Odiapua.com

କୋଇଲା ମାଫିଆଙ୍କ ଦ୍ୱାରା ଯୁବକକୁ ଆକ୍ରମଣ, ଅଭିଯୁକ୍ତକୁ ପୁଲିସ୍ ଘଣ୍ଟ ଘୋଡାଇବା ବିରୁଦ୍ଧରେ ସପରିବାର ଏସ୍‌ପିଙ୍କ ଦ୍ୱାରସ୍ଥ

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସ୍ଥାନୀୟ ଥାନା ମାନଙ୍କରେ ପୀଡିତ ନ୍ୟାୟ ପାଉନଥିବାବେଳେ ବାଧ୍ୟହୋଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଉଛି । ଏହିପରି ଏକ ଘଟଣା ଘଟିଛି ଭଦ୍ରକ ସାବରଙ୍ଗ ଥାନା ଅଂଚଳରେ । ଇଚ୍ଛାପୁର ଅଂଚଳର ପ୍ରତାପ ବେହେରା ନାମକ ଜଣେ ଯୁବକ ଦୋଳସାହିରୁ ନିଜ ଘରକୁ ଫେରୁଥିବାବେଳେ ୮/୧୦ ଜଣ କୋଇଲା ମାଫିଆ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ତାଙ୍କ ପତ୍ନୀ କନକଲତା ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ମୂଳେ ତାଙ୍କ ସ୍ୱାମୀଙ୍କୁ କୌଣସି କାରଣ ନଥାଇ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ କରିବା ସହ ୧୩ ହଜାର ଟଙ୍କା ଓ ଏକ ଦାମିକା ମୋବାଇଲ୍ ଛଡାଇ ନେଇଥିଲେ କୋଇଲା ମାଫିଆମାନେ । ଏପରିକି ତାଙ୍କ ମୋବାଇଲ୍‌ରେ ଥିବା ସମସ୍ତ ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଅନ୍ୟମାନଙ୍କୁ ଭାଇରାଲ କରିଥିଲେ । ଏ ସଂପର୍କରେ ତାଙ୍କ ପତ୍ନୀ ଅଭିଯୋଗ କରିବାର ୧୨ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ତେବେ ପୁଲିସ୍ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ନେଇ ଆଜି ସଂପୃକ୍ତ ଯୁବକ ସପରିବାର ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଅଭିଯୋଗ ଶୁଣିବା ପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସତରେ ପୀଡିତ ପରିବାରଙ୍କୁ ନ୍ୟାୟ ମିଳିବ ନା ତାହା କେବଳ ଏସ୍‌ପିଙ୍କ ପ୍ରତିଶ୍ରୁତିରେ ରହିଯିବ, ସମୟ କହିବ ।