Odiapua.com

କେଳାବସା ନିକଟସ୍ଥ ପୋଲ ଦବିଯିବା ଓ ୧୩(ଗ) କେନାଲ ପୋତି ହୋଇପଡିବା କାରଣରୁ ଚାଷଜମିରେ ପାଣି ମାଡୁନି

ଜଗତସିଂହପୁର ୨୬/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ତାଳଦଣ୍ଡା କେନାଲରୁ ବାହାରିଥିବା ୧୩(ଗ) କେନାଲ ଏବେ ବହୁମାତ୍ରାରେ ପ୍ରଦୂଷିତ ହେଉଥିବା ଲକ୍ଷ କରାଯାଇଛି। ତାଳପଡା ଗ୍ରାମ୍ୟରାସ୍ତା ଠାରୁ ରାହାମା ଶିଶୁମନ୍ଦିର ପାଶ୍ୱର୍ଦେଇ ସାଇଲୋ ଗ୍ରାମଆଡକୁ ପ୍ରବାହିତ କେନାଲ କ୍ରମଶଃ ପୋତିହୋଇ ପଡୁଥିବା କାରଣରୁ ଜଳଧାରଣ କ୍ଷମତା ପୁର୍ବାପେକ୍ଷା ହରାଇବସିଛି। ସ୍ଥାନେ ସ୍ଥାନେ ଏହି କେନାଲର ଉଭୟ ପାଶ୍ୱର୍ରେ କୋଠାଘର କରି ରହିଥିବା ଲୋକେ ଅଳିଆ ଆବର୍ଜନା ଫିଙ୍ଗିବା ସହିତ ପାଇଖାନା ଟାଙ୍କିର ମଇଳା ପାଣି ମଧ୍ୟ ଛାଡୁଛନ୍ତି। ଏହି କେନଲା ପାଣିର ସଂଶ୍ପର୍ଶରେ ଆସୁଥିବା ଜନସାଧାରଣ ଏବଂ ଗୋରୁଗାଇ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଲକ୍ଷ କରାଯାଉଛି। କେନାଲରେ ଆସୁଥିବା ବର୍ଜ୍ୟବସ୍ତୁର ଦୁଃର୍ଗନ୍ଧରେ ସ୍ଥାନିୟ ଅଂଚଳରେ ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି। ମଣିଜଙ୍ଗା ଜଳସମ୍ପଦ ବିଭାଗ ଏହି କେନାଲର ଶଯ୍ୟାଖନନ ଓ ବେଡ୍ କଟିଂ କରୁନଥିବାରୁ ତଳିଆ ଅଂଚଳର ଚାଷଜମିକୁ କେନାଲ ପାଣି ମାଡି ପାରୁନାହିଁ। ଯାହାଫଳରେ ସାଇଲୋ, ଗରେଇ, ନୁଆଢି, ପଣ୍ଡୁଆ ଓ ପୋତାନଈ ଗ୍ରାମପଞ୍ଚାୟତର ହଜାର ହଜାର ଚାଷୀ ସେମାନଙ୍କର ଚାଷଜମି ପାଇଁ ଆବଶ୍ୟକ କେନାଲ ପାଣିରୁ ବଞ୍ଚିତ ହୋଇଥାନ୍ତି। ଏହି ସବୁ ପଞ୍ଚାୟତର ଜନସାଧାରଣ ଚାାଷକାର୍ଯ୍ୟ ପାଇଁ ବର୍ଷାଜଳ ଉପରେ ନିର୍ଭରଶୀଳ। ଉଠା ଜଳସେଚନର ସୁବିଧା ପ୍ରାୟତଃ ନାହିଁ କହିଲେ ଚଳେ। ହାତଗଣିତ ଯେଉଁ କେତୋଟି ଲିଫ୍ଟି ପଏଣ୍ଟ ଅଛି ଦୀର୍ଘଦିନ ହେବ ତାହା ଅଚଳ ହୋଇପଡିଛି। ୧୩(ଗ) କେନାଲର ଉନ୍ନତିକରଣ ଓ ଉପରୋକ୍ତ ପଞ୍ଚାୟତରେ ଥିବା ଲିଫ୍ଟି ପଏଣ୍ଟକୁ କାର୍ଯ୍ୟକ୍ଷମ କରାଯିବା ନେଇ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଆଶୁପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ରାହାମା ଷ୍ଟେସନରୋଡରୁ କେଳାବସା ଆଡକୁ ଯାଇଥିବା ରାସ୍ତାରେ କେନାଲ ଉପରେ ହୋଇଥିବା ପୋଲର ଉଭୟ ପାର୍ଶ୍ୱ ଦବିଯିବାରୁ ପାଦ ଚଲା ବାଟୋଇ ଓ ବାଇକ୍ ଆରୋହୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରାକ୍ଟର ଟ୍ରକ ଆଦି ଭାରିଯାନ ଚଳାଚଳ କରୁଥିବା ହେତୁ ଏହି ରାସ୍ତା ଓ ପୋଲପ୍ରତି ବିପଦ ସୃଷ୍ଟି ହୋଇଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନିୟ ଅଂଚଳରେ ଦାବି ହେଉଛି।