Odiapua.com

କୋବିଡ -୧୯ ପରିଚାଳନାରେ ପ୍ରଶାସନର ଖାମ୍‌ଖିଆଲି ନୀତି – କଂଗ୍ରେସ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ କୋବିଡ଼ – ୧୯ ପରିଚାଳନା କ୍ଷେତ୍ରରେ ଭଦ୍ରକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଖାମ୍‌ଖିଆଲି ନୀତି ଅବଲମ୍ବନ କରୁଛି । ଯାହାକୁ ନେଇ ଭଦ୍ରକ ବ୍ଲକ ଓ ପୌରପାଳିକା ଅଧିବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଯାହାର ସଦ୍ୟତମ ଉଦାହରଣ ଭାବେ ଜିଲ୍ଲା ପ୍ରଶାସନର କଣ୍ଟେମେଣ୍ଟଜୋନ ଘୋଷଣା । ଗତ ଦୁଇଦିନ ତଳେ ଜିଲ୍ଲାପାଳ ତାଙ୍କ ଚିଠି ସଂଖ୍ୟା- ୯୦୮୩/ଏମ୍‌ରଜେନ୍‌ସି, ତା୬ା୭ା୨୦୨୦ ଅନୁଯାୟୀ ୨୭ ନମ୍ବର ୱାର୍ଡ ସ୍ଥିତ ଡି.ଏନ. ବାଳିକା ଉଚ୍ଚ ବିଦ୍ୟାଳୟକୁ କଣ୍ଟେନମେଣ୍ଟଜୋନ ଏବଂ ୨୭ ନଂ ୱାର୍ଡକୁ ବଫରଜୋନ ଘୋଷଣା କରାଯାଇଛି । ମାତ୍ର ବାସ୍ତବରେ ଏହି ବିଦ୍ୟାଳୟଟି ୨୭ ନଂ ୱାର୍ଡରେ ହୋଇ ନ ଥିବା ବେଳେ ଏହା ୨୬ ନଂ ୱାର୍ଡରେ । ଯାହା ଫଳରେ ୨୭ ନଂ ୱାର୍ଡବାସୀ ପ୍ରଶାସନିକ କଟକଣାର ଯନ୍ତ୍ରଣା ଭୋଗୁଥିବା ବେଳେ ପଜିଟିଭ ବାହାରିଥିବା ଅଞ୍ଚଳ ଖୋଲାମେଲା ରହିଛି । ସେହିଭଳି ନାରାୟଣଚନ୍ଦ୍ର ହାଇସ୍କୁଲ ୨୧ ନଂ ୱାର୍ଡରେ ହୋଇଥିବା ବେଳେ ସରକାରୀ ରିପୋର୍ଟରେ ତାହାକୁ ୨୭ ନଂ ୱାର୍ଡ ବୋଲି ଦର୍ଶାଯାଇଛି । ଫଳରେ ୨୧ ନଂ ୱାର୍ଡ ଖୋଲାମେଲା ରହିଛି । ଏହା ବ୍ୟତୀତ ଭଦ୍ରକ ବ୍ଲକ ଚଣ୍ଡିଗାଁ ପଞ୍ଚାୟତ ସ୍ଥିତ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ମାତ୍ର ୯ ଦିନ ରଖି ତାଙ୍କୁ ଘରକୁ ଛାଡି ଦିଆଯାଉଛି । ପରବର୍ତ୍ତୀ ସମୟରେ ଯେଉଁମାନଙ୍କୁ ଛାଡି ଦିଆଯାଇଛି ସେମାନଙ୍କ ଭିତରୁ ପଜିଟିଭ ଚିହ୍ନଟ ହେଉଛନ୍ତି । କିନ୍ତୁ ପ୍ରଶାସନ ସେ ସଂଗରୋଧରେ ରହିଥିବା ଗଣମାଧ୍ୟମକୁ ସୂଚନା ଦେଉଛି । ଏହା ଦ୍ୱାରା ସଂପୃକ୍ତ ପ୍ରବାସୀ ସଂଗରୋଧ କେନ୍ଦ୍ରରୁ ବାହରିଗଲା ପରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉନାହିଁ । ଏସବୁକୁ ବାଦ ଦେଲେ ଅନେକ ସଂଗେରୋଧ କେନ୍ଦ୍ରର ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର ।

 

 

କେତେକ ସଂଗରୋଧ କେନ୍ଦ୍ରରେ ପାନୀୟ ଜଳ ସୁବିଧା ନାହିଁ ତ କେଉଁଠି ପାଇଖାନାର ସୁବିଧା ନାହିଁ । ଯାହା ଫଳରେ ସେମାନେ ସଂଗରୋଧ କେନ୍ଦ୍ର ଛାଡି ପଳାଇ ଯାଉଛନ୍ତି ବୋଲି ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଆରୋପ କରିବା ସହିତ ଏହା ପ୍ରଶାସନର ଖାମ୍‌ଖିଆଲୀ ନୀତି ବୋଲି କହିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତିଙ୍କ ସମେତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀନେତା ସୁବ୍ରତ ଦାସ, ପୂର୍ବତନ କାଉନସିଲର ସେକ୍ ସମ୍‌ଦାନୀ, ପୀତବାସ ଧଳ, ବାଜୟ ବାରିକ, ଇଲିୟାସ ଖାଁ, ସେକ୍ ରିଆଜ ପ୍ରମୁଖ କୋବିଡ଼ ୧୯ ପରିଚାଳନାରେ ରହିଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଭାବେ ସେମାନଙ୍କୁ ନିଲମ୍ବନ, ଚଣ୍ଡିଗାଁ ପଞ୍ଚାୟତର ନୋଡାଲ ଅଫିସର ଏବଂ ସରପଞ୍ଚଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନହେଲେ କଂଗ୍ରେସ ଏହାର ପ୍ରତିବାଦ କରିବାକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତିି ।