Odiapua.com

କୋଭିଡ-୧୯ ନିୟମ ଖିଲାପ ନେଇ ପାଞ୍ଚୋଟି ଦୋକାନ ସିଲ ସହ ଗୋଟିଏ ବ୍ୟାଙ୍କ ପ୍ରଶାସନ କଲା ସିଲ

ବଲାଙ୍ଗୀର, ୨୨-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଟିଟିଲାଗଡ ପ୍ରଶାସନ ନିୟମ କଡାକଡି କରିବା ସହ ପ୍ରଶାସନ ତପ୍ତର ହୋଇପଡିଛି। ବିଶେଷ କରି ବିଭିନ୍ନ ଛକ ଗୁଡ଼ିକରେ ବିନା କାମରେ ଠିଆହୋଇ ରହିଥିବା ତଥା ସାମାଜିକ ଦୂରତ୍ୱ ନିୟମର ଉଲଂଘନ କରିବା ନେଇ ଅମାନିଆମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ଦେଖାଯାଉଛି। ସେହିପରି ପୌରପରିଷଦ କର୍ମଚାରୀ ପୋଲିସ ପ୍ରଶାସନ ସହ ସହରର ବିଭିନ୍ନ ଦୋକାନ, ଦୋକାନ ବୁଲି, ବୁଲି କୋଭିଡ଼ ନିୟମ ଉଲଂଘନ କରିଥିବା ଦୋକାନ ଗୁଡ଼ିକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ପୌରପରିଷଦ ଦୁଇଟି ଦୋକାନକୁ ସିଲ କରିଥିବା ବେଳେ ଆଜି ମଙ୍ଗଳବାର ଦିନ ପାଞ୍ଚଟି ଦୋକାନ ସମେତ ଗୋଟିଏ ବ୍ୟାଙ୍କକୁ ସିଲ୍ କରିଛି। ଗୋଟିଏ ମୋବାଇଲ ଦୋକାନ, ଗୋଟିଏ ଡାକ୍ତରୀ ଚଷମା ଦୋକାନ, ଗୋଟିଏ ସେଲୁନ, ଗୋଟିଏ ସିମେଣ୍ଟ ଦୋକାନ, ଗୋଟିଏ ଟ୍ରାଭେଲ୍ ସମ୍ବନ୍ଧୀୟ ଦୋକାନ ଓ ୟୁକୋ ବ୍ୟାଙ୍କ ଆଦିକୁ ସିଲ୍ କରାଯାଇଛି।

ଟିଟିଲାଗଡ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ କହିଛନ୍ତି, ଆଗକୁ ଆହୁରି କଟକଣା କଡାକଡି କରାଯିବ। ଯେଉଁମାନେ ମାସ୍କ ର ବ୍ୟବହାର କରୁନାହାଁନ୍ତି କିମ୍ବା ମାସ୍କ ବ୍ୟବହାରରେ ଅବହେଳା କରୁଥିବା ଦେଖାଗଲେ ଫାଇନ ଆଦାୟ କରାଯିବ ଓ ଦୋକାନୀ ମାନେ କୋରୋନା ନିୟମ ଉଲଂଘନ କଲେ ଦୋକାନ ଗୁଡ଼ିକୁ ସିଲ୍ କରାଯିବ, ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।