Odiapua.com

କୋବିଡ଼ ଯୋଦ୍ଧା ଜୁନିଅର ଏମ୍‌ଭିଆଇଙ୍କ ସ୍ମୃତିଚାରଣ ସଭା

ଭଦ୍ରକ, ୨୩ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କନିଷ୍ଠ ମୋଟରଯାନ ନୀରିକ୍ଷକ ବା ଜୁନିଅର ଏମ୍‌ଭିଆଇ ବିପ୍ର ଚରଣ ଚୌଧୁରୀଙ୍କ କରୋନା ଜନିତ ମୃତ୍ୟୁ କାରଣରୁ ତାଙ୍କ ଏକାଦଶାହ ଅବସରରେ ଏକ ନିରାଡମ୍ବର ସ୍ମୃତିସଭା ଭଦ୍ରକ ଆଞ୍ଚଳକ ପରିବହନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସ୍ୱର୍ଗତ ଚୌଧୁରୀ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ତାଙ୍କ କାର୍ଯ୍ୟ ନିର୍ବାହ କରୁଥିଲେ। ଲକ୍‌ଡାଉନ ସଟ୍‌ଡାଉନ ମୟରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ନିଜ ଘରକୁ ପଠାଇବା ବେଳେ ତାଙ୍କର ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲା। ବିଶେଷ କରି କରୋନା ସମୟରେ ଆମ୍ବୁଲାନ୍‌ସ ସୁପରିଚାଳନା, ସଡକ ସୁରକ୍ଷା କାର୍ଯ୍ୟ ସେ ସୁଚାରୂ ଭାବେ ତୁଲାଉଥିଲେ। ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ ଭୁବନେଶ୍ୱରର ସମ୍ ହସ୍‌ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ପରଲୋକ ହୋଇ ଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ଏକାଦଶାହରେ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସହକାରୀ ପରିବହନ ଅଧିକାରୀ ସନ୍ତୋଷ କୁମାର ସାହୁ, କନିଷ୍ଠ ମୋଟରଯାନ ନିରୀକ୍ଷକ ଗୋଲାପ ଚନ୍ଦ୍ର ହାଁସଦା ପ୍ରମୁଙ୍କ ସହିତ ଅନ୍ୟ କର୍ମଚାରୀମାନେ ସ୍ୱର୍ଗତ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତିରେ ବକ୍ତବ୍ୟ ରଖିଥିଲେ।