Odiapua.com

କୋବିଡ଼ ନିୟମ ମାନି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନେହେରୁ ଷ୍ଟାଡିୟମ ପଡିଆରେ ଜିଲ୍ଳା ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ଉତ୍ସବ କୋବିଡ ନିୟମ ମାନି ନିରାଡମ୍ବର ଭାବେ ସୀମିତ ଅତିଥିଙ୍କ ଉପସ୍ଥିତିରେ ପାଳିତ ହୋଇ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ଠିକ ୮ଟା ୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । କେବଳ ପୁଲିସର ୨ଟି ବାହିନୀ ଏଥିରେ ଭାଗ ନେଇ ଜାତୀୟ ପତାକାକୁ ସଲାମୀ ଦେଇଥିଲେ । ଜିଲ୍ଲାପାଳ ଡ. ଦାସ ଏହି ଅବସରରେ ଭଦ୍ରକର ବରପୁତ୍ରମାନଙ୍କୁ ସ୍ମରଣ କରିବା ସହିତ ସମ୍ପ୍ରତି ସମଗ୍ର ବିଶ୍ୱକୁ ଗ୍ରାସିଥିବା କରୋନା ମହାମାରୀ ସହ ଲଢେଇ କରି ଏବେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣାଧୀନ ହୋଇଥିବାରୁ ସମସ୍ତ କରୋନା ଯୋଦ୍ଧା ତଥା ଭଦ୍ରକବାସୀଙ୍କ କୃତଜ୍ଞତା ଜଣାଇଥିଲେ । କରୋନା ମୁକାବିଲାରେ ଯୋଦ୍ଧା ଭାବେ ନିଜକୁ ସମର୍ପଣ କରି ଦିନରାତି ଯେଉଁମାନେ ଯୁଦ୍ଧ କରି ପ୍ରାଣବଳୀ ଦେଇଛନ୍ତି, ସେମାନଙ୍କୁ ଶ୍ରଦ୍ଧା ସୁମନ ନିବେଦନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓମ୍ ପ୍ରକାଶ ପାଣିଗ୍ରାହୀ, ରିତିକା ଋତୁପର୍ଣ୍ଣା ସାହୁ ଏବଂ ଶ୍ରାବଣୀ ମିଶ୍ର, ପ୍ରବନ୍ଧ ପ୍ରତିଯୋଗିତାରେ ସ୍ୱୟମ୍‌ସ୍ମିତା ବେହେରା, ସୁଶ୍ରୀ ଅଲିଭା ପଣ୍ଡା, ମହେକ ପରୱିନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ କୋଭିଡ଼୍ ଯୋଦ୍ଧା ଭାବେ ଜିଲ୍ଲା ଆଞ୍ଚଳିକ ପରିବନହନ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଧାମନଗର ମେଡ଼ିକାଲ ଅଫିସର ଡା. ଦୀପକ କୁମାର ନାୟକ, ନାଇକାଣିଡିହି ଥାନାର ସବ୍‌ଇନିସ୍ପେକ୍ଟର ନିରୋଦ କୁମାର ମଲ୍ଲିକ, ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ଓଏପିଏମ୍‌/୨୪ ରତିକାନ୍ତ ନାଏକ, କନଷ୍ଟେବଳ ରାଜେଶ ରାଉତ, ଆଶାକର୍ମୀ ସିପ୍ତା ନସିମ୍ କାଦ୍ରୀ, ଏଏନ୍‌ଏମ୍ ଡ଼ଲି ରାଉତ, ଅଙ୍ଗନୱାଡ଼ି କର୍ମୀ ପ୍ରମୋଦିନୀ ଜେନା, ପଦ୍ମାବତୀ ରାଉତ ଓ ରାଧାରାଣୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଜାତୀୟ ଉତ୍ସବରେ ଏସପି ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ସମେତ ସୀମିତ ଅତିଥି ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଜିଲ୍ଳା ସୂଚନା ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନା କରିଥିଲେ । ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପ୍ରଚାର କରାଯାଇଥିବା ବେଳେ ପୌରପାଳିକା ପକ୍ଷରୁ ସହରରେ ସ୍ଥାପିତ ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।