ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ଗ୍ରାମରେ ଧୂମଧାମରେ ପାଳିତ ହେଉଛି ଶ୍ରୀ ଶ୍ରୀ ରାଧା ଗୋବିନ୍ଦଙ୍କ ପବିତ୍ର ଝୁଲଣ ଯାତ୍ରା ମହୋତ୍ସବ। ଚଳିତ ବର୍ଷ ଏହି ଉତ୍ସବ ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ନେଇ ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗତ ୨ ବର୍ଷ ହେବ ଏହି ଭବ୍ୟ ଝୁଲଣ ସେବା ଓ ଉତ୍ସବର ପରମ୍ପରା ଆରମ୍ଭ କରାଯାଇଛି। ସୁସଜ୍ଜିତ ଝୁଲଣ ମଣ୍ଡପରେ ପ୍ରଭୁ ରାଧା ଗୋବିନ୍ଦଙ୍କ ଯୁଗଳ ମୂର୍ତିଙ୍କୁ ସୁନ୍ଦର ଭାବେ ସଜାଯାଇ ଝୁଲଣ ସେବା ପ୍ରଦାନ କରାଯାଉଛି। ଏହି ଅଲୌକିକ ଦୃଶ୍ୟର ଦର୍ଶନ କରିବା ପାଇଁ ପ୍ରତିଦିନ ସ୍ଥାନୀୟ ଅଂଚଳ ତଥା ଆଖପାଖ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଅଦ୍ଭୁତପୂର୍ବ ସମାଗମ ଦେଖିବାକୁ ମିଳୁଛି।ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରତି ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହା ସହିତ ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ତରଫରୁ ଆସୁଥିବା ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନର ସୁବ୍ୟବସ୍ଥା ମଧ୍ୟ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ ଯେପରି ପ୍ରଭୁଙ୍କ ଦର୍ଶନ ଓ ପ୍ରସାଦ ସେବନ କରିପାରିବେ, ସେଥିପାଇଁ ଗ୍ରାମର ଯୁବକ ସଂଘ ଓ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏହି ୫ ଦିନିଆ ଉତ୍ସବ କୋଡ଼ବରୁଆଁ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଖୁସି ଓ ଭକ୍ତିର ଜୁଆର ଖେଳାଇ ଦେଇଛି।