ ନିଜର ଯୋଗଦାନ ଦେଇଛନ୍ତି।

ସ୍ୱତନ୍ତ୍ର ଭର୍ଚ୍ଚୁଆଲ ଜି-୨୦ ଶିଖର ସମ୍ମିଳନୀ

କୋଭିଡ-୧୯ ମହାମାରୀ କାରଣରୁ ଦେଖାଦେଇଥିବା ବୈଶ୍ୱିକ ସମସ୍ୟା ଏବଂ ଏହାର ସମାଧାନ ନିମନ୍ତେ ବିଶ୍ୱସ୍ତରରେ ମିଳିତ ପ୍ରୟାସ ସମ୍ପର୍କରେ ଆଲୋଚନା ନିମନ୍ତେ ୨୬ ମାର୍ଚ୍ଚ ୨୦୨୦ରେ ଜି-୨୦ ନେତୃବର୍ଗଙ୍କ ସ୍ୱତନ୍ତ୍ର ଜି-୨୦ ଭର୍ଚ୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏଥିପୂର୍ବରୁ ଏହି ବିଷୟରେ ସାଉଦୀ ଆରବର ଯୁବରାଜଙ୍କ ସହିତ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ।

ବୈଶ୍ୱିକ ସମୃଦ୍ଧି ଓ ସହଯୋଗ ପାଇଁ ମାନବଜାତିକୁ ଆମ ସଂକଳ୍ପର କେନ୍ଦ୍ରରେ ରଖିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ଡାକ୍ତରୀ ଗବେଷଣା ଓ ବିକାଶର ଲାଭକୁ ମୁକ୍ତ ଭାବେ ତଥା ଖୋଲାଖୋଲି ସମସ୍ତଙ୍କୁ ବାଂଟିବା ଏବଂ ଏକ ଗ୍ରହଣଯୋଗ୍ୟ, ମୁକାବିଲାକ୍ଷମ ତଥା ମାନବୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିକଶିତ କରିବା ଲାଗି ସେ ଗୁରୁତ୍ୱାରୋପ କରିଥିଲେ।

ମାନବଜାତିର ସାମଗ୍ରୀକ କଲ୍ୟାଣ ନିମନ୍ତେ ଏକ ନୂଆ ଜଗତିକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ବିଶ୍ୱ ନେତୃବର୍ଗଙ୍କୁ ଆହ୍ୱାନ କରିଥିଲେ। ମାନବଜାତିର ସହଭାଗୀ ହିତ ନିମନ୍ତେ ଏକ ବହୁପକ୍ଷୀୟ ମଂଚ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ସେ ଜୋର ଦେଇଥିଲେ।

ଅନ୍ତର୍ଜାତୀୟ ପ୍ରୟାସ

ପ୍ରଧାନମନ୍ତ୍ରୀ ୧୨ ମାର୍ଚ୍ଚ ୨୦୨୦ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ୧୭ ମାର୍ଚ୍ଚ ୨୦୨୦ରେ ସାଉଦୀ ଆରବର ରାଜା ମହମ୍ମଦ ବିନ ସଲମାନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ।

୨୫ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନଙ୍କ ସହିତ ଆଲୋଚନା କରିଥିଲେ। ୨୬ ମାର୍ଚ୍ଚରେ ଶ୍ରୀ ମୋଦୀ ଆବୁଧାବୀର ଯୁବରାଜ ମହାମହିମ ଶେଖ ମହମ୍ମଦ ବିନ ଜାୟେଦ ନାହ୍ୟାନଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଥିଲେ। ଏହାପରେ ସେ କାତାର ରାଷ୍ଟ୍ରର ଶାସକ ମହାମହିମ ଶେଖ ତମିମ ବିନ ହମାଦ ଅଲ ଥାନିଙ୍କ ସହିତ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ୟୁରୋପୀୟ କମିଶନର ଅଧ୍ୟକ୍ଷ ମହାମହିମ ଉର୍ସୁଲା ଭନ ଡେର ଲ୍ୟେନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତି, କୁଏତ ପ୍ରଧାନମନ୍ତ୍ରୀ, ଜର୍ମାନୀ ଚାନ୍ସଲର, ୱେଲ୍ସ ଯୁବରାଜ, ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ସ୍ପେନ, କୋରିଆ ରାଷ୍ଟ୍ରପତି, ଉଗାଣ୍ଡା ରାଷ୍ଟ୍ରପତି, ନେପାଳ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହିତ ଚଳିତ ମାସରେ ଆଲୋଚନା କରିସାରିଛନ୍ତି।

ଏଚସିକ୍ୟୁ ଯୋଗାଣ

ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଏବଂ ବ୍ରାଜିଲ ରାଷ୍ଟ୍ରପତିଙ୍କ ସହିତ ୪ ଏପ୍ରିଲ ୨୦୨୦ରେ ପୃଥକ ଭାବେ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ। ଏହି ଅବସରରେ ସେ ଏହି ବୈଶ୍ୱିକ ସଙ୍କଟର ମୁକାବିଲା ନିମନ୍ତେ ଆମେରିକା ଓ ବ୍ରାଜିଲ ପ୍ରତି ଭାରତରର ସହଯୋଗକୁ ଦୋହରାଇଥିଲେ।

କୋଭିଡ-୧୯ ମହାମାରୀ ନିୟନ୍ତ୍ରଣ ପ୍ରୟାସ ସ୍ୱରୂପ ଆମେରିକା ଓ ବ୍ରାଜିଲକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଯୋଗାଣ ନିମନ୍ତେ ମଧ୍ୟ ସେ ରଙ୍କକ୍ସକ୍ଟ ହୋଇଥିଲେ।

ଫସି ରହିଥିବା ନାଗରିକଙ୍କୁ ସହାୟତା

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ କରୋନା ମହାମାରୀ ପ୍ରଭାବିତ ଚୀନ, ଇଟାଲୀ, ଇରାନ ଓ ବିଶ୍ୱର ଅନ୍ୟ ଭାଗରେ ଥିବା ଦୁଇ ହଜାର ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଥିଲା।