Odiapua.com

କୋଭିଡ୍ ହସପିଟାଲ ନର୍ସଙ୍କୁ ନିର୍ଯାତନା ଅଭିଯୋଗ – ୨୪ ଘଣ୍ଟା ଅଟକ ପରେ ଅଭିଯୁକ୍ତଙ୍କୁ ଛାଡ଼ିଲା ପୁଲିସ

ବାଲେଶ୍ୱର, ୨୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର କୋଭିଡ୍ ହସପିଟାଲର ନର୍ସଙ୍କୁ ଅସଦାଚରଣ ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ମ୍ୟାନେଜର ସଚ୍ଚିଦାନନ୍ଦ ପାଢ଼ୀ ଓ ଫାର୍ମାସିଷ୍ଟ ବିପ୍ଳବ ପାଢ଼ୀଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚୁରା ଜାରି ରଖିଛି। ବିଶେଷ କରି ଅବିବାହିତ ନର୍ସଙ୍କୁ ୧୫ ଦିନ ପରିବର୍ତ୍ତେ ଜବରଦସ୍ତ ମାସ ସାରା ଡ୍ୟୁଟିରେ ରଖିବା, ବିଳମ୍ବିତ ରାତିରେ ହ୍ୱାଟ୍ସଆପ୍‌ରେ ଆପତ୍ତିଜନକ ଭିଡିଓ ମେସେଜ୍ ପଠାଇବା, କଥାଛଳରେ ଅଶ୍ଳୀଳ ଇଙ୍ଗିତ କରିବା ସହ ପ୍ରେମ ନିବେଦନ କରିବା ଓ ମ୍ୟାନେଜରଙ୍କ ଅଫିସ୍‌କୁ ଏକୁଟିଆ ଯିବା ପାଇଁ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ସେମାନଙ୍କ ବିରୋଧରେ ଆସିଥିଲା। ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ଗତକାଲି ସଂଧ୍ୟାରେ ଜ୍ୟୋତି ହସପିଟାଲ ପରିସରରେ ନର୍ସମାନେ କାର୍ଯ୍ୟବନ୍ଦ କରିବା ଦହ ସେଠାରେ ଉତ୍ତେଜନା ମୂଳକ ସ୍ଥିତି ଦେଖିବାକୁ ମିଳିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳନା ଅଧିକାରୀ ଓ କୋଭିଡ୍ ହସପିଟାଲ ଅଧିକାରୀମାନେ ପହଞ୍ଚି ସମାଧାନ ପାଇଁ ଉଦ୍ୟମ କରିଥିଲେ ବି ସମାଧାନର ରାସ୍ତା ବାହାରି ନଥିଲା। ଶେଷରେ ନର୍ସମାନଙ୍କ ଲିଖିତ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ୧୯୮/ତା-୧୮-୭-୨୦୨୦ରିଖ ନଂର ମାମଲା ରୁଜୁ ସହ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲେ। ଗତକାଲି ରାତିରୁ ଆଜି ରାତି ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିବା ପରେ ବି ଥାନାଧିକାରୀ କ୍ଷମାସାଗର ପଣ୍ଡା ସେମାନଙ୍କୁ ଗିରଫ କରିବା ପାଇଁ ଉଚିତ ମଣି ନଥିଲେ। ଶେଷରେ ଆଜି ସେମାନଙ୍କଠାରୁ ଅଣ୍ଡରଟେକିଂ ଲେଖିନେଇ ଦୟା ଓ କ୍ଷମାର ଅବତାର ଥାନାଧିକାରୀ ଶ୍ରୀ ପଣ୍ଡା ଅଭିଯୁକ୍ତ ଦ୍ୱୟଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ଏବାବଦରେ ପଚାରିବାରୁ ଶ୍ରୀ ପଣ୍ଡା କୌଣସି ଉତ୍ତର ଦେବା ପରିବର୍ତ୍ତେ ମିଡିଆକୁ ଆଭଏଡ୍ କରିଥିଲେ।