Odiapua.com

କୋଭିଡ୍ କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୭୩ତମ ସାଧାରଣତନ୍ତ୍ର ଦିବସ ୨୦୨୨ କୁ ଭଦ୍ରକ ଜିଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଆଜି ଜିଲା କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଅରୁଣ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଯୋଗ ଦେଇଥିଲେ । ସଂପୂର୍ଣ୍ଣ କୋଭିଡ୍ କଟକଣା ଆଧାରରେ ନିରାଡମ୍ବର ଭାବେ ଏହି ଦିବସକୁ ପାଳନ କରାଯିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବାରୁ ସଂପୃକ୍ତ କେତେକ ବିଭାଗୀୟ ଅଧିକାରୀଙ୍କୁ ନେଇ ଏହି ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ଏହି ଉତ୍ସବ ପାଳନ ଉପଲକ୍ଷେ ଥିବା ସରକାରୀ ନିୟମ ସମ୍ବନ୍ଧରେ ଅତିରିକ୍ତ ଜିଲାପାଳ ବୈଠକରେ ସୂଚନା ପ୍ରଦାନ କଲାପରେ ଗତବର୍ଷର ବିବରଣୀ ଉପସ୍ଥାପନ କ୍ରମେ ଆଲୋଚନା କରାଯାଇ ନିଷ୍ପତ୍ତିମାନ ନିଆଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ଥିବା ସରକାରୀ ନିୟମ ସମ୍ବନ୍ଧରେ ଅତିରିକ୍ତ ଜିଲାପାଳ ବୈଠକରେ ସୂଚନା ପ୍ରଦାନ କଲାପରେ ଗତବର୍ଷର ବିବରଣୀ ଉପସ୍ଥାପନ କ୍ରମେ ଆଲୋଚନା କରାଯାଇ ନିଷ୍ପତ୍ତିମାନ ନିଆଯାଇଥିଲା ।

ଏହି ଦିବସ ପାଳନ ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଭୋର୍ ୪.୩୦ ମିନିଟ୍‌ରେ ଡାକବାଜି ଯନ୍ତ୍ର ଦ୍ୱାରା ଭଦ୍ରକ ପୌର ପରିଷଦ ଅଂଚଳରେ ରାମଧୂନ ପରିବେଷଣ କରାଯିବ । ସକାଳ ୭ଟାରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସକାଳ ୮.୩୦ ମିନିଟ୍‌ରେ ନେହେରୁ ଷ୍ଟାଡିୟମ୍ ଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ପାଳନ ଉତ୍ସବରେ କୌଣସି ଜନସାଧାରଣ ସାମିଲ ହେବେ ନାହିଁ କି ଶିକ୍ଷାନୁଷ୍ଠାନର ପିଲାମାନଙ୍କ ଦ୍ୱାରା ପ୍ୟାରେଡଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ । କେବଳ ପୁଲିସ୍ ପ୍ୟାରେଡ୍ କଣ୍ଟିଜେଣ୍ଟ ପଡିଆରେ ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇବେ । କରୋନା ଯୋଦ୍ଧା ହିସାବରେ ସୀମିତ ସଂଖ୍ୟକ ଡାକ୍ତର, ପୁଲିସ୍‌, ସ୍ୱାସ୍ଥ୍ୟକର୍ମୀ, ଅଗ୍ନିଶମ କର୍ମଚାରୀ, ସଫେଇ କର୍ମୀମାନଙ୍କୁ ନିମନ୍ତ୍ରଣ କରାଯିବ । ଆଭାସି ଜରିଆରେ ହାଇସ୍କୁଲ ସ୍ତରରେ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।