ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ବ୍ଲକ ଆଗରପଡ଼ା ବଜାରରେ ବେଆଇନ୍ ଭାବେ କୋଟପା ବକ୍ରି କରୁଥିବା ଦୋକାନି ଉପରେ ଚଢ଼ାଉ କରାଯାଇଛି । ଭଦ୍ରକ ଡାକ୍ତରଖାନାର ମହାମାରି ବିଶେଷଜ୍ଞ ଡ. ପାର୍ଥ ସାରଥୀ ମିଶ୍ର,ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁ ଦତ୍ତ ଦାସ,ଅଣ ସଂକ୍ରମଣ ରୋଗର ସହ-ପରିଚାଳକ ଦିପକ ରାଉତଙ୍କ ସମେତ ଅବକାରୀ,ଔଷଧ ନିରିକ୍ଷକ ବିଭାଗର କର୍ମଚାରୀ ମାନେ ଏହି ଚଢ଼ାଉରେ ସାମିଲ ଥିଲେ । ଏହି ବଜାରରେ ଥିବା ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ନିକଟରେ ବେଆଇନ୍ ଭାବେ କୋଟପା ବିକ୍ରି କରୁଥିବା ୧୧ଜଣ ଦୋକାନିକୁ ତନଖି କରାଯାଇ କୋଟପା ଜବଦ୍ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ଜଣ ଦୋକାନିଙ୍କ ଉପରେ ୧୩ଶହ ଟଙ୍କା ଜରିମାନା କରାଯାଇଥିଲା । ବଜାରରେ ଥିବା ଦୋକାନି ମାନଙ୍କୁ ଶିକ୍ଷାନୁଷ୍ଠାନର ୧୦୦ ମିଟର ମଧ୍ୟରେ କୋଟପା ବିକ୍ରି ନ କରିବା ଏବଂ ସର୍ବ ସମ୍ମୁଖରେ ନ ଟାଙ୍ଗିବା ନେଇ ସଚେତନ କରାଯାଇଥିଲା । ଆଗରପଡ଼ା ଥାନାର ଏଏସ୍ଆଇ ନିତାଇ ଚରଣ ମହାନ୍ତି,କନେଷ୍ଟବଳ ବିଶ୍ୱଜିତ ପତି ସହଯୋଗ କରିଥିଲେ ।