Odiapua.com

କେମିତି ମିଳିବ ପ୍ରଭୁ ଅନୁଭବ ?

– ଶ୍ରୀ ଅଖଣ୍ଡ

ସାରା ଜଗତକୁ ଯେଉଁ ରୂପ ମୋହିତ କରି ରଖିଛି,  ଯାହାର ରୂପକାନ୍ତିରେ ଭକ୍ତ ପାଗଳ ପ୍ରାୟ। ସେହି ହେଉଛନ୍ତି ମୋ ପ୍ରଭୁ ଜଗନ୍ନାଥ। ତାଙ୍କର ରୂପ ବର୍ଣ୍ଣନା କିପରି କରିବା ? ବିଚିତ୍ର ରୂପ। କଳା ମୁହଁ, ଚକା ଆଖି, ହାତ ନାହିଁ କି ପାଦ ନାହିଁ। ଏପରି ରୂପ ଦେଖି ପୁଣି ଆମେ କେତେ ଆନନ୍ଦ। ପ୍ରଭୁଙ୍କ ଠାରୁ ଆଉ କିଏ ସୁନ୍ଦର ଅଛି ଯେ ! ତାଙ୍କର ସୁନ୍ଦର ରୂପରେ ଦେଖି ଭକ୍ତକୁ ଅମୃତ ମିଳିଯାଏ ଓ ସେଥିରେ ମୋହିତ ହୋଇଯାଏ। କେବଳ ପ୍ରଭୁଙ୍କ ଦର୍ଶନ ମାତ୍ରକେ ମୃତବତ୍ ଥିବା ଭକ୍ତିଭାବ ଅମୃତ ସ୍ପର୍ଶ ପାଇ ଜାଗି ଉଠେ। ଆଉ ଯଦି ଆମେ ତାର ନାମ ଗାଇବା, ଗୁଣଗାନ କରିବା ଓ ଗୀତ ବୋଲିବା ତାହାଲେ ଏହି ଜୀବନ ସାଗରରେ ସୁଧାରସର ଧାରା ବୋହିବାରେ ଲାଗିବ। ପ୍ରଭୁ କଣ କେବଳ ଆମମାନଙ୍କର ପ୍ରିୟ। ତାନୁହେଁ, ସବୁ ଦେବତାମାନଙ୍କର ପ୍ରିୟ ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ। ସବୁ ଲୋକରେ ଜୟ ଜଗନ୍ନାଥ ଧ୍ୱନୀ ସୃଷ୍ଟି ହେଉଛି ଓ ପ୍ରତିଧ୍ୱନୀ ମଧ୍ୟ ହେଉଛି। କାରଣ ସେ ହିଁ କେବଳ ନିତ୍ୟ ଓ ନିରାକାର। ସୃଷ୍ଟି ପୂର୍ବରୁ ତାଙ୍କର ଅସ୍ତିତ୍ୱ ରହିଆସିଛି। ତାଙ୍କର ଅସ୍ତିତ୍ୱରୁ ନିର୍ମିତ ହୋଇଛି ସୃଷ୍ଟି। ସଂସାର ଭିତରେ ସମସ୍ତଙ୍କର ପ୍ରିୟ ହେଉଛନ୍ତି ମହାପ୍ରଭୁ। ସଂସାର ଭିତରେ ଆମ ସହ ରହିଛନ୍ତି। ଆମ ସହ ସୁଖଦଃଖ ଭୋଗୁଛନ୍ତି। ସେ କାହା ପାଇଁ ପ୍ରିୟ ଠାକୁର ତ ଆଉ କାହା ପାଇଁ ପ୍ରିୟ ସଖା। ଆଉ କିଏ ବାପା ବୋଲି ସମ୍ଭୋଧନ କରୁଛି ତ ଆଉ କିଏ ତାଙ୍କୁ ଭାଇ ବୋଲି ଡାକୁଛି। ଏଭଳି ଲୋକ ଯାହାର ପ୍ରିୟ ହୋଇଯାଏ, ପୂରା ଦୁନିଆଟା ତାକୁ ପ୍ରିୟ ହିଁ ଲାଗିବ। ଭକ୍ତର ପ୍ରେମ ଆଗରେ ସେ ପରାଧିନ ଓ ପରାହତ। ଭକ୍ତର ଭକ୍ତି ଆଗରେ ମହାବାହୁ ଦୁର୍ବଳ। କିନ୍ତୁ ଭକ୍ତ ତାଙ୍କ ନାମ ନେଇ ସବଳ ହୋଇଯାଉଛି। ସେ ହେଉଛନ୍ତି ପତିତପାବନ। ଅର୍ଥାତ୍ ଭକ୍ତି ଭାବ ନଥିବା ଭକ୍ତମାନଙ୍କ ମଧ୍ୟରେ ପବିତ୍ର ଭାବ ସୃଷ୍ଟିକାରୀ। ତାଙ୍କର ମହିମାକୁ ମାପିବା ପାଇଁ ମାପଦଣ୍ଡ ନାହିଁ। ଅମୃତମୟ ଇଶ୍ୱର ଭକ୍ତ ପାଇଁ ଅମୃତର ସାଗର ଖୋଲି ଦେଇଛନ୍ତି। କାରଣ ଭକ୍ତ ଯେତିକି ଭଲ ପାଏ, ସେ ବି ଭକ୍ତକୁ ସେତିକି ଭଲ ପାଇଥାନ୍ତି। ତେଣୁ ପ୍ରଭୁ ଜଗନ୍ନାଥଙ୍କ ବିନା ଏହି ସଂସାର ମହାଶୂନ୍ୟ ବୋଲି ଲାଗେ। ଯଦି ହୃଦୟରେ ଆମେ ପୂର୍ଣ୍ଣ ଅର୍ଥାତ୍ ପ୍ରଭୁଙ୍କ ପୂର୍ଣ୍ଣତାକୁ ଅନୁଭବ ନକଲେ, ଆମକୁ ଯାହା ଦେଖାଯାଏ ତାହା ମଧ୍ୟ ଶୂନ୍ୟ। ଆମକୁ ସବୁ ମିଳିଗଲେ ମଧ୍ୟ ସବୁ ଶୂନ୍ୟ ଭଳି ହିଁ ଅନୁଭବ ହୁଏ। ଶୂନ୍ୟତାକୁ ପୂର୍ଣ୍ଣତାରେ ଭରିବା ପାଇଁ ହରିଗୀତ, ଜଗନ୍ନାଥଙ୍କ ନାମ ଭଜନ ଓ କୀର୍ତନର ଆବଶ୍ୟକତା ରହିଛି। ଅର୍ଥାତ୍ ଆମେ ପ୍ରଭୁଙ୍କ ଠାରେ ଧ୍ୟାନ ରଖି ତାଙ୍କର ଅସ୍ତିତ୍ୱକୁ ଅନୁଭବ ଓ ଦର୍ଶନ କରିବାକୁ ଅଭ୍ୟାସ କରିପାରିଲେ ସବୁ କ୍ଷେତ୍ରରେ ସଫଳତା ଓ ଆନନ୍ଦ ଅନୁଭୂତି ମିଳିବ। ପ୍ରଭୁ ଆମକୁ ସବୁ ପ୍ରକାର ଶକ୍ତି ଦେଇଛନ୍ତି। ଆମେ ତାହାକୁ ଅନୁଭବ କରି ଶିଖିବା ଦରକାର। ଶ୍ରୀଜଗନ୍ନାଥଙ୍କ ଦୀକ୍ଷା ନିଅନ୍ତୁ। ଜୀବନରେ ମହାପ୍ରଭୁଙ୍କୁ ଅନୁଭବ କରିବା ସହତି ଧନ, ଜନ, ସୁଖ, ଶାନ୍ତି ଲାଭ କରନ୍ତୁ।

ଠିକଣା : ଦୀକ୍ଷା ମିଶନ, ପିପିଲି, ପୁରୀ