ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକର କଲ୍ୟାଣୀ ବଡ ପୋଲ ଠାରୁ କୋଠାର ପର୍ଯ୍ୟନ୍ତ ଲମ୍ବିଥିବା ଆଖୁଆପଦା ଜଳସେଚନ ବିଭାଗ ଅଧିନସ୍ତ ୪ ନମ୍ବର କେନାଲର ଦକ୍ଷିଣପାର୍ଶ୍ୱ ବନ୍ଧ ରାସ୍ତାର ପିଚ୍ କାର୍ଯ୍ୟରେ ନିମ୍ନମାନ କାର୍ଯ୍ୟ ହେଉଥିବା ଅଭିଯୋଗ କରି ଗ୍ରାମବାସୀମାନେ କାର୍ଯ୍ୟ ବନ୍ଧ କରିଛନ୍ତି। ରାତିରେ ଯନ୍ତ୍ରୀଙ୍କ ଅନୁପସ୍ଥିତ ରେ ପିଚ କାର୍ଯ୍ୟ କରାଯାଉଥିବା ଓ ନିୟମ ଅନୁସରଣ ହେଉନଥିବାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରାୟ ୩ କିଲୋମିଟର ଲମ୍ବା ଏହି ବନ୍ଧ ରାସ୍ତା ନିର୍ମାଣ ପାଇଁ ଆଖୁଆପଦା ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ କୋଟି ଟଙ୍କା ରୁ ଉର୍ଦ୍ଧ ଏଷ୍ଟିମେଂଟ ପ୍ରସ୍ତୁତ ହୋଇଥିବାବେଳେ, ଦୁଇଜଣ ଠିକାଦାରଙ୍କ ନାମରେ ଟେଣ୍ଡର ହୋଇଛି। ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, ପିଚ କାର୍ଯ୍ୟ ପୂର୍ବରୁ ରାସ୍ତାର ଭିତି କୁ ନିୟମ ଅନୁସାରେ ପ୍ରସ୍ତୁତ କରାଯାଇନାହିଁ। ନିୟମ ଅନୁସାରେ ପ୍ରଥମେ ଦଷ୍ଟ ଓ ଚିପ୍ସ ଗୋଳା ପକାଇ ଭଲଭାବେ ରୋଲର କରାଯିବା ପରେ ଧୂଳି ସଫା କରି ପ୍ରଥମ ପର୍ଯ୍ୟାୟ ପିଚ୍ ଏବଂ ଶେଷ ପର୍ଯ୍ୟାୟ ଫାଇନାଲ ପିଚ୍ କରାଯିବା କଥା। ଏହାସହିତ ଭାଇବ୍ରେଟର ରୋଲର ଦ୍ୱାରା ରାସ୍ତାକୁ ସମତଳ ଓ ଦୃଢ଼ କରିବା ଆବଶ୍ୟକ। କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ମିଳି ମିଶି ଏହି ସମସ୍ତ ନିୟମକୁ ଅଣଦେଖା କରି ରାତି ଅଧିଆ ନିମ୍ନମାନର ପିଚ୍ କାର୍ଯ୍ୟ କରାଯାଉଛି। ନିୟମ ଅନୁସାରେ ଦିନବେଳେ ଓ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟ ହେବାକୁ ଥିବା ସ୍ଥାନରେ ରାତିରେ ପିଚ୍ କାମ ହେଉଥିବାରୁ ସନ୍ଦେହ ଓ ଅସନ୍ତୋଷ ବଢ଼ିଥିଲା।ଏନେଇ ଜଳସମ୍ପଦ ବିଭାଗର ଯନ୍ତ୍ରୀ କିରନ ପରିଡା କହିଛନ୍ତି ଯେ, ରାତିରେ କାର୍ଯ୍ୟ ହେଉ ଥିବାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ମୋ ଉପସ୍ଥିତିରେ ଭଲ କାମ କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାଧାରଣ ହୋଇଥିବା କହିଛନ୍ତି। ତେବେ ଏ ନେଇ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।