Odiapua.com

କେବେ ସରିବ ଧାମରାରେ ୬ ହଜାର କୋଟି ଟଙ୍କାର ଏଲ୍‌ଏନ୍‌ଜି ପ୍ରକଳ୍ପ, ପାଇପ୍ ଯୋଗେ ଗ୍ୟାସ୍ ପାଇବା କଣ ସ୍ୱପ୍ନରେ ରହିଯିବ କି!

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଭାରତରେ ପାଇପ୍ ଯୋଗେ ଏଲ୍‌ଏନ୍‌ଜି ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ବିଭାଗ ତରଫରୁ ୨୦୧୭ ମସିହା ଜୁଲାଇ ମାସରେ ଭଦ୍ରକ ଜିଲା ଧାମରା ଠାରେ ୬ ହଜାର କୋଟି ଟଙ୍କା ବ୍ୟୟରେ ବାର୍ଷିକ ୫ ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏଲ୍‌ଏନ୍‌ଜି ଟର୍ମିନାଲର ଶିଳାନ୍ୟାସ କରାଯାଇଥିଲା । ଏହି ଶିଳାନ୍ୟାସ ଉତ୍ସବ ବି ମୂଳରୁ ବିବାଦୀୟ ଥିଲା । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗକୁ ତତ୍‌କାଳୀନ ଭଦ୍ରକ ଜିଲାର ସମସ୍ତ ବିଧାୟକ, ସାଂସଦଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଥିଲେ । ହେଲେ ଦଳୀୟ ଭିତ୍ତିରେ ଅନ୍ୟ କେତେକ ବିଜେପିର ଆଗଧାଡିର ନେତାଙ୍କୁ ଏହି ଅତିଥି ତାଲିକାରେ ଥିବାରୁ ଚିହିଁକି ଉଠିଥିଲା ବିଜେଡି । ତେଣୁ ଏହି କାର୍ଯ୍ୟକ୍ରମକୁ ବିଜେଡି ବୟକଟ୍ କରିଥିଲା । କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶିଳାନ୍ୟାସ କରିଥିଲେ । ସେତେବେଳେ ଉକ୍ତ ଘଟଣା ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଥିଲା । ଇତିମଧ୍ୟରେ ୪ ବର୍ଷ ବିତିଗଲାଣି ଏହି ବହୁ ପ୍ରତିକ୍ଷୀତ ଟର୍ମିନାଲ କାର୍ଯ୍ୟ ସରିପାରିନାହିଁ ।

ଫଳରେ ପାଇପ୍ ଯୋଗେ ଉନ୍ନତମାନର ଗ୍ୟାସ୍ ପାଇବାକୁ ଆଶା ରଖିଥିବା ପୂର୍ବ ଭାରତ ସାଙ୍ଗକୁ ଖୋଦ୍ ରାଜ୍ୟର ଉପଭୋକ୍ତାମାନେ ନିରାଶ ହେଉଛନ୍ତି । ତଥ୍ୟ ଅନୁଯାୟୀ ଏକବିଂଶ ଶତାବ୍ଦୀରେ କମ୍ ଅଙ୍ଗାରକାମ୍ଳ ଯୁକ୍ତ ଇନ୍ଦନ ବ୍ୟବହାର ସାଙ୍ଗକୁ ପୂର୍ବ ଭାରତରେ ଗ୍ୟାସ୍ ଶକ୍ତିକୁ ବିନିଯୋଗ କରି ଉକ୍ତ ରାଜ୍ୟ ଯଥା ଓଡ଼ିଶା, ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ଆର୍ଥିକ ବିକାଶକୁ କେନ୍ଦ୍ର ସରକାର ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି । ତେଣୁ ଏହି ଏଲ୍‌ଏନ୍‌ଜି ଗ୍ୟାସ୍ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ୨୦୧୫ ମସିହା ପୂର୍ବରୁ ଯେତେବେଳେ ପାରାଦୀପ ଠାରେ ଗେଲ୍ ତରଫରୁ ହେବାକୁ ଥିବା ଭାସମାନ ଏଲ୍‌ଏନ୍‌ଜି ଟର୍ମିନାଲ କାର୍ଯ୍ୟ ବାତିଲ ହେଲା, ତେଣୁ ଏପରି ଏକ ପରିକଳ୍ପନା କରାଯାଇଥିଲା । ୨୦୧୫ ମସିହା ମଇ ମାସରେ ଗେଲ୍‌, ଭାରତୀୟ ତୈଳ ନିଗମ, ଆଦାନୀ କଂପାନୀଙ୍କ ମାଲିକାନାରେ ଏହି ପ୍ରକଳ୍ପ ହେବାକୁ ସ୍ଥିରୀକୃତ ହୋଇଥିଲା । ଯେଉଁଥିରେ ଆଦାନୀରେ ୫୦ ଭାଗ, ଗେଲ୍‌ର ୩୯ ଭାଗ ଓ ତୈଳ ନିଗମର ୧୧ ଭାଗ ମାଲିକାନା ସତ୍ୱ ରହିବାକୁ ସ୍ଥିରୀକୃତ ହୋଇଥିଲା । ହେଲେ ଏହି ଏମ୍‌ଓୟୁର ଅବଧି ୨୦୧୮ ମସିହାରେ ପୂରିଯିବା ପରେ ଗେଲ୍ ସ ତୈଳ ନିଗମଙ୍କ ମାଲିକାନା ସତ୍ୱ ସରିଯାଇଥିଲା । ପୁନର୍ବାର ୨୦୧୯ ମସିହାରେ ଆଦାନୀ ଅଧା ମାଲିକାନା ଥିବାବେଳେ ଗେଲ୍ ଓ ତୈଳ ନିଗମ ମାଳିକାନା ଏକ ଫ୍ରାନ୍ସର କଂପାନୀକୁ ଦିଆଯାଇଛି । ମିଳିଥିବା ସୂତ୍ର ଅନୁଯାୟୀ ଏହି ଟର୍ମିନାଲ କାର୍ଯ୍ୟ ୭୦ ଶତକଡା ସରିଥିବା ଜଣାପଡିଛି । ଏହି ଟର୍ମିନାଲରେ ଦୁଇଟି ଟାଙ୍କି ରହିବ ବୋଲି ଜଣାପଡିଛି । ଏଲ୍‌ଏନ୍‌ଜି ଆମଦାନୀ, ମହଜୁଦ ଓ ରିଗ୍ୟାସିଫିକେସନ୍‌ର ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ଶିଳ୍ପର ହବ୍ କୁହାଯାଉଥିବା ଭୁବନେଶ୍ୱର, କଟକ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ସାଙ୍ଗକୁ ସୁନ୍ଦରଗଡ, ଦେଓଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଆଦି ୧୩ ଟି ଜିଲା ଏହି ପାଇପ୍ ଲାଇନ୍‌ରେ ଉପକୃତ ହେବେ ବୋଲି ଜଣାପଡିଛି । ଏହି ଟର୍ମିନାଲରୁ ନଗର ଗ୍ୟାସ୍ ବଣ୍ଟନ (ସିଜିଡି) ରେ ଆସୁଥିବା ପୂର୍ବ ଭାରତର ରାଞ୍ଚି, ବୋକାରୋ, ଜାମସେଦପୁର, କୋଲକାତା ଆଦିକୁ ଯୋଗାଣ ପାଇ ଲକ୍ଷ୍ୟ ଥିବା କୁହାଯାଇଥିଲା ।

ଏହି ସିଜିଡି ନେଟ୍‌ୱାର୍କରୁ ଘରୋଇ, ଅଟୋ ମୋବାଇଲ୍‌ସ୍‌କୁ ସିଏନ୍‌ଜି ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଶୁଦ୍ଧ ଜାଳେଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି ଏଲ୍‌ଏନ୍‌ଜି ଟର୍ମିନାଲରୁ ତୈଳ ନିଗମର ୩ଟି ରିଫାଇନାରୀ ଯଥା ବାରୁଣୀ, ହଳଦିଆ, ପାରାଦୀପ ସାଙ୍ଗକୁ ବାରୁଣୀ ସିନ୍ଦ୍ରି ଓ ଗୋରଖପୁର ଠାରେ ଥିବା ସାର କାରଖାନା ଉପକୃତ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଏଲ୍‌ଏନ୍‌ଜି ଦ୍ୱାରା ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଅଙ୍ଗାରକାମ୍ଳ ସ୍ତରକୁ କମେଇବାରେ ସକ୍ଷମ ହେବ ବୋଲି ଆଲୋଚନା ହୁଏ । ପୂର୍ବ ଭାରତର ରାଜ୍ୟମାନେ ପ୍ରାକୃତିକ ଗ୍ୟାସ୍‌ରୁ ଘରୋଇ, ଗମନାଗମନ ଶିଳ୍ପ ଆଦି କ୍ଷେତ୍ରରେ ସୁବିଧା ପାଉନଥିବାରୁ ଏସବୁ କ୍ଷେତ୍ର ସୁବିଧା ପାଇବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେଉଥିଲେ ବି ଏହି କାର୍ଯ୍ୟ ସରିପାରିନାହିଁ । ଏହି ବୃହତ୍ ପ୍ରକଳ୍ପର ଶିଳାନ୍ୟାସବେଳେ ଭଦ୍ରକ ଜିଲାବାସୀ ଆଶା କରିଥିଲେ । ଏଥିରେ ନିଯୁକ୍ତି ମିଳିବ, ପାଇପ୍‌ରେ ଘରେ ଘରେ ଗ୍ୟାସ୍ ପହଞ୍ôଚବ, ହେଲେ ସେ ଆଶା କେବେ ପୂରଣ ହେଉଛି, ତାହା ଉପରେ ନଜର ।